ମାଳିଜଗନ୍ନାଥପୁର ଗ୍ରାମର ଅଳ୍ପ କିଛି ଦୂରରେ ବାବା ବାଲିଲୋକନାଥ ମହାଦେବଙ୍କ ବହୁ ପ୍ରାଚୀନ ମନ୍ଦିର ବିଦ୍ୟମାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ନିକଟ ମାଳିଜଗନ୍ନାଥପୁର ଗ୍ରାମର ଅଳ୍ପ କିଛି ଦୂରରେ ବାବା ବାଲିଲୋକନାଥ ମହାଦେବଙ୍କ ବହୁ ପ୍ରାଚୀନ ମନ୍ଦିର ବିଦ୍ୟମାନ, ଯାହାକି ଗଞ୍ଜାମ ଜିଲ୍ଲାର ପବିତ୍ର ଋଷିକୂଲ୍ୟା ନଦୀ ତଟରେ ବିରାଜମାନ । ପ୍ରବାଦ ଅଛି ଏହା ତ୍ରେତୟା ଯୁଗରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ କାଳକ୍ରମେ ଏହା ଭୁଗର୍ଭରେ ପୋତି ହୋଇଯାଇଥିଲା । ଏହି ପତିତ ପବିତ୍ର ପ୍ରଭୁଙ୍କୁ ପରବର୍ତ୍ତୀ ସମୟରେ ଖନନ ମାଧ୍ୟମରେ ଉଧାର କରାଯାଇଅଛି । ପ୍ରଭୁଙ୍କୁ ଦର୍ଶନ କରିବାକୁ ଏଠାକୁ ଆସୁଥିବା ଭକ୍ତମାନେ ମଧ୍ୟ ମନ୍ଦିର ବେଢା ମଧ୍ୟରୁ କିଛି ପରିମାଣର ବାଲିକୁ ଖୋଳି ବାହାର କରି ମନ୍ଦିର ବେଢ଼ା ବାହାରେ ପକାଇ ଆସିଥାନ୍ତି । କହିବାକୁ ଗଲେ ପୋତିହୋଇ ପଡିଥିବା ପ୍ରଭୁଙ୍କୁ ବାଲି ମଧ୍ୟରୁ ଖୋଳି ବାହାର କରିବା ଦିନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବାଲିଖୋଳା ଚାଲୁ ରହିଛି ତେଣୁ ସତରେ ସେହି ଅନୁସାରେ ପ୍ରଭୁଙ୍କ ନାମକରଣ “ବାବା ବାଲିଲୋକନାଥ” ଯଥାର୍ଥ ମନେହୁଏ । ଏଠିକାର ଏକ ସୁନ୍ଦର ଘଞ୍ଚ ଜଙ୍ଗଲ ପରିବେଶ ମଧ୍ୟରେ ଏହି ମନ୍ଦିର ରହିଛି । ପ୍ରତିଦିନ ଏହି ମନ୍ଦିରକୁ ଶହଶହ ଭକ୍ତଙ୍କ ସୁଅ ଛୁଟିଥାଏ । ସରକାରଙ୍କ ତରଫରୁ ମଧ୍ୟ ଏଠାରେ କିଛି ଉର୍ନତି କରାଯିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ନିମନ୍ତେ ପିକନିକ କରିବା ପାଇଁ ସୁବିଧା, ଶିଶୁ ଉଦ୍ୟାନ, ପାର୍କ ଇତ୍ୟାଦି କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ବ୍ୟବସ୍ଥା ହୋଇପାରିଛି । ଏହିଭଳି ମହତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ସାରା ପରିବାରକୁ ଧରି ଥରେ ନିଶ୍ଚିତ ଭାବରେ ବୁଲି ଆସିବା ଭଲ ହେବ ବୋଲି ପ୍ରକାଶ ପାଇଛି ।