”ମୋ ଶହିଦ ବୀର ଜବାନ୍ ପୁତ୍ର କୁ ପଦେ”

କେତେ ଭାବିବିରେ ବାବୁନା ତୋ କଥା
ଭାବି ଭାବି ଦିନ ସରୁ ନାହିଁ,
କାନ୍ଦିକାନ୍ଦି ବୋହୁ ନାତିଙ୍କର ଆଖି ଫୁଲିଲାଣି
ଦୁହେଁ ପଲଙ୍କେ ପଡିଛନ୍ତି ନିସ୍ତେଜ ହୋଇ।୧।
ଅଶ୍ରୁ ଜଳରେ ମୁହଁ ଧୋଇ ଧୋଇ
ମୁହଁ ମୋର ଶେତା ପଡିଲାଣି,
ଏବେ ଅନ୍ଧାର ଭିତରେ ଜୀବନ ବିତିବ
କେତେ ବିପଦ ଆପଦ ଦୁଆରେ ମୋ ଜଗିଲେଣି।୨।
କାଶ ଥଣ୍ଡା ଜ୍ବର ଟିକେ ତୋତେ ହେଲେ
ବିତି ଜାଏ ରାତ୍ରି ଅନିଦ୍ରା ଅନିଦ୍ରାରେ,
ଭିକ୍ସ ଆଣି ତୋର ଛାତିରେ ଘସିଲେ
ତୁ ଶୋଇ ପଡୁ ଟିକେ କେତେ ଶାନ୍ତିରେ।୩।
ଏବେ କେମିତି ଗୋଳାବାରୁଦ ଓ ବନ୍ଧୁକ ଭିତରେ
ଜୀବନଟା ତୋର ଅଟକି ଗଲା?
ମୋ ପଣତ କାନୀରେ ଜୀବନକୁ ତୋର ବାନ୍ଧିବିବୋଲି
ତୋ ଜୀବନଟା ଆଉ ମୋତେ ଧରା ନ ଦେଲା।୪।
ଗୋଳାବାରୁଦ ଓ ବନ୍ଧୁୁକ ଭିତରେ
ଜୀବନକୁ ତୋର ମିଶାଇ ଦେଲୁ,
ଲୁହର ନଦୀରେ ତୋ ବୋଉର ପଣତ କାନୀକୁ
ଭିଜାଇ ଦେଇ ଶରଗ ପୂରକୁ ଚାଲି ଗଲୁ।୫।
କୁଁଆଁ କୁଁଆଁ ଶବଦ କରି ଯେବେ
ମୋ ଗରଭ ଭିତରୁ ବାହାରି ଥିଲୁ,
ସେ ଦିନ ବ୍ରହ୍ମାଣ୍ଡଯାକର ଶୁଖ ଶାନ୍ତି
ମୋ ପଣତରେ ଅଜାଡି ତୁ ଦାଇ ଥିଲୁ।୬।
ସେଇ ପଣତ କାନୀରେ ଗୁଡାଇ ତୋତେ କୋଳରେଧରି
ତୋ କଅଁଳ ଗାଲରେ ଗେଲ କେତେ ଦେଉଥିଲି।
ଭୋକଶୋଷ ସବୁ ଭୂଲିଯାଇ ମୋର ତୋ କଅଁଳ
ବଦନ ଆଁଉଁସି ଦେଇ କେତେ ତୃପ୍ତି ଲଭୁ ଥିଲି।୭।
ମୁଁ ପାଖେ ଥିଲେ ସେ ନିର୍ଦୟୀ ଆତଙ୍କି ମୋ ପଣତରୁ
ତୋତେ ଛଡାଇ ନେଇ ପାରି ନ ଥା’ନ୍ତା,
ଗୋଳାବାରୁଦ ଓ ବନ୍ଧୁକ ତାଡନାରେ
ତୋ ଶରୀର ଏତେ କଷ୍ଟ ପାଇ ନ ଥା’ନ୍ତା।୮।
ଗୋଳାବାରୁଦ ଓ ପାଁଉଁଶ ଭିତରୁ ତୋ ଅମୂଲ୍ୟ ଜୀବନ
ଉଣ୍ଡାଳି ଉଣ୍ଡାଳି ଖୋଜି ବୁଲୁଛି,
ଆ’ ରେ ଧନ ମୋ ପଣତ କାନୀକୁ
ତୋତେ ବିକଳ ହୋଇ ମୁଁ କେତେ ଡାକୁଛି।୯।
ଏକ ଶୂନ୍ୟତା ଭିତରେ ମୋର ଓ ବୋହୁ ନାତିର
ଜୀବନ ବିତିବିତି ଯାଉଛି,
ବାପାବାପା ବୋଲି ନାତି ଡାକିଡାକି
ଏଠି ସେଠି ସେ ହାଲିଆ ହୋଇ ପଡୁଛି।୧୦।
ନାତି ବୋହୁଙ୍କର ବୁକୁଫଟା କ୍ରନ୍ଦନରେ
ହୃଦୟ ମୋ ଫାଟି ଯାଉଛି,
କିଏସେ ପୂରଣ କରିବ ତୋ’ଅନୁପସ୍ଥିତିର ଅଭାବକୁ
ଭାବିଲେ ନୟନୁ ଲୁହ ଧାରଧାର ଝରୁଛି।୧୧।
ବୋହୁର ଝୁମୁଝୁମୁ ପାଉଁଜୀ ଶବଦ
ଆଉ କାନେ ମୋର ଶୁଭୁ ନାହିଁ,
ତା ମୁଣ୍ଡରୁ ଓଢଣା ଖସି ତଳେ ପଡୁଛି
ତାକୁ ଉଠାଇବାକୁ ମୋର ବଳ ଆଉ ପାଉ ନାହିଁ।୧୧
ବୋହୁର ଧୋବ ଫରଫର ଶାଢୀ,ତୋର ଛିଟବସ୍ତ୍ର ଓ
ଟୋପି ପିନ୍ଧା ତଥା ହାତରେ ବନ୍ଧୁକ
ଆଖିରେ ମୋ ନାଚି ଯାଉଛି,
ତୋର ବୋଉ ଡାକର ସେ ମଧୁର ସ୍ବରକୁ
ମୁଁ ଡହଳ ବିକଳ ହୋଇ ଖୋଜି ବୁଲୁଛି।୧୨।
ବୋହୁର ଶୂନ୍ୟ କପାଳ ଶଙ୍କେତ ଦେଉଛି
ଭବିଷ୍ୟତର ସବୁ ଦୁଃଖ ଯାତନାକୁ,
ବୋହୁ ହାତର ଚୂଡୀ କଙ୍କଣର ଶବଦ ଗଲାଣି ଯାଇ
ମଶାଣିରେ ଜଳୁଥୀବା ତୋର ଜୁଈ ନିଆଁକୁ।୧୩।
ବୋହୁର ସରୁ ପାଦର ସେ ଅଳତା ଗାର
ଆଉ କ’ଣ ଦେଖି ପାରିବି?
ବୋହୁର ଦୀର୍ଘ କୁଞ୍ଚିତ ଘନ କେଶର ବେଣୀକୁ
ଫୁଲରେ କ’ଣ ଆଉ ସଜାଇ ପାରିବି?।୧୪।
ତୁ ଶରଗକୁ ଯିବା ପୂର୍ବରୁ ଥରେ
ବୋଉ ଡାକ ଟିକେ ଛାଡିଲୁ ନାହିଁ,
କି ଦୋଷ ତୋର ମୁଁ କରି ଥିଲି ଧନ
ଏତେ ଅଭିମାନ କଲୁ କାହିଁ ପାଇଁ?।୧୫।
ଧନରେ,ଶରଗକୁ ଏକ ଶିଢି ବାନ୍ଧିମୁଁ ଦେଉଛି
ପାହାଚ ପାହାଚ ଓହ୍ଲାଇ ଆସିଯାରେ ମୋ କୋଳକୁ
ଲକ୍ଷେ କୋଟି ଚୂମ୍ବନଦେଇ ତୋ ଗାଲରେ
ମୋ ପଣତରେ ବାନ୍ଧି ରଖିବି ତୋ ବଦନକୁ।୧୬।
ମୋ ପଣତରେ କୌଣଷି ଆତଙ୍କବାଦୀର ପ୍ରବେଶ
ହେବାକୁ ସାହାସ ଆଉ ମୁଁ ଦେବି ନାହିଁ,
ଏଇ ପଣତ ଭିତରେ ତୁ ମୋର ସାଥି,ମୁଁ ତୋର ସାଥି
ହୋଇ ରହିବା ଚିର ଦିନ ପାଇହ।୧୭।
ତୋତେ ତୋ ବୋଉ,ସ୍ତ୍ରୀ ଓ ନାତିର
ଅଜସ୍ର,ଅଜସ୍ର ରାଣ ରହିଲା,
ଫେରିଆ ଫେରିଆ ଧନରେ ମୋର

ଏ ବାୟାଣୀ ବୋଉ ତୋ ବାଟକୁ ଚାହିଁ ରହିଲା।୧୮।
ମୋ ଦୁଃଖ ପାଶୋରା, ମୋ ନୟନ ତାରା
ମୋ ହୃଦୟର ସ୍ନେହ ମମତା ଧାରା,
ଫେରିଆ ଫେରିଆ ଧନରେ ମୋର
ମୋ ହୃଦ କବାଟ ବିକଳରେ ତୋତେ ଚାହିଁଛି ପରା।୧୯
ପ୍ରଭୁଙ୍କପାଖେ ପ୍ରାର୍ଥନା କରୁଛି,ଉଚ୍ଚ ଶିକ୍ଷା ଦେଇ
ନାତିକୁ ମୋର ପୋଲିଶ ଅଫିଶର କରାଇବି,
ଆତଙ୍କବାଦୀ ସହ ନାତିକୁ ଲଢାଇ
ତୋ ଦୟନୀୟ ମୃତ୍ୟୁର ପ୍ରତିଶୋଧ ନେବି।୨୦।
ଆତଙ୍କବାଦୀ ପ୍ରତି ତୋ ବୋଉର ଅଭିଶାପ କେବେ
ବିଫଳ ହେବନି ଧନରେ ମୋର,
ଗୋଳାବାରୁଦ ଓ ବନ୍ଧୁକ ଚୋଟରେ ଆତଙ୍କବାଦୀଙ୍କୁ
ଧରାଶାୟୀ କରିବ ମୋ ହୃଦୟମାଳି ନାତିଟି ମୋର।
ପ୍ରଭୁଙ୍କ ପାଖେ ଆଜି ଏତିକି ଶପଥ ମୋର,
ପ୍ରଭୁଙ୍କ ପାଖେ ଆଜି ଏତିକି ଶପଥ ମୋର,
ପ୍ରଭୁଙ୍କ ପାଖେ ଆଜି ଏତିକି ଶପଥ ମୋର।୨୧।

କବିତା ଲେଖକ : ମାନସୀ ବେହୁରା।(ମାନସୀମାନୀଜାହ୍ନବୀଜାନୁ)