ରାଇବଣିଆ-ରାସଗୋବିନ୍ଦୁପୁର ସୀମାରେ ହାତୀ ଉପଦ୍ରବରୁ ରକ୍ଷା ପାଇଁ ଖନନ ହେବ ଟ୍ରେଞ୍ଚ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ସିମିଳିପାଳ ଅଞ୍ଚଳରୁ ବହୁ ସଂଖ୍ୟାରେ ହାତୀ ଆସି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନା ଇଲାକାରେ ବ୍ୟାପକ କ୍ଷତି ଘଟାଉଥିବାରୁ ରାସଗୋବିନ୍ଦପୁର ଓ ରାଇବଣିଆ ସୀମାରେ ହାତୀ ନ ଆସିବା ପାଇଁ ଏକ ଟ୍ରେଞ୍ଚ ଖନନ ପାଇଁ ସ୍ଥିର କରାଯାଇଛି । ସୂଚନା ଅନୁଯାୟୀ ମଙ୍ଗଳବାର ଜିଲାପାଳ ଘଟଣାସ୍ଥଳକୁ ଯାଇ ମନୋରେଗା ଯୋଜନାରେ ରାଇବଣିଆର ଗରିବ ପ୍ରବାସୀଙ୍କୁ କାର୍ଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଏପରି ଏକ ପ୍ରକଳ୍ପ ହାତକୁ ନିଆଯାଇଥିବା ଜଣାଯାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର ଶ୍ୟାମନଗର, ସର୍ଦ୍ଦାରବନ୍ଧ, ଖୁଆଡ, ବରଡିଆ, କଳମା ଓଲମରା, ରାଇବଣିଆ ଓ କାଳିକ ପଂଚାୟତ ବିଭିନ୍ନ ଗ୍ରାମାଞ୍ଚଳକୁ ହାତୀ ଆସି ବ୍ୟାପକ କ୍ଷତି ଘଟାଇଥାଏ । ପଶ୍ଚିମବଙ୍ଗର ଦଲମା, ଓଡିଶାର ଶିମିଳିପାଳ ଓ ଝାଡଖଣ୍ଡି ଆତୀ ଆସି ଏହି ଅଞ୍ଚଳରେ ବହୁ ଘର ଭାଙ୍ଗିବା ସହିତ ରବି ଓ ଖରିପ ଚାଷର ବ୍ୟାପକ କ୍ଷତି ଘଟାଇ ଆସୁଛି । ଚଳିତବର୍ଷ ବର୍ଷ ତମାମ ହାତୀ ଉପଦ୍ରବ ଯୋଗୁଁ ରାଇବଣିଆର ଜଣେ ଲୋକ ମୃତ୍ୟୁବରଣ କରିବା, ୧୦ଟି ଗୃହପାଳିତ ପଶୁ ମରିବା ଏବଂ ପ୍ରାୟ ୧୧୦ଟି ଘର ଭାଙ୍ଗିଥିବାରୁ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତେଣୁ ଶ୍ୟାମନଗର ପଞ୍ଚାୟତ ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ୨କିମି ଲମ୍ବର ଏକ ଟ୍ରେଞ୍ଜ କାର୍ଯ୍ୟ ସରିଛି । ଚଳିତବର୍ଷ ଶ୍ୟାମନଗର ପଞ୍ଚାୟତର କେନ୍ଦୁଖୁଣ୍ଟା ଗାଁଠାରେ ୫କି.ମି ଲମ୍ବର ଏକ ଟ୍ରେଞ୍ଚ ଜଳେଶ୍ୱର ବ୍ଲକ ପକ୍ଷରୁ ଏମ୍‌ଜିଏନ୍‌ଆରଜିଏସ୍ ଯୋଜନା ମାଧ୍ୟମରେ ଖୋଳିବାର ଲକ୍ଷ୍ୟ ନେଇ ଏବେ ୨ କିମି.ର କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଇଛି । ନିକଟରେ କାର୍ଯ୍ୟ ହେବାକୁ ଥିବାରୁ ଆଜି ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ ଓ ଅନ୍ୟ କେତେକ ପଦସ୍ଥ କର୍ମକର୍ତ୍ତା ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା