କୋଭିଡ ପରିଚାଳନାରେ ଗଞ୍ଜାମ ଜିଲ୍ଲା ହେଉଛି ସରକାରଙ୍କ ପ୍ରାଥମିକତା : ମାନସ ମଙ୍ଗରାଜ…

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ମିଡ଼ିଆ ସମ୍ପର୍କ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମିଡ଼ିଆ ପରାମର୍ଶ ଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ । ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇ ଥିବା ବେଳେ ଗଞ୍ଜାମ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ସ୍ଥଳ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଖୁବ କମ ଦିନ ମଧ୍ୟରେ ଦୁଇ ଦୁଇଟି କୋଭିଡ ହସ୍ପିଟାଲ ସ୍ଥାପନ ସହିତ ଅତ୍ୟାବଶ୍ୟକତା ମୁତାବକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ଓ ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟର ଗୁଡିକର ସୁପରିଚାଳନା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏତେ ବଡ଼ ବିପଦକୁ ସାମ୍ନା କରି ଜିଲ୍ଲାବାସୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ଦିଗରେ କେତେକ ସମସ୍ୟା ମଧ୍ୟ ଦେଖା ଦେଇଛି । ଏହାକୁ ଅତିକ୍ରମ କରି ଆଗକୁ ବଢିବାକୁ ପଡିବ । ଗଞ୍ଜାମ ଜିଲ୍ଲାବାସୀ ଏବଂ ଗଣମାଧ୍ୟମ ପୂର୍ବପରି ସହଯୋଗ ଜାରି ରଖିବାକୁ ଆଜି ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ । ଗଞ୍ଜାମ ଜିଲ୍ଲାରେ କୋଭିଡ ପରିଚାଳନାରେ ଥିବା ସମସ୍ୟା, ଜିଲ୍ଲା ପ୍ରଶାସନ, ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟରେ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କ ଠାରୁ ସୁଚିନ୍ତିତ ମତାମତ ସଂଗ୍ରହ କରିଥିଲେ । ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇ ତୁରନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ,  ଗ୍ରାମାଞ୍ଚଳ ଜନପ୍ରତିନିଧି ମାନେ ଗତ ୪ ମାସ ଧରି ଅହରହ କୋଭିଡ ବିରୁଦ୍ଧରେ ଲଢେଇ କରି ଚାଲିଛନ୍ତି । ଆଜି ଏହା ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଅଗଷ୍ଟ ମାସ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଏକ ଶୁଭ ସୂଚନା ବୋଲି ସେ କହିଥିଲେ । ପ୍ରତ୍ୟେକ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଜକୁ କୋଭିଡ ଯୋଦ୍ଧା ଭାବରେ ବିବେଚନା କରି ଏଭଳି ଏକ ସଙ୍ଗୀନ ମୁହୂର୍ତ୍ତରେ ପରସ୍ପରକୁ ସହଯୋଗର ହାତ ବଢାଇବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା