ମା’ ମୃତ୍ୟୁର ଖବର ପାଇ ଝିଅର ଆତ୍ମହତ୍ୟା…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗୋଟିଏ ଝିଅର ମୃତ୍ୟୁକୁ ନେଇ ଘଟିଗଲା ହୃଦୟ ବିଦାରକ ଘଟଣା । ଆଗପଛ ହୋଇ ଚାଲିଗଲେ ମା’ ସହ ୨ ଝିଅ । ପ୍ରଥମେ ଝିଅର ମୃତ୍ୟୁ । ଝିଅର ମୃତ୍ୟୁକୁ ସହିନପାରି ତାଙ୍କ ଦ୍ବାଦଶାହରେ ହୃଦ୍‌ଘାତର ଶିକାର ହୋଇ ଆରପାରିକି ଚାଲିଗଲେ ବିଧବା ମା’। ପୁଣି, ମା’ଙ୍କ ଚିତା ପାଉଁଶ ନହେଉଣୁ ଆତ୍ମହତ୍ୟା କଲେ ଅନ୍ୟ ଜଣେ ଅବିବାହିତ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଶିଗିଡ଼ି ସାହିରେ । ଏହି ଘଟଣା ଯେକୌଣସି କରୁଣ କାହାଣୀଠାରୁ ଆହୁରି କରୁଣ । ଏହି ଘଟଣା ପରେ ସାରା ଗାଁରେ ସମ୍ପୂର୍ଣ୍ଣ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନା ମୁତାବକ ବେଲଗୁଣ୍ଠା ବ୍ଲକ୍‌ରେ ପିଅନ ଭାବେ କାର୍ଯ୍ୟ କରୁଥିବା ତଥା ଭଞ୍ଜନଗର ବାଗ୍‌ଦେବୀ ରୋଡ଼୍ ବାସିନ୍ଦା ବାସନ୍ତୀ ପାଢ଼ୀ(୫୨) ଗତ ୨୩ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ୨୫ ତାରିଖରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଭଞ୍ଜନଗର ସହର ଶିଗିଡ଼ି ସାହିସ୍ଥିତ ପୈତୃକ ବାସଭବନରେ ବାସନ୍ତୀଙ୍କ ଦ୍ବାଦଶାହ କାର୍ଯ୍ୟ ଚାଲିଥିବାବେଳ‌େ ବିଧବା ମା’ ହରପ୍ରିୟା ପାଢ଼ୀ(୭୨) ଛାତିରେ ହଠାତ୍‌ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ହରପ୍ରିୟାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅପରାହ୍‌ଣ ୫ଟାରେ ହରପ୍ରିୟାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏହି ଘଟଣା ପରେ ହରପ୍ରିୟାଙ୍କ ପାଖରେ ରହୁଥିବା ତାଙ୍କ ଅବିବାହିତା ଝିଅ ସୁନୀତା(୫୧) ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ମାତ୍ର ୨ ସପ୍ତାହ ମଧ୍ୟରେ ମା’ ଓ ଭଉଣୀକୁ ହରାଇବାର ଦୁଃଖକୁ ସେ ସହି ପାରି ନଥିଲେ । ଆଉ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ । ଆଜି ସକାଳ ୯ଟାରେ ତାଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା । ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା । ଏଥିସହ ଭଞ୍ଜନଗର ଥାନାରେ ଏ ନେଇ କେସ୍ ନମ୍ବର ୫୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଏଭଳି ଦୁଃଖଦ ଘଟଣା ପରେ ଆଜି ସାରା ସହରରେ ଓ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ରିପୋର୍ଟ : ନିଲୁ ବିଷୋୟୀ