ପଞ୍ଚାୟତରେ ପ୍ରବାସୀଙ୍କ ପାଇଁ ୫ଲକ୍ଷ ଶଯ୍ୟା ସହ ୧୨ହଜାର ମେଡ଼ିକାଲ କ୍ୟାମ୍ପ କରାଯାଇଛି : ସୁବ୍ରତ ବାଗଚୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ସମ୍ପର୍କିତ ଅପଡ଼େଟ ଦେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ବାହାର ରାଜ୍ୟରୁ ପ୍ରବାସୀମାନଙ୍କୁ କାହିଁକି ଫେରିବାକୁ ଦିଆଯାଉଛି ଏନେଇ କିଛି ଲୋକ ପ୍ରଶ୍ନ କରୁଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ କିିଛି ବଢ଼ିପାରେ ହେଲେ ଏହାକୁ ନେଇ ବିଚଳିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ବାହାରୁ ଫେରନ୍ତା ଲୋକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ । ଏହା ମାନବିକତାର କଥା ଏବଂ ବିବେକର କଥା । ଗୋଟିଏ ସଭ୍ୟ ଓ ସ୍ୱାଧୀନ ରାଷ୍ଟ୍ରରେ ଜନ୍ମ ଗ୍ରହଣ କରୁଥିବା ମଣିଷର ସବୁଠାରୁ ବଡ଼ ଅଧିକାର ହେଲା ସାମ୍ବିଧାନିକ ଅଧିକାର । ଆଉ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ମଧ୍ୟରେ ସବୁଠାରୁ ବଡ଼ ଅଧିକାର ହେଲା ସମତା ଓ ସ୍ୱାଧୀନତା । ଏଥିରୁ କହାରିକି ବଞ୍ଚିତ କରାଯାଇ ପାରିବ ନାହିଁ । ଆଉ ମାନବିତାର ଦୃଷ୍ଟିକୋଣରୁ ସବୁକଥାକୁ ବିଚାର କରିବାର ଆବଶ୍ୟକତା ରହିଛି । ଆସନ୍ତା ୪ସପ୍ତାହ କରୋନା ବିରୋଧୀ ଲଢ଼େଇର ଚତୁର୍ଥ ପର୍ଯ୍ୟାୟ । ପ୍ରବାସୀଙ୍କ ପାଇଁ ସବୁ ପଞ୍ଚାୟତରେ ପ୍ରାୟ ୧୨ହଜାର ମେଡ଼ିକାଲ କ୍ୟାମ୍ପ କରାଯାଇଛି । ଏସବୁ କ୍ୟାମ୍ପରେ ପ୍ରାୟ ୫ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ବାହାର ରାଜ୍ୟରୁ ଆସିଥିଲେ ପ୍ରଥମେ ଟେଷ୍ଟିଂ କରାଯିବା ପରେ ଷ୍ଟାମ୍ପ ଲଗାଯିବ । ସଙ୍ଗରୋଧ କେନ୍ଦ୍ରରେ ସ୍ୱଚ୍ଛତା ଓ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉଛି । ଏହାସହ ଏକ ରେପିଡ଼ ରେସପନ୍ସ ଟିମ୍ ଗଠନ କରାଯାଇଛି । ସହରାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ ପାଇଁ ଅନୁମତି ଅଛି କିନ୍ତୁ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ ପାଇଁ ଅନୁମତି ନାହିଁ ବୋଲି ସେ କହିଥିଲେ ।

ରିପୋର୍ଟ : ଆକାଶ ମିଶ୍ର