ରଜମଉଜରେ ସରାବାଡ଼ି ଗ୍ରାମ ସ୍ତବ୍ଧ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ…

ସୋରଡ଼ା (ସମୃଦ୍ଧ ଓଡିଶା) ଆଜି ସାରା ରାଜ୍ୟରେ ଲୋକ ମାନେ ଘରେ ରହି ରଜ ପର୍ବକୁ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ସରାବାଡି ଗ୍ରାମରେ ଦେଖିବାକୁ ମିଳିଥିଲା କିଛି ବ୍ୟତିକ୍ରମ । ସମ୍ପୂର୍ଣ୍ଣ ଗ୍ରାମ ଆଜିର ଦିନରେ ପୁରା ସ୍ତବ୍ଧ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ସେହି ଗ୍ରାମର ଚନ୍ଦ୍ର ଶେଖର ମହାରଣାଙ୍କ ଏକ ମାତ୍ର ପୁଅ ସନ୍ତୋଷ ମହାରଣା(୨୧) ଗତ ଦୁଇ ସପ୍ତାହ ହେବ ଏହି କୋରନା ମାହାମରୀ ଯୋଗୁଁ ବାହାର ରାଜ୍ୟରୁ ନିଜ ଗାଁକୁ ଚାଲିଆସି ଥିଲେ । ଗାଁକୁ ଆସିବା ପରେ ସେ ବଡ଼ଗଡ଼ର ଏକ ଷ୍ଟିଲ ୱେଲଡିଙ୍ଗୀ ଦୋକାନରେ କାର୍ଯ୍ୟ କରୁଥିଲେ । ହେଲେ ଗତ ଗୁରୁବାର ଦିନ ସନ୍ଧ୍ୟାରେ ଷ୍ଟିଲ ୱେଲଡିଙ୍ଗୀ ଦୋକାନରେ କାମ କରୁଥିବା ବେଳେ ବିଦୂତ ସକ୍ ଲାଗି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ ସମ୍ପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ଓ ଗ୍ରାମଟି ପୁରା ସ୍ତବ୍ଧ ହୋଇଯାଇଛି । ସନ୍ତୋଷ ଚାରି ଭଉଣୀରେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଖବର ପାଇ ପିତା ଚନ୍ଦ୍ର ଶେଖର ଆଜି ଟ୍ରେନ ଯୋଗେ ପହଁଚିବା ନେଇ ପରିବାର ଲୋକେ ପ୍ରକାଶ କରିଛନ୍ତି । ଏଣୁ ପରିବାର ଓ ଗ୍ରାମବାସୀ ସନ୍ତୋଷଙ୍କୁ ଝୁରୁ ଥିବା ବେଳେ ପରିବାର ଓ ଚାରି ଭଉଣୀ ମାନଙ୍କ ପାଇଁ ଏହି ରଜ ଅଭିଶାପ ପାଲଟି ଯାଇଛି । ଗ୍ରାମବାସୀମାନେ ଏହି ପରିବାରକୁ ମାଗିଯାଚି କିଛି ସାହାର୍ଯ୍ୟ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଏହି ପରିବାରକୁ କୌଣସି ସହାୟତା ମିଳିପାରିନାହିଁ । ବାହାର ରାଜ୍ୟରୁ ଆଜି ଆସୁଥିବା ତାଙ୍କ ପିତାଙ୍କୁ ସଂଘରୋଧ କେନ୍ଦ୍ରରେ ନ ରଖି ପୁଅର ଶେଷ କାର୍ଯ୍ୟରେ ସାମିଲ କରାଇବାକୁ ଗ୍ରାମବାସୀମାନେ ସୋସିଆଲ ମିଡ଼ିଆ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ରିପୋର୍ଟ – ନିଲୁ ବିଷୋୟୀ