ମୂଲ୍ୟାୟନ ଏକ ଦୃଷ୍ଟିକୋଣ…

ଦୁନିଆର ଯେ କୌଣସି ବସ୍ତୁ, ବିଷୟର ମୂଲ୍ୟାୟନ
ମଣିଷର ନିଜସ୍ୱ ଗ୍ରହଣୀୟତାର ପରିମାପକ ହୋଇଥାଏ !
ମୂଲ୍ୟାୟନ ଆକଳନ କରିବା କ୍ଷମତା ବହିର୍ଭୁତ ମଣିଷ
ଅନ୍ୟ ଉପରେ ନିର୍ଭର, ବିଶ୍ୱାସ କରିବାକୁ ପଡିଥାଏ !!

କୌଣସି ବସ୍ତୁ, ପଦାର୍ଥ ହେଉକି ବିଷୟ, ସେଗୁଡିକର ଉପଯୁକ୍ତ ମୂଲ୍ୟାୟନ କରିବା ନିଜସ୍ୱ କ୍ଷମତା ବହିର୍ଭୁତ ମଣିଷ ଅନ୍ୟ ଉପରେ ନିର୍ଭର, ବିଶ୍ୱାସ କରି ଯାହା ସବୁ ଶିକ୍ଷା କରିଥାଏ ଏବଂ ନିଜ ଗ୍ରହଣୀୟତାରେ ସଂସ୍ଥାପିତ କରି ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ ସେଗୁଡିକ ସମ୍ପୃକ୍ତ ମଣିଷର ବ୍ୟକ୍ତିଗତ ବିଚାରଧାରା ମଧ୍ୟରେ ସୀମିତ । ସମାନ ବିଚାରଧାରା ଅନ୍ୟ ଜଣେ ମଣିଷକୁ ପ୍ରଭାବିତ କରିବାର କୌଣସି ନିଶ୍ଚିତତା ନଥାଏ । କୌଣସି କାରଣରୁ ଏକ ଅଜ୍ଞାତ, ଅଲୌକିକ ବିଷୟର ମୂଲ୍ୟାୟନ କରିବା ସାମୁହିକ କ୍ଷମତା ବହିର୍ଭୁତ ଥାଇ ତାହା ସାମାଜିକ ଗ୍ରହଣୀୟତାରେ ପରିବର୍ତ୍ତନ ହୁଅନ୍ତେ ସମସ୍ତେ ସେଗୁଡିକୁ ବିଚାରଶୂନ୍ୟ ଭାବେ ଗ୍ରହଣ କରିବାକୁ ବାଧ୍ୟ ହୋଇ ନିଜର ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥା’ନ୍ତି । ସେହି ସାମାଜିକ ଗ୍ରହଣୀୟତା ଜନିତ ଦୃଷ୍ଟିଭଙ୍ଗୀ ସମଗ୍ର ସମାଜରେ ପ୍ରକୋପ ବିସ୍ତାର ପୂର୍ବକ ଏକ ପ୍ରଥାରେ ପରିଣତ ହେଉଥିବା ଅସଂଖ୍ୟ ବିଷୟ ଦେଖିବାକୁ ମିଳିବ ଆମ ସମାଜରେ ଯାହାର କୌଣସି ମୁଲ୍ୟାୟନର ଉପଯୁକ୍ତତା ନଥାଇ ମଧ୍ୟ ସର୍ବ ଗ୍ରହଣୀୟ ହୋଇଅଛି । ପରବର୍ତ୍ତୀ ସମୟରେ ସେହି ଗ୍ରହଣୀୟତା ଉପରେ କଠୋର ଗବେଷଣାତ୍ମକ ମୂଲ୍ୟାୟନ କରାଯାଇ କୌଣସି ପରିବର୍ତ୍ତନକୁ ସଂସ୍ଥାପିତ କରିବା ସହଜ ସାଧ୍ୟ ହୋଇନଥାଏ । ସାମାଜିକ ଗ୍ରହଣୀୟତାକୁ ସର୍ବୋକୃଷ୍ଟ, ସର୍ବ ଶେଷ ବୋଲି ମାନ୍ୟତା ରଖିଥିବା ସବୁ ମଣିଷ ଏକ ଦିଗଗାମୀ ହେଉଥିବା ବିଭିନ୍ନ ଦୃଷ୍ଟାନ୍ତର ଅନୁଭବ ସମସ୍ତଙ୍କ ପାଖରେ ଅଛି । ହେଲେ ସେହି ସମସ୍ତ ସାମାଜିକ ଗ୍ରହଣୀୟତାକୁ ଅନ୍ଧ ଭାବେ ନିଜର ବ୍ୟକ୍ତିଗତ ଅନୁଭୂତିରେ ଯୋଡ଼ିଦେଇ ମଣିଷ କେଉଁ ଦିଗଗାମୀ ହୋଇଥାଏ ବିଚାର କରିବା………ସତ୍ୟ ସବୁବେଳେ ସ୍ଥିର, ଅପରିବର୍ତ୍ତୀତ, ଚିରନ୍ତନ । ସତ୍ୟକୁ ବିପରୀତମୁଖୀ କରିବା କିମ୍ବା ପରିବର୍ତ୍ତିତ ମୂଲ୍ୟାଙ୍କନ କରୁଥିବା ମଣିଷ ନିଜେହିଁ ବିଯୁକ୍ତାତ୍ମକ ବିଚାରରେ ବିମଣ୍ଡିତ ହୋଇ ପ୍ରତାରିତ ହେବା ଛଡା ସତ୍ୟକୁ କେବେହେଲେ ପରିବର୍ତ୍ତନ କରିପାରିବ ନାହିଁ । ତେଣୁ ନିଜର ଗ୍ରହଣୀୟତାକୁ ପରଖି ସତ୍ୟକୁ ଗ୍ରହଣ କରିବା କ୍ଷମତା ବହିର୍ଭୁତ ମଣିଷ ସବୁବେଳେ ଅନ୍ୟ ଉପରେ ନିର୍ଭର, ବିଶ୍ୱାସ କରି ପ୍ରତାରିତ ହେଉଥିବା ଅତ୍ୟନ୍ତ ସତ୍ୟ । ପ୍ରାକୃତିକ ସତ୍ୟ ସବୁବେଳେ ଚିରନ୍ତନ, ସ୍ଥିର । ମନୁଷ୍ୟକୃତ ସତ୍ୟର ସମୟାନୁବର୍ତ୍ତୀ ପରିବର୍ତ୍ତନ ଦେଖିବାକୁ ମିଳେ । ସାଧାରଣ ମଣିଷ ଚତୁରଙ୍କ ଆଶ୍ରିତ ହୋଇ ବଂଚିବା ଏକ ପୁରାତନ ପ୍ରଣାଳୀ ଯାହାଦ୍ୱାରା ଚତୁର ନିର୍ବୋଧଙ୍କୁ ପ୍ରତାରିତ କରି ଆସୁଥିବା ଏକ ସାମାଜିକ ପ୍ରଥା ଭଳି ଦେଖିବାକୁ ମିଳେ ଆମ ସମାଜରେ । ପ୍ରତାରିତ କେବେ ସେମାନଙ୍କ ନିଜସ୍ୱ ଅନ୍ତର୍ଜ୍ଞାନ ସୃଷ୍ଟି କରି ସତ୍ୟକୁ ଜାଣିବା ଆଗ୍ରହ ରଖୁନଥିବା ଏକ ଅତ୍ୟନ୍ତ ଦୁଃଖର ବିଷୟ । ଏହା ମଣିଷର ଏକ ମାନସିକ ଆଳସ୍ୟ ଜନିତ ଭାବଧାରାରୁ ସୃଷ୍ଟି ହୋଇ ତାକୁ ସବୁବେଳେ ନିମ୍ନରେ ରଖୁଥିବା ଦେଖିବାକୁ ମିଳିବ ଅନୁଧ୍ୟାନ କଲେ । ତେଣୁ ନିର୍ବୋଧ ସାଧାରଣତଃ ସାମାଜିକ ମାନ୍ୟତା ଗୁଡିକୁ ନିଜସ୍ୱ ଭାବଧାରା ସହିତ ଯୋଡି ଦେଇ ସେଗୁଡିକର ସଠିକ ମୂଲ୍ୟାୟନ ନକରି ନିଜର ଦୃଷ୍ଟିକୋଣକୁ ସମ ଦିଗଗାମୀ କରି ଚାଲିଥିବା ଦେଖିବାକୁ ମିଳୁଛି ସର୍ବତ୍ର । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟି କୋଣକୁ ପ୍ରଚଳିତ ସାମାଜିକ ପ୍ରବାହିତ ସ୍ରୋତରେ ସାମିଲ କରି କୌଣସି ପ୍ରକାରେ ଆନନ୍ଦରେ ବଂଚିବାର ଅଭିନୟ କରି ଚାଲିଥିବା ଏକ ସାଧାରଣ ଚରିତ୍ର ଦେଖିବାକୁ ମିଳେ । କିନ୍ତୁ ବାସ୍ତବରେ କ’ଣ ସେଗୁଡିକ ସବୁ ସତ୍ୟ ଉପରେ ଆଧାରିତ ଯାହା ସବୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଅଛି ନା ତାହାର ସମୟାନୁକ୍ରମିକ ପରିମାର୍ଜିତ ମୂଲ୍ୟାୟନ, ଭାବଧାରାର ଆବଶ୍ୟକତା ରହିଛି ବିଚାର କରି ଦେଖିଲେ ଜଣାଯିବ କି……ସୁନା ଆଜି ସମୟର ଏକ ପ୍ରଗାଢ଼ ଅନ୍ତରଣୀୟ ପଦାର୍ଥ ଯାହା ପାଇଁ ପ୍ରାୟତଃ ସମାଜର ସବୁ ବର୍ଗର ମଣିଷ ଏକ କଠୋର ମାନସିକ ଦୁର୍ବଳତା ରଖିଥିବା ସମସ୍ତଙ୍କ ବ୍ୟକ୍ତିଗତ ଅନୁଭୂତି ଥିବ । କହିବାକୁ ଗଲେ ଏମିତି କେତେକ ମଣିଷ ମଧ୍ୟ ସମାଜରେ ଦେଖିବାକୁ ମିଳନ୍ତି ଯାହାଙ୍କ ପାଖରେ ସୁନା ଆଉ ମାଟି ମଧ୍ୟରେ କୌଣସି ଅନ୍ତର ଥିବା ଗ୍ରହଣୀୟ ହୋଇ ନଥାଏ । ଅର୍ଥାତ ସୁନାର ମୂଲ୍ୟାୟନ ସାମାଜିକ କ୍ଷେତ୍ରରେ ଯେଉଁ ପରିମାଣରେ ହୋଇଥାଏ ସେସବୁ ସମସ୍ତଙ୍କୁ ଗୋଚର ଥାଇ ମଧ୍ୟ କିଛି ଲୋକ ତାକୁ ମାଟି ସହିତ ତୁଳନା କରୁଥିବା ସେମାନଙ୍କ ଦୃଷ୍ଟିକୋଣରେ ତୃଟି ପରିଲକ୍ଷିତ ହୁଏ କି ତାକୁ ଅଂତରଣୀୟ କରୁଥିବା ମଣିଷଙ୍କ କୌଣସି ଅଜ୍ଞାନତା ବଶତଃ ସେହିଭଳି କୃତ୍ରିମ ମୂଲ୍ୟାୟନ ସୃଷ୍ଟି ହୋଇଥାଏ କହିବା କଷ୍ଟ । କାରଣ ସାମାଜିକ ମାନ୍ୟତାରେ ଭରପୁର ସୁନାର ମୂଲ୍ୟାୟନ ଏମିତି ହୋଇଅଛିଯେ ଯେକୌଣସି ମଣିଷ ସୁନା ପାଇଁ ନିଜର ପ୍ରକାଣ୍ଡ ଦୁର୍ବଳତା ଜନିତ ତାହାର ମାନ୍ୟତା ସର୍ବ ଶୀର୍ଷରେ ରଖୁଥିବା ଏକ ସାମାଜିକ ପରିସ୍ଥିତି ଭାବେ ଦଣ୍ଡାୟମାନ । ସୁନାର ପ୍ରାକୃତିକ ମୂଲ୍ୟ ଅନ୍ୟ କୌଣସି ପଦାର୍ଥ ତୁଳନାତ୍ମକ କ’ଣ ଏବଂ ତାହାର କୌଣସି ଚିରନ୍ତନ ପ୍ରାକୃତିକ ନିୟମ ରହିତ କେବଳ କମ ମାତ୍ରାରେ ଉପଲବ୍ଧତା ହେତୁ ଚତୁରଙ୍କ ଦ୍ୱାରା କରାଯାଇଥିବା ମୁଲ୍ୟାୟନକୁ ସାଧାରଣ ନିର୍ବୋଧ ନିଜ ଗ୍ରହଣୀୟତା ମଧ୍ୟରେ ସ୍ଥାନ ଦେଇ ନିଜର ଦୃଷ୍ଟିକୋଣକୁ ଭିନ୍ନ ଏକ ରୂପରେ ସଜାଇ ରଖିବା ଏକ ସାମାଜିକ ବିଚାର ମାତ୍ର । କୌଣସି ପ୍ରାକୃତିକ ସତ୍ୟକୁ ବୁଝିବା ଜ୍ଞାନ ବହିର୍ଭୁତ ମଣିଷ ସେହି ସାମାଜିକ ବିଚାର ମଧ୍ୟରେ ସୀମିତ ନିଜର ଦୃଷ୍ଟିକୋଣ କେବଳ ଚତୁରଙ୍କ ମୂଲ୍ୟାୟନ ଉପରେ ଆଧାର କରି ନିଜର ମାନସିକ ଗ୍ରହଣୀୟତାକୁ ଦୁର୍ବଳ କରି ଚାଲିଥିବା ଆଜି ସମୟର ଏକ ଭୟାବହ ପରିସ୍ଥିତି ଦେଖିବାକୁ ମିଳୁଛି ସର୍ବତ୍ର । ଅନୁରୂପ କେତେକ ମାନବିକ ଚେହେରା, ଚରିତ୍ରକୁ କୌଣସି ପରିସ୍ଥିତିରେ ଅଲୌକିକ ଭାବେ ବ୍ୟାପକ ସାମାଜିକ ମାନ୍ୟତା ପ୍ରଦାନ ପୂର୍ବକ ସାଧାରଣ ଲୋକଙ୍କ ମନ ମାନସରେ ଏମିତି ଗ୍ରହଣୀୟତା ସୃଷ୍ଟି କରାଯାଇ ଥାଏ ଯାହା ନିର୍ବୋଧ ନିଜ ଦୃଷ୍ଟିକୋଣରୁ ମୁଲ୍ୟାୟନ କରିବା କ୍ଷମତା ନଥାଇ ମାନିବାକୁ ବାଧ୍ୟ ହୋଇଥା’ନ୍ତି । ଅର୍ଥାତ କୌଣସି ବ୍ୟକ୍ତି ହେଉକି ଅଦୃଶ୍ୟ ଚରିତ୍ର ଗୁଡିଏ ସୃଷ୍ଟି କରାଯାଇ ସାମାଜିକ କ୍ଷେତ୍ରରେ ବିସ୍ତର ଲାଭ କଲେ ତାକୁ ସାଧାରଣ ଅଜ୍ଞାନ ଏକ ସାମାଜିକ ଗ୍ରହଣୀୟତା ଭାବେ ନିଜ ବ୍ୟକ୍ତିଗତ ବିଚାରକୁ ନେଇ ମୂଲ୍ୟାୟନ କରୁଥିବା ଏକ ଅତ୍ୟନ୍ତ ଦୁଃଖର ବିଷୟ । ନିଜସ୍ୱ ଜ୍ଞାନରେ ଆକଳନ ବହିର୍ଭୁତ କୌଣସି ବିଷୟ ହେଉକି ଚରିତ୍ରକୁ ସାଧାରଣ ବର୍ଗର ମଣିଷ ଗୁଡିକ ନିର୍ବୋଧ ଭାବେ ଗ୍ରହଣ କରି ନିଜର ଦୃଷ୍ଟିକୋଣରେ ଜଡିତ କରି ନିଜକୁ ପରୋକ୍ଷରେ ପ୍ରତାରିତ କରୁଥିବା କଥା ସେମାନଙ୍କୁ ହୃଦବୋଧ ହେଉନାହିଁ । ଏହାର ସୁଯୋଗ ନେଇ ଖୁବ୍ କମ୍ ସଂଖ୍ୟକ ଚତୁର ସମଗ୍ର ମଣିଷ ସମାଜକୁ କରାୟତ କରିବାରେ ସକ୍ଷମ ସେହି ନିର୍ବୋଧଙ୍କୁ ନିଜର ଗୋଲାମ କରି ରଖିଥାନ୍ତି । ତଥାପି ନିର୍ବୋଧ ସନ୍ତୁଷ୍ଟଯେ ପ୍ରଭୁଙ୍କ (ସାହୁକାର/ଗୁରୁ/ପ୍ରତିନିଧି/ଅଧିକାରୀ) ଆଶୀର୍ବାଦରୁ ତାହାର ଜୀବନ ବଞ୍ଚୁଛି । ପ୍ରକୃତିର ସମସ୍ତ ନିୟମ ଆଗରେ ହାର ମାନିଥିବା ସରଳ ନିର୍ବୋଧ କାହାଦ୍ୱାରା ଲିଖିତ କିଛି ଶିକ୍ଷାରୁ ନିଜକୁ ଜ୍ଞାନୀର ମିଥ୍ୟା ପ୍ରତିଭାରେ ବିଭୂଷିତ, ଅମାନବୀୟ, କେଳେଙ୍କାରୀ, ଷଡ଼ଯନ୍ତ୍ରୀ ଚତୁରଙ୍କ ପଦଲେହନ କରି କୌଣସି ମତେ ବଞ୍ଚିରହି ସେମାନଙ୍କ ଗୁଣଗାନ କରୁଥିବା ଏକ ଅତ୍ୟନ୍ତ ମର୍ମାହତ ପରିସ୍ଥିତି ଦେଖିବାକୁ ମିଳୁଛି ଆଜି ସମୟରେ । ଏହି ଶାସକ-ଶାସିତ ବ୍ୟବସ୍ଥାର ଅନ୍ତ କରି ସାଧାରଣତନ୍ତ୍ର ବ୍ୟବସ୍ଥାରେ ମଣିଷ ସାମାଜିକ ପରିଚାଳନା କରିବା ସମ୍ଭାବନା ଦେଖା ଯାଉନଥିବା ବେଳେ ସାଧାରଣ ମଣିଷ ଗୁଡିକ ପ୍ରଚଳିତ ସାମାଜିକ ବ୍ୟବସ୍ଥା ସହିତ ନିଜକୁ ସମ୍ପୂର୍ଣ୍ଣ ସହମତ ନକରି ନିଜସ୍ୱ ଭାବଧାରା, ଅନ୍ତର୍ଜ୍ଞାନ ସୃଷ୍ଟି କରି ପ୍ରତ୍ୟେକ ପଦାର୍ଥ, ବସ୍ତୁ, ବିଷୟ ହେଉକି ମାନବିକ ଚେହେରା,ଚରିତ୍ର ଗୁଡିକର ବ୍ୟକ୍ତିଗତ ବାସ୍ତବବାଦୀ ଦୃଷ୍ଟିକୋଣରୁ ମୂଲ୍ୟାୟନ କରିବା ନଶିଖିଲେ ପିଢ଼ି କୁ ପିଢ଼ି ନିଜକୁ ନିଜେ ହିଁ ପରୋକ୍ଷରେ ପ୍ରତାରିତ କରିଚାଲିଥିବା ବ୍ୟବସ୍ଥାର ଅନ୍ତ ହେବନାହିଁ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭବ କ’ଣ……??

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ