ମୋ ବାପା ମୋ ଘର…

ଚେନ୍ନାଇରୁ ଆସିଥିବା ସ୍ପେସାଲ୍ ଟ୍ରେନରୁ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଲା ସୋମନାଥ । ସାଥିରେ ସ୍ତ୍ରୀ ସୁଷମା ଏବଂ ଚାରି ବର୍ଷର ଝିଅ ସୁତପା । ତିନି ଜଣଙ୍କର ମୁହଁରେ ତୁଣ୍ଡି(ମାସ୍କ) । ଝିଅ ବାରମ୍ବାର ତୁଣ୍ଡି ବାହାର କରି ଫିଙ୍ଗି ଦେଉଛି… ଖାଇବାକୁ ଦେ ବୋଲି ପାଟି କରୁଚି । ସୁଷମା ବାରମ୍ବାର ତା ମୁହଁରେ ମାସ୍କ ଆଣି ଲଗାଉଚି…ଛୋଟ ପିଲା କଣ ବୁଝୁବ ସେ କୋରୋନା ସାବଧାନତା ବିଷୟରେ ? ପେଟରେ ତାର ଭୋକ…ତାକୁ ଖାଦ୍ୟ ଦରକାର । ମାସ୍କ ନଫିଙ୍ଗିବାକୁ କହି ବିରକ୍ତ ହୋଇ ସୁଷମା ଚାରୋଟି ଉତ୍ତମ ମଧ୍ୟମ ଛେଚି ଦେଇଛି ତା ପିଠିରେ । ସୁତପାର ଭେଁ ଭେଁ ରଡିରେ ପ୍ଳାଟଫର୍ମ କମ୍ପି ଉଠିଛି ।ବିରକ୍ତ ହୋଇ ସୋମନାଥ କହିଲା…କଣ ପିଲାଟାକୁ ସମ୍ଭାଳି ପାରୁନ ? କାହିଁକି ରଡୁଚି ସିଏ ? ଭୋକରେ ସୁଷମାର ପେଟ ମଧ୍ୟ ଜଳୁଛି…ଛାଡିଲାନି ସେ । କହିଲା…ହଉ ସମ୍ଭାଳ ତୁମ ପିଲାକୁ । ବାପ ଝିଅ ଦିହିଙ୍କି ଦିହେଁ…ଖାଇଯାଉନ ମତେ । ଖାଇବି ଖାଇବି କହିଲେ କୁଆଡୁ କ’ଣ ଆଣି ଖାଇବାକୁ ଦେବି ତାକୁ ? ସୋମନାଥ କିଛି କହିଲା ନାହିଁ । ଭାବିଲା….ସତକଥା, କାଲି ରାତିରେ ଟ୍ରେନରେ ଯାହା କିଛି ପ୍ୟାକେଟ ଖାଦ୍ୟ ମିଳିଥିଲା । ଆଜି ସକାଳ ଦଶଟା ହେଲାଣି । ତା’ନିଜର ତ ପେଟ ଜଳିଲାଣି, ସୁତପା ତ ଅବୋଧ ଛୁଆ । ଷ୍ଟେସନରେ କିଛି ମାସ୍କଧାରୀ ସ୍ଵେଚ୍ଛାସେବୀ ଖାଦ୍ୟ ପ୍ୟାକେଟ ଧରି ପହଞ୍ଚିଲେ । ତିନୋଟି ପ୍ୟାକେଟ ସେମାନଙ୍କ ହାତରୁ ନେଇ ପ୍ଲାଟଫର୍ମର ସିମେଣ୍ଟ ବେଞ୍ଚ ଉପରେ, ସ୍ତ୍ରୀ ଓ ଝିଅ ସହିତ ବସିଲା ସୋମନାଥ । ପେଟକୁ ଖାଦ୍ୟ ଯିବାପରେ ସୁତପା’ର କାନ୍ଦ ବନ୍ଦ ହେଇଯାଇଛି । ଭାବୁଥିଲା ସୋମନାଥ….ଏହାପରେ କଣ ? କେଉଁ କ୍ଵାରାଣ୍ଟାଇନ୍ ସେଣ୍ଟରକୁ ସେମାନଙ୍କୁ ପଠାଯିବ ଜଣାନାହିଁ । ପାଖରେ କାଣି କଉଡିଟିଏ ବି ନାହିଁ…କପର୍ଦ୍ଦକଶୂନ୍ୟ ସେ । ତା ପରିବାରର ଜୀବନ-ମୃତ୍ୟୂ, ସବୁ ନିର୍ଭର କରେ ଏହି ସ୍ବେଚ୍ଛାସେବୀ କରୋନା ଯୋଦ୍ଧାଙ୍କ ଉପରେ । ପାଖରେ ଠିଆ ହୋଇଥିବା ଜଣେ କରୋନା ଯୋଦ୍ଧାଙ୍କୁ ସୋମନାଥ କାକୁତି ମିନତି ହୋଇ କହିଲା…ମୋ ପରିବାରକୁ ଗୋଟିଏ କ୍ବାରାଣ୍ଟାଇନ ସେଣ୍ଟରରେ ରଖିବ । ନହେଲେ ମତେ ନଦେଖି କାନ୍ଦି କାନ୍ଦି ଛୋଟ ଛୁଆଟା ମୋର ମରିଯିବ । ଏସମୟରେ ଜଣେ ଖାକି ଯୋଦ୍ଧା ହାତରେ ରେଜିଷ୍ଟ୍ରେସନ କାଗଜ ସହିତ ପହଞ୍ଚି ପଚାରିଲେ…. ନାଁ କଣ ତୁମର ? ଘର କେଉଁ ଠାରେ ?ନିଜ ନାଁ କହିବା ପରେ ସୋମନାଥ କହିଲା…ଆଜ୍ଞା, ଗାଁ ସୁଜନପୁର, ବାଘମାରି ଠାରୁ ପାଞ୍ଚ କିଲୋମିଟର ଦୂର….ମଫସଲ ଗାଁ । ଖାକି ବାବୁ କହିଲେ… ତାହେଲେ ତମକୁ ଖୋର୍ଦ୍ଧାରେ କ୍ଵାରାଣ୍ଟାଇନ୍ ସେଣ୍ଟରରେ ରହିବାପାଇଁ ପଡ଼ିବ । ଚାଲ, ବାହାରେ ଗାଡିରେ ବସ । ନିର୍ଦ୍ଦିଷ୍ଟ ବସରେ ନବସି କୁଆଡେ ଏଣେ ତେଣେ ଯିବ ତ ପିଚାରେ ପାହାର ବସିବ । କ୍ବାରାଣ୍ଟାଇନ ସେଣ୍ଟରରେ ସୋମନାଥ ଏବଂ ତା ପରିବାରକୁ ଗୋଟିଏ ସ୍ୱତନ୍ତ୍ର କୋଠରୀ ମିଳିଲା । ଦି’ପହର ଖିଆପିଆ ପରେ ସୋମନାଥ ବିଶ୍ରାମ ନେଉ ନେଉ ସୁଷମାଙ୍କୁ କହିଲା… ଭବିଷ୍ୟତ ଆମର ଅନ୍ଧକାର ମୟ ସୁଷମା, ଏବେ କ’ଣ କରିବା ? ସୁଷମା କହିଲା…ଯାହା ହେଇଯାଉ ପଛେ ମୁଁ ତୁମ ଘରକୁ ଆଉ ଯିବି ନାହିଁ । ସେ ମାଟି ମାଡିବି ନାହିଁ ବୋଲି ଶପଥକରି ମୁଁ ଗାଁ ଛାଡିଥିଲେ, ନିଜ ଛେପ ପୁଣି ଥରେ ଗିଳିବି କିପରି ? କିଛି କହିଲାନି ସୋମନାଥ।ମନେ ପଡ଼ିଲା ତାର ତିନିବର୍ଷ ତଳର କଥା । ଶାଶୁ ବୋହୂଙ୍କ ଝଗଡ଼ା ପରଠାରୁ ସ୍ତ୍ରୀ ଓ ବର୍ଷକର ଝିଅକୁ ଧରି ଗାଁ ଛାଡିଥିଲା ସୋମନାଥ ଯେ ଏଇ ପ୍ରଥମ ଥର ପାଇଁ ଫେରୁଛି । ଝଗଡାର ଚିତ୍ର ଜଳ ହେଇ ଆଖି ଆଗରେ ଭାସିଗଲା ସୋମନାଥର । ଘରେ ରହନ୍ତି ତାର ବୁଢ଼ା ବାପା, ବୋଉ ଏବଂ ସାନଭାଇ ଜଡା-ବେଡା(ଖନା ଓ କାଲା) ବଦ୍ରିନାଥ । ବାପା ଅବସର ପ୍ରାପ୍ତ ସରକାରୀ ସ୍କୁଲ୍ ପିଅନ । ପେନସନ ପାଆନ୍ତି ଆଠ ଦଶ ହଜାର । ଆଇଟି ଆଇ ପାଶ କଲାପରେ ସୋମନାଥ ଆଖପାଖ ଗାଁରେ ଟିଭି ମରାମତି କରି ନିଜର ଗୁଜୁରାଣ ମେଣ୍ଟାଉଥିଲା । ଏହା ଭିତରେ ତା’ର ପ୍ରେମ ହୋଇଥିଲା ଗାଁ ସରପଞ୍ଚଙ୍କ ଝିଅ ସୁଷମା ସହିତ । ବାହାଘର ପରେ ସଂସାରକୁ ଆସେ କୁନି ଝିଅ ସୁତପା । ଝିଅ ଜନ୍ମ ହେବାପରେ ଖର୍ଚ୍ଚ ବଢେ… ଟିଭି ମରାମତିରୁ ମିଳୁଥିବା ରୋଜଗାର ଯଥେଷ୍ଟ ହୁଏ ନାହିଁ । ଆରମ୍ଭ ହୁଏ ସୁଷମାର ଅଭିଯୋଗ…ବାପା ତାଙ୍କ ପେନସନରୁ ଅଧା କାହିଁକି ଦେବେ ନାହିଁ ? ବଦ୍ରିନାଥ ତ ବେକାର,ସେ କାହିଁକି ବିନା ରୋଜଗାରରେ ଗିଳିବ ? ଇତ୍ୟାଦି.. ସୋମନାଥ କହିଥିଲା…ବାପାଙ୍କ ପେନସନରେ ଆମର କି ଅଧିକାର ଅଛି ?.. ତାଙ୍କ ରୋଜଗାର ତାଙ୍କର । କିନ୍ତୁ ଯେତେ ବୁଝାଇଲେ ମଧ୍ୟ ବୁଝିଲା ନାହିଁ ସୁଷମା । ଏକଥା ବୋଉ କାନରେ ପଡ଼ିବାପରେ ଶାଶୁ ବୋହୂଙ୍କ ଭିତରେ ତୁମୁଳ କାଣ୍ଡ । ସୁଷମାର ବାପଘର ମଧ୍ୟ ନିଆଁରେ ଘିଅ ଢାଳିଲେ । ଶେଷରେ ସୁଷମାର ଏକା ଯିଦ୍ ସେ ଘରେ ରହିବ ନାହିଁ । ବାପାଙ୍କ କାନକୁ ଏକଥା ଗଲା । ବାପା କହିଲେ…ଏଇ ସାମାନ୍ୟ କଥାକୁ ଏତେ ମୁହଁ ଫୁଲାଫୁଲି ? ଆଜିଠାରୁ ମୋ ଏଟିଏମ୍ ସୋମନାଥ ହାତରେ।ମନ ଖୁସି ତ ବୋହୂ ? କିନ୍ତୁ ଶାଶୁ-ବୋହୂ ଝଗଡ଼ା ପରେ ସୁଷମା ଏପ୍ରକାର ଯୁଦ୍ଧବିରାମ ପାଇଁ ରାଜି ନଥିଲା । ଯିଦ୍ କରି ସେ ବାପ ଘରକୁ ଚାଲିଗଲା । ଯୋଗକୁ ସେତେବେଳେ ଚେନ୍ନାଇରେ ଗୋଟିଏ କମ୍ପାନୀରେ ସୋମନାଥକୁ ଚାକିରିଟିଏ ମିଳଗଲା । ସେ ସମୟରୁ ସୁଷମା ତା ସହିତ ଗାଁ ଛାଡିଥିଲା ଯେ ଆଜି ହିଁ ଫେରୁଛି । ସୋମନାଥର ଭାବନାରେ ବାଧାଦେଇ ସୁଷମା କହିଲା… କ୍ଵାରାଣ୍ଟାଇନ ପରେ ମୁଁ ଝିଅକୁ ନେଇ ଆମ ଘରକୁ ଯିବି, ତମେ ତମ ଘରକୁ । ସୋମନାଥ ରାଗିବ କି ହସିବ ଜାଣି ପାରିଲାନି, କହିଲା… କରୋନା ସିନା ମୋର ଚାକିରି ଖାଇଗଲା, ତମେ ତ ମୋର ସମ୍ପର୍କ ଖାଇ ଯାଇଚ । କେଉଁ ମୁହଁରେ ମୁଁ ଘରକୁ ଯିବି ?ଚାଲ ବିଷ ଟିକିଏ ଟିକିଏ ଖାଇଦେବା, ସବୁଦିନ ପାଇଁ ଶାନ୍ତି ମିଳିଯିବ । ଏଥର ଭୀଷଣ ରାଗିଗଲା ସୁଷମା । କହିଲା…ସବୁ ତ ମୋରି ଦୋଷ । ସେ ଯା’ହେଉ ମୁଁ ତୁମଭଳି ପଳାତକ ନୁହେଁ ଯେ ବିଷ ଖାଇବା କଥା ଚିନ୍ତା କରିବି । ମୋ ବାପା ଭାଇ ମତେ ଜୀବନ ସାରା ପୋଷି ପାରିବେ । ତମେ ତମ କଥା ଚିନ୍ତା କର । ସୋମନାଥ କିଛି କହିଲା ନାହିଁ । ଭାବିଲା…..ଏହି ତଥାକଥିତ ଅର୍ଦ୍ଧାଙ୍ଗିନୀଟି ଯଦି ମନର ସଙ୍କୀର୍ଣ୍ଣତାକୁ ଟିକିଏ ଦୂରେଇ ଦେଇ ସହଯୋଗ କରିଥାନ୍ତା ତାହେଲେ ତାକୁ ସୁଦୂର ଚେନାଇଯାଇ ଏତେ ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା । ଶାଗପେଜ ଖାଇ, ଗାଁ ରେ ଜମି ଚାରିମାଣ ଚାଷକରି,ତାସାଙ୍ଗକୁ ବୈଷୟିକ ଜ୍ଞାନପ୍ରାପ୍ତ କାମରୁ କିଛି ରୋଜଗାର କରି ବାପା-ମାଆଙ୍କ ସେବାରେ ଆନନ୍ଦରେ ରହିପାରିଥାନ୍ତା । ଚେନ୍ନାଇ ଯିବା ସମୟରେ ବାପା କେତେ କାନ୍ଦି ଛନ୍ତି । ବର୍ଷକର ନାତୁଣୀ ସୁତପାକୁ କୋଳରେ ଜାକିଧରି କେତେ ଲୁହ ଝରାଇ ଛନ୍ତି ସେ । କହିଛନ୍ତି….ବାବାରେ, ଚେନ୍ନାଇରେ ପଚାଶ ହଜାର ରୋଜଗାର ଗାଁର ପାଞ୍ଚ ହଜାର ସହିତ ସମାନ । ଶାଗ ଭାତ ଖାଇ ଖୁସିରେ ଏଠାରେ ରହ ।ବୋହୂକୁ ବୁଝା । ବଡ଼ ପୁଅ ତୁ ମୋର।ଆମର ଏ ବାର୍ଦ୍ଧକ୍ୟ ବେଳେ ତୁ ଆମକୁ ଛାଡ଼ିଦେଇ ଯିବା କଣ ଠିକ୍ ହେବ ? ସୁଷମାକୁ କିନ୍ତୁ ବୁଝାଇ ପାରିନାହିଁ ସୋମନାଥ । ଏକ ଆଜ୍ଞାଧୀନ ସ୍ତ୍ର୍ରୈଣ ଭଳି ସେ ସ୍ତ୍ରୀ ସହିତ ଚାଲିଯାଇଛି । ଆଜି କରୋନା ମାଧ୍ୟମରେ ଭଗବାନ ତାକୁ ସମ୍ପର୍କର ମହତ୍ଵ ବିଷୟରେ ଚେତାଇ ଦେଇଛନ୍ତି । ଚଉଦ ଦିନର କ୍ଵାରାଣ୍ଟାଇନ୍ ଚଉଦ ବର୍ଷ ଭଳି ଲାଗିଛି ତାକୁ । ଚଉଦ ଦିନ ପରେ ସୁଷମାକୁ ତା ବାପଘରେ ଛାଡ଼ିବା ପାଇଁ ଯାଇଛି ସୋମନାଥ । ସେମାନଙ୍କୁ ଘରେ ପୁରେଇ ନାହାଁନ୍ତି ଶଶୁର ଘର ଲୋକ । ଶଶୁର ଏବଂ ଶଳା କହିଛନ୍ତି… ଚେନ୍ନାଇରୁ ଆସିଛ, ତୁମ ମାନଙ୍କ ଦେହରେ କୋରୋନା ଥିବ ।ପାହାଚ ତଳେ ରହ । କ୍ଵାରାଣ୍ଟାଇନ ହୋଇଛି ଶୁଣି ଶାଶୁ କହିଛନ୍ତି…କି ଛେନା ଗୁଡ ସିଏ ମୁଁ ଜାଣିନି, ତୁ ତୋ ଶାଶୁଘରକୁ ଯାଆଲୋ ମା । ବେଳା ଖରାପ । କୁଆଡୁ କି ରୋଗ ନେଇକି ଆସିଥିବ କିଏ ଜାଣେ ଲୋ ମା । ଶାଶୁଘର ଯା । ବାହାଘର ପରେ ସେଇ ହିଁ ତୋର ଘର।ସୁଷମାର ଆଖିରୁ ଦିଟୋପା ଲୁହ ଝରି ଯାଇଛି । ସ୍ତ୍ରୀ ଓ ଝିଅକୁ ଧରି ସୋମନାଥ ନିଜ ଘର ମୁହାଁ ହୋଇଛି । ଦୂରରୁ ଦେଖି ବେଡା ବଦ୍ରିନାଥ ଦଉଡ଼ି ଆସି ଗୋଡ଼ ତଳେ ପଡ଼ିଯାଇଛି । ପାଖରୁ ଝିଅକୁ ଭିଡ଼ିନେଇ ଚୁମା ଉପରେ ଚୁମା ଦେଇ ଚାଲିଛି । ବାପା ସୋମନାଥକୁ କୁଣ୍ଢେଇ ପକେଇଛନ୍ତି; ବୋଉ ସୁଷମାକୁ କୋଳେଇ ନେଇ କପାଳରେ ଚୁମା ଆଙ୍କି ଦେଇ କହିଛି…ପାଗେଳୀଟା କେମିତି ଏତେ ଦିନ ଅଲଗା ହେଇ ରହିଲୁ ? ଆଉ କୁଆଡେ ଛାଡିବିନି ତତେ।ସୁଷମା ଆଖିରୁ ଧାରଧାର ଲୁହ ବୋହିଯାଉଛି….ଅନୁତାପର ଅଶ୍ରୁ…. କଇଁ କଇଁ ହୋଇ କାନ୍ଦୁଛି ସୁଷମା । କହିଛି…. ନାଁ ବୋଉ ମୁଁ ତୁମକୁ ଛାଡି ଆଉ କୁଆଡେ ଯିବି ନାହିଁ।ତୁମ ପାଖରେ ସବୁଦିନ ପାଇଁ ରହିବାକୁ ଆସିଛି।ପର କିଏ ଆପଣା କିଏ ଆଜି ମୁଁ ଠିକ୍ ଚିହ୍ନି ପାରିଛି ବୋଉ ।

ଲେଖକ – ଦାମୋଦର ପାଢ଼ୀ (ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ଲୋକ ସମ୍ପର୍କ ବିଭାଗ)