ଯେନକେନ ପ୍ରକାରେଣ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ! ୬ରେ ଗୌହାଟୀରେ ବୈଠକ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାରେ ବିଜେପି ସରକାର କେମିତି ହେବ ସେ ନେଇ ବିଜେପି ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଘୋର ଚିନ୍ତା ଘାରିଛି। ବିଜେଡିକୁ ମୂଳପୋଛ କରି ସର୍ବାଧିକ ଲୋକସଭା ସିଟ ଓ ବିଧାନ ସଭା ସିଟ କିଭଳି ବିଜେପି ହାତେଇବ ସେନେଇ ଏବେଠୁଁ ରାଜ୍ୟ ବିଜେପି ତୁଙ୍ଗ ନେତାମାନଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ଯାଇଛି I ଏନେଇ ଗୌହାଟୀରେ ହେବ ମାନସ ମନ୍ଥନ। ଆସନ୍ତା ୬ ତାରିଖରେ ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ନେଇ ଗୌହାଟୀରେ ବସୁବାକୁ ଥିବା ବୈଠକରେ ରାଜ୍ୟ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂ ତୋମାର ଓ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି ପ୍ରମୁଖ ୫ ଜଣିଆ ଟିମ୍ ଯୋଗଦେବେ। ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭାଗ ନେବେ I ୨୦୨୪ରେ କଣ ହେବ ରଣନୀତି ଆଉ ତାକୁ କେମିତି କରାଯିବ କାର୍ଯ୍ୟକାରୀ ସେ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡିଛି । ଯେନକେନ ପ୍ରକାରେଣ ଓଡ଼ିଶା ଦଖଲ ପାଇଁ ସୂତ୍ର ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଆଲୋଚନା ହେବ I ୨୦୧୯ ମସିହାରେ ୮ ଲୋକସଭା ଆସନରେ ବିଜେପି ଜିତିଥିଲା I ଏବେ ୨୪ରେ ଭଲ ରେଜଲ୍ଟ ପାଇଁ ଶୀର୍ଷ ନେତୃତ୍ୱଙ୍କ ଫୋକସରେ ଓଡ଼ିଶାକୁ ରଖାଯାଉଛି ବୋଲି କୁହାଯାଉଥିବା ବେଳେ ମୋଦିଙ୍କ ଅନ୍ତରଙ୍ଗ ବନ୍ଧୁ ନବୀନ ବି କଣ କରୁଛନ୍ତି ସେକଥା ମୋଦିଙ୍କ ଉପରେ ନିର୍ଭର କରେ । କାହିଁକି ନା ମୋଦି ଯାହାକହିବେ ଆଜିଯାଏ ନବୀନ ତାହା ମାନି ଆସିଛନ୍ତି I ତେଣୁ ମୋଦିଙ୍କ ଉପରେ ରହିଲା ଓଡିଶା କଥା I ରଣନୀତିର ଏଠି କିଛି କାମନାହିଁ I ତଥାପି ଓଡ଼ିଶାରୁ ୨୧ରୁ ୨୧ ଆସନ ଦଖଲ କରିବୁ, ଏହା ସହ ଓଡ଼ିଶାରେ ସ୍ଥିର ସରକାର ଗଠନ କରିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ତେବେ ମନମୋହନଙ୍କ ଏହି ଦାବିକୁ ସମାଲଚନା କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି କହିଛି ଗୌହାଟୀ କି ଦିଲ୍ଲୀର କୌଣସି ଷ୍ଟ୍ରାଟେଜି ଓଡ଼ିଶାରେ କାମ ଦେବନି। କଂଗ୍ରେସ କହିଛି, ବିଜେଡି ସହ ବିଜେପି ମିଶିକି ଥିବାରୁ ଏଠି ଫ୍ରେଣ୍ଡଲି ଫାଇଟ ହେବ।୨୦୨୪ ନିର୍ବାଚନରେ କେନ୍ଦ୍ରରେ ହାଟ୍ରିକ୍‌ ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି ବିଜେପି। ଦେଶକୁ ୩ଟି ଜୋନରେ ବିଭକ୍ତ କରି ୬, ୭ ଓ ୮ ତାରିଖରେ ବୈଠକ କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବ ଦଳ। ୬ରେ ଓଡ଼ିଶା ସହ ୧୨ ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଯୋଗଦେବେ। ପୂର୍ବ ଭାରତର ୧୪୨ ଲୋକସଭା ସିଟ ଥିବା ବେଳେ ତା ମଧ୍ୟରୁ ବିଜେପି ପାଖରେ ରହିଛି ମାତ୍ର ୬୮ଟି ଆସନ। ବଡ ବଡ ରାଜ୍ୟ ଯେମିତି କି ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର ଓ ଝାଡଖଣ୍ଡରେ କ୍ଷମତାରେ ନାହିଁ ଦଳ। ଯେଉଁଠି ରହିଛି ୧୧୭ ଲୋକସଭା ଆସନ। ତେଣୁ ସେଠି କେମିତି ଅଧିକରୁ ଅଧିକ ସିଟ ମିଳିବ ସେ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ ହେବ।ଗୌହାଟୀ ରଣନୀତି ଚୂଡାନ୍ତ ପରେ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ଦଳ ପ୍ରସ୍ତୁତ ରହିଛି। ଗତ ସପ୍ତାହରେ ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଅଗକୁ ବିଜେପିର ହେଭିୱେଟ ମୋଦି ଓ ଶାହା ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ହେଲେ କଣ ହେବ ମୋଦିଙ୍କ ଜିଗର ଦୋସ୍ତ ନବୀନ ବାବୁ ତ ଏଠି ମୂଖ୍ୟମନ୍ତ୍ରୀ I ତାଙ୍କର ଦମଦମା ଅକ୍ଷୁର୍ଣ ରହିଛି I ତାଙ୍କୁ ହଟାଇବା କଣ ଏତେ ସହଜ ?

ରିପୋର୍ଟ : ହାଇକୋର୍ଟ ଆଡ଼ଭୋକେଟ ସୁଧୀର ପଟ୍ଟନାୟକ