ମୋ ମନ୍ତ୍ରୀପଦ ଯିବା ପଛରେ ମହାରଥୀ !

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପକାଇଛନ୍ତି ଅଡ଼ୁଆରେ।

ଭୁବନେଶ୍ଵର  :ମନ୍ତ୍ରିମଣ୍ଡଳରୁ ଯିବା ପରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜ ଦଳର ନେତାଙ୍କୁ ବାଣ ମାରି ଚାଲିଛନ୍ତି। ବିଗତ ଦିନରେ ସେ ବିଜେଡିର କିଛି ଯୁବ ନେତାଙ୍କୁ ନିଶାନା କରିବା ପରେ ଗତ ଦୁଇ ଦିନ ହେଲା ଦାମ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରୁଛନ୍ତି।ବୁଧବାର ଦିନ ଦାମ ଚାରା ଘୋଟାଲାକୁ ନେଇ ମହାରଥୀଙ୍କ ଉପରେ ବର୍ଷିଥିବା ବେଳେ ଆଜି ଓମ୍‌ଫେଡ୍ ଦୁର୍ନୀତିକୁ ନେଇ ବର୍ଷିଛନ୍ତି। ଏହାର ଜବାବ ମଧ୍ୟ ମହାରଥୀ ଦେଇଛନ୍ତି। ଫଳରେ ବର୍ତ୍ତମାନର କୃଷି ମନ୍ତ୍ରୀ ଏବଂ ପୂର୍ବତନ କୃଷିମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି।“ଚାରା ଦୁର୍ନୀତିରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବିତ କରିବାରୁ ମୋ’ ମନ୍ତ୍ରୀପଦ ଗଲା। ଏବେ ସେ ଅଫିସର ଚାକିରିରେ ପୁନଃ ନିଯୁକ୍ତି ପାଇଛନ୍ତି। କିନ୍ତୁ ମହାରଥୀ କହୁଛନ୍ତି ମୋ ମନ୍ତ୍ରୀପଦ ଅନ୍ୟ କିଛି କାରଣ ପାଇଁ ଯାଇଛି। ମନ୍ତ୍ରିପଦ ଯିବାରେ ମହାରଥୀ ବି ଭାଗିଦାର”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଚାରା ଦୁର୍ନୀତି ପରେ ଆଜି ଦାମ ମହାରଥୀଙ୍କୁ ଓମ୍‌ଫେଡ୍ ଦୁର୍ନୀତି ସହ ଯୋଡ଼ିଛନ୍ତି। ମହାରଥୀଙ୍କ ଅମଳରେ ବ୍ୟାପକ ଦୁର୍ନୀତି ହୋଇଥିବା ଦାମ ଅଭିଯୋଗ କରିଛନ୍ତି।ଦାମ କହିଛନ୍ତି ଯେ ଓମ୍‌ଫେଡ୍ ମିଲ୍କ ପାଉଚ ପଲିଥିନ କିଣାରେ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ତତ୍କାଳୀନ ଓମଫେଡ୍ ଏମ୍‌ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। ସରକାର ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁର୍ନୀତି ମହାରଥୀଙ୍କ ଅମଳରେ ହିଁ ହୋଇଛି।ପ୍ରଦୀପ ମହାରଥୀ କହିଛନ୍ତି, “ମୁଁ କାହିଁକି ତାଙ୍କ ମନ୍ତ୍ରୀପଦ ଯିବା ପଛରେ ଭାଗିଦାରୀ ହେବି? ଦାମ ବାବୁ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କିଛି ସତ୍ୟତା ନାହିଁ। ଓମ୍‌ଫେଡ୍ ହେଉଛି ସ୍ୱୟଂଚାଳିତ ସଂସ୍ଥା। ସେମାନେ ନିଜ ନିଷ୍ପତ୍ତି ନିଜେ ନେଇଥାନ୍ତି। ଯଦି କିଛି ଦୁର୍ନୀତି ହୋଇଥିବ ମୁଁ ଏହାର ତର୍ଜମା କରିବି।”