ରଜମଉଜ ଉପଲକ୍ଷେ ସୁପ୍ରିତମ୍ କଳାକେନ୍ଦ୍ରର ବାର୍ଷିକ ଉତ୍ସବ : ଗୁରୁ ପ୍ରଫୁଲ୍ଲ ବେହେରାଙ୍କ ପ୍ରତିମୂର୍ତ୍ତି ଅନାବରଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅଧିନ ଦକ୍ଷିଣ ପ୍ରହରାଜପୁରସ୍ଥିତ ସୁପ୍ରିତମ୍ କଳାକେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଯୋଗ ଦେଇ ଗୁରୁ ସ୍ୱର୍ଗତ ପ୍ରଫୁଲ୍ଲ ବେହେରାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ ଚରଣ ପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଯୋଗ ଦେଇ ରାଇବଣିଆ ମାଟିର ପ୍ରଫୁଲ୍ଲ ବେହେରା ଜଣେ ଆଦର୍ଶ ଗୁରୁ ଭାବେ ପରିଚିତ ବୋଲି କହିଥିଲେ । ତାଙ୍କର ଛାତ୍ରଛାତ୍ରୀମାନେ ଏବେବି ବିଭିନ୍ନ ସ୍ଥାନରେ ସୁଖ୍ୟାତି ଅର୍ଜନ କରିପାରୁଥିବା କହିଥିଲେ । ଏହି ଉପଲକ୍ଷେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ମହାପାତ୍ର, ବ୍ଲକ ଉପାଧକ୍ଷା ସଞ୍ଚିତା ସେନାପତି ଯୋଗ ଦେଇ ସୁପ୍ରିତମ କଳାକେନ୍ଦ୍ର ସ୍ଥାନୀୟ ଅଂଚଳରେ କୁନି କୁନି କଳାକାର ସୃଷ୍ଟି କରିପାରିଥିବା ସମ୍ପର୍କରେ କହିଥିଲେ । ପ୍ରଫୁଲ୍ଲ ବେହେରାଙ୍କ ପୁତ୍ର ନୃତ୍ୟଗୁରୁ ତଥା ଅନୁଷ୍ଠାନର ସଭାପତି ସମୀର ବେହେରା ଯୋଗ ଦେଇ ଏହି ଅନୁଷ୍ଠାନ ପ୍ରତିବର୍ଷ ରଜ ଉତ୍ସବ ପାଳନ କରି ପ୍ରତିଭାଧର ମାନଙ୍କୁ ଗୁରୁ ପ୍ରଫୁଲ୍ଲ ବେହେରା ସମ୍ମାନନରେ ପୁରସ୍କୃତ କରିବା ସହିତ ଗ୍ରାମାଞ୍ଚଳରେ ଭାଇଚାରା ସୃଷ୍ଟି କରିଥିବା କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସଂଖ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା