ମେକ୍ସିକୋରୁ ଅନ୍ତଃରାଷ୍ଟ୍ରୀୟ ସ୍କଲାରସିପ ପାଇଲେ ଡ଼ା. ସୁନୀଲ କୋଟା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ଭାରତ ବର୍ଷ ତଥା ସମଗ୍ର ବିଶ୍ୱରେ ମେଦ ବହୁଳ ଵ୍ୟାପକ ଭାବରେ ବଢି ଚାଲିଛି । ବିଶ୍ୱରେ ୧୯୦ କୋଟି ବୟସ୍କ ବ୍ୟକ୍ତି ଅଧିକ ଓଜନ ତଥା ୬୫ କୋଟି ଲୋକ ମେଦ ବହୁଳତାରେ ଆକ୍ରାନ୍ତ ହୋଇଥାନ୍ତି । ସେଭଳି ଭାରତ ବର୍ଷରେ ୧୪ କୋଟିରୁ ଅଧିକ ଲୋକେ ମେଦ ବହୁଳତାର ଶିକାର ହୋଇଥାନ୍ତି । ଚିନ୍ତାଜନକ ଭାବେ ଅଧୁନା ବାଲ୍ୟାବସ୍ଥାରେ ମେଦ ବହୁଳତାର ମାତ୍ର ବୃଦ୍ଧି ଘଟୁଥିବା ଯୋଗୁଁ ଜୀବନଶୈଳୀ ଅବ୍ୟବସ୍ଥା ଜନିତ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ ଆଦି ଅଳ୍ପ ବୟସରେ ଦେଖାଯାଉଛି । ଏହି ବଢୁଥିବା ସମସ୍ୟାର ସମାଧାନ ପାଇଁ ଲଣ୍ଡନ ସ୍ଥିତ ବିଶ୍ୱ ମେଦବହୁଳତା ମହାସଂଘ ଦ୍ୱାରା ପ୍ରତ୍ୟେକ ବର୍ଷ ସ୍କୋପ ସମ୍ମିଳନୀ ଆୟୋଜିତ ହୋଇଥାଏ । ଏହି ବର୍ଷ ସ୍କୋପ ସମ୍ମିଳନୀ ୨୬ ସେପ୍ଟେମ୍ବର ୨୦୦୯ରେ ମେକ୍ସିକୋ ସହରରେ ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ବିଶ୍ୱରୁ ଡାକ୍ତରଗଣ ଏଥିରେ ଯୋଗ ଦେଇ ମେଦବହୁଳତାର କାରଣ, ଜଟିଳତା, ନିରୂପଣର ନୂତନ ପଦ୍ଧତି ଯଥା ଜେନେଟିକ୍ସ ଏବଂ ନୂତନ ଚିକିତ୍ସା ଶୈଳୀ ବିଷୟରେ ଅବଗତ ହୋଇଥାନ୍ତି । ଏହି ବର୍ଷ ବ୍ରହ୍ମପୁର ସ୍ଥିତ ଡାଇବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟା ସମ୍ମାନସ୍ପଦ ସ୍କଲାରସିପରେ ପୁରସ୍କୃତ ହେବା ସହ ମେସ୍କିକୋକୁ ଆମନ୍ତ୍ରିତ ହୋଇଛନ୍ତି । ଡା. ସୁନୀଲ କୋଟାଙ୍କ ଦ୍ୱାରା ମେଦବହୁଳତା ସମ୍ବନ୍ଧୀୟ ୧୦ ବୈଜ୍ଞାନିକ ପ୍ରକାଶନ ଏବଂ ୨ଟି ଅଧ୍ୟାୟ ଲେଖନ ଆଧାରରେ ସେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ମେଦବହୁଳତା ତଥା ତତଜନିତ ମଧୁମେହ ଓ ଉଚ୍ଚ ରକ୍ତଚାପର ଶଲ୍ୟ ଚିକିତ୍ସା ଦ୍ୱାରା ଅଭିନବ ସମାଧାନ ସମ୍ବନ୍ଧୀୟ ଗବେଷଣା ଯୋଗୁଁ ଡା. କୋଟା ନାନା ଜାତୀୟ ତଥା ଅନ୍ତଃର୍ଜାତିୟ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଏହି ସ୍କଲାରସିପ ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ଯାତ୍ରା, ସମ୍ମିଳନୀରେ ପଞ୍ଜିକରଣ ଏବଂ ରହଣି ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ସମଗ୍ର ବିଶ୍ୱରୁ ପ୍ରାୟ ୫୦ଜଣ ଡ଼ାକ୍ତର ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିମଧ୍ୟରୁ ୨୫ ଜଣ ସ୍କୋପ ସ୍କଲାରସିପ ପାଇଛନ୍ତି । ଡା. ସୁନୀଲ କୋଟା ଭାରତ ବର୍ଷର ଏକମାତ୍ର ଡ଼ାକ୍ତର ରୂପେ ଏହି ସ୍କଲାରସିପ ପାଇବା ସହ ମେକ୍ସିକୋରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ନିଜ ଗବେଷଣା ବିଶ୍ୱ ବୃନ୍ଦ ସମ୍ମୁଖରେ ଉପସ୍ଥାପନା କରିବେ । ସମାଜର ନାନା ବର୍ଗର ଲୋକେ ଡା. କୋଟାଙ୍କୁ ଏହି ସ୍କଲାରସିପ ପାଇଁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା