ମାକିଡିଆ ଟସର ବୁଣାକାର ଗୋଷ୍ଠୀଙ୍କ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବାଲେଶ୍ୱରର ନୂତନ ଜିଲାପାଳ ଦତ୍ତାତ୍ରୟ ଭାଇ ସାହେବ ସିନ୍ଦେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମାକିଡିଆଠାରେ ଥିବା ପ୍ରସିଦ୍ଧ ଟସର ଶିଳ୍ପ ସମ୍ପର୍କରେ ସମୀକ୍ଷା କରିବାପାଇଁ ଆଜି ଆସି ପହଞ୍ଚିଥିଲେ । ଟସରରୁ ଲୁଗା ବୁଣିବା ଏବଂ ରଂଗ କରିବା ଲାଗି ବିଭିନ୍ନ ପର୍ଯ୍ୟାୟରେ ବୁଣାକାର ମାନଙ୍କୁ ପ୍ରଶିକ୍ଷଣ ଦେବା ଜରୁରୀ ତଥା ଆସନ୍ତା ଦିନରେ ବଜାର ସୃଷ୍ଟି କରାଯିବା ଉଚିତ୍ ବୋଲି ଜିଲାପାଳ ମତବ୍ୟକ୍ତ କରିଛନ୍ତି । ମାକିଡିଆଠାରେ ପ୍ରାୟ ୪ଶହ ବୁଣାକାର ଦୁଃଖ ଦୈନ୍ୟତା ମଧ୍ୟରେ ଟସର ଶିଳ୍ପକୁ ବଂଚାଇ ଆସିଛନ୍ତି । ବିଭିନ୍ନ ସମୟରେ ସେମାନଙ୍କୁ କାଁ ଭାଁ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଆର୍ଥିକ ଦୂରବସ୍ଥା ଯୋଗୁଁ ଟସର ଯୋଗାଣ, କୋଷ ଆମଦାନୀ, ତନ୍ତର ଆଧୁନିକକରଣ, ବିଭିନ୍ନ ପ୍ରଶିକ୍ଷଣ ଓ ସର୍ବୋପରି ବଜାର ସୃଷ୍ଟି ଲାଗି ବିଭିନ୍ନ ସମୟରେ ବୁଣାକାର ସଂଘ ମାନଙ୍କ ପକ୍ଷରୁ ଦାବି ହୋଇ ଆସୁଛି । କିନ୍ତୁ ସେଠାରେ ୨ଟି ସମବାୟ ସମିତି ଥିଲେ ମଧ୍ୟ ବୁଣାକାର ମାନେ ପ୍ରତିଦିନ କାମ ପାଇ ପାରୁ ନାହାନ୍ତି । ଫଳରେ ତନ୍ତ କାର୍ଯ୍ୟଛାଡି ସେମାନେ ଦୂର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଥିବାର ଅଭିଯୋଗ ହୋଇଛି । ଏସବୁ ସମସ୍ୟା ସଂପର୍କରେ ବିଷଦ ଭାବେ ଜାଣିବାଲାଗି ଶ୍ରୀ ସିନ୍ଦେ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତ୍ରୀଶକ୍ତି ଟସର ଉତ୍ପାଦକ ଗୋଷ୍ଠୀ, ସପ୍ତଭଗିନୀ ଟସର ଉତ୍ପାଦକ ଗୋଷ୍ଟି, ରାଧାକୃଷ୍ଣ ଟସର ଉତ୍ପାଦକ ଗୋଷ୍ଟି ସଦସ୍ୟଙ୍କ ସହିତ ଜିଲାପାଳ ବିଷଦ ଆଲୋଚନା କରିଥିଲେ । ପରେ ବିଭିନ୍ନ ଟସର ଶିଳ୍ପୀଙ୍କ ଘରକୁ ଯାଇ ଅତୀତର ଟସର ତନ୍ତ, ବୁଣା ଲୁଗା, କୋଷରୁ ସୂତା ଉତ୍ପାନଦ ଇତ୍ୟାଦି ସଂପର୍କରେ ପଚାରି ବୁଝିଥିଲେ । ଘରେ ଘରେ ପଡିଥିବା ତନ୍ତର ଆଧୁନିକୀକରଣ ହେବା ଓ ବୈଷୟିକ ପରାମର୍ଷ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶଯୋଗ୍ୟ ବଂକିମ ଚନ୍ଦ୍ର ଦାସ, ତାପସ ଚନ୍ଦ, ଝଗଡେଶ୍ୱର ଟସର ତନ୍ତୁବାୟ ସମିତିର କର୍ମକର୍ତ୍ତାମାନେ ଅତୀତର ଟସରତନ୍ତ ସଂପର୍କରେ ଜିଲାପାଳଙ୍କୁ ବୁଝାଇଥିଲେ । କିନ୍ତୁ ଏହାର ଆଧୁନିକୀକରଣ କରାଯାଇ ବୁଣାକାର ମାନେ ଅଧିକ ଲାଭବାନ କିପରି ହୋଇପାରିବେ ଏବଂ ସମସ୍ତଙ୍କୁ ପ୍ରତ୍ସାହନ ହେବା ସଂପର୍କରେ ସେ ଆଲୋଚନା କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ତାଙ୍କ ସହିତ ଜିଲା ପ୍ରକଳ୍ପ ଅଧିକାରୀ ରବିନ୍ଦ୍ର ସାହୁ, ଜିଲା ଅର୍ମାସର ଡେପୁଟି ସିଇଓ ଜିତେନ୍ଦ୍ର କୁମାର ବିଶ୍ୱାଳ, ମିଶନ ଶକ୍ତିର ଡିପିସି ବିଶ୍ୱଜିତ୍ ପରିଡା, ବିପିଏମ୍ ମଧୁସ୍ମିତା ଦାସ, ବିଡିଓ ସ୍ମୃତିରଂଜନ ମଲ୍ଲିକ, ବିପିସି ଲୋପାମୁଦ୍ରା ପରିଡା ପ୍ରମୁଖ ଘଟଣାସ୍ଥଳରେ ରହି ଜିଲାପାଳଙ୍କୁ ସବିଶେଷ ତଥ୍ୟ ଦେଇଥିଲେ । ସରପଂଚ ବିଷ୍ଣୁ ପ୍ରିୟା ଘୋଷ, ସଦସ୍ୟା ସୁପ୍ରଭା ଘଡେଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଜିଲାପାଳଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏମ୍‌ବିକେ ପ୍ରିୟଙ୍କା ଘଡେଇ ଓ ସିଆରପି ମାନେ ଘଟରାସ୍ଥଳରେ ଉପସ୍ଥିତ ଥିଲେ । ଦିନକୁ ଅନ୍ୟୁନ ପ୍ରତ୍ୟେକ ବୁଣାକାରକୁ ୧୦ ଘଣ୍ଟାର କାର୍ଯ୍ୟ କରିବାଲାଗି କଂଚାମାଲ ଯୋଗାଇବା ସହିତ ବଜାରସୃଷ୍ଟି କରିବାଲାଗି ବୁଣାକାର ମାନେ ଦାବି କରିଥିଲେ । 

ରିପୋର୍ଟ : ଭୂପତି ପରିଡା