ଜଳେଶ୍ୱର ଅଭିମୁଖେ ଗୋଠ ଖଣ୍ଡିଆ ହାତୀ : ଘଟାଉଛି ବ୍ୟାପକ କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜକୁ ୩ ଦିନ ଧରି ଏକ ଗୋଠ ଖଣ୍ଡିଆ ହାତୀ ରାଇବଣିଆର ବିଭିନ୍ନ ସ୍ଥାନରେ କ୍ଷତି ଘଟାଇ ଚାଲିଥିବା ବେଳେ ଆଜି ଅପରାହ୍ନରେ ସୁବର୍ଣ୍ଣରେଖା ନଦୀ ପାରି ହୋଇ ଜଳେଶ୍ୱର ସହର ଅଭିମୁଖେ ଚାଲିଛି । ଫଳରେ ବନକର୍ମଚାରମାନେ ହାତୀକୁ ଘଉଡାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଜଳେଶ୍ୱର ସହରରେ ହାତୀ ପଶିଲେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆଶଙ୍କାରେ ବନବିଭାଗ ପକ୍ଷରୁ ପୋଲିସ୍‌ର ସହାୟତା ଲୋଡା ଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠ ଖଣ୍ଡିଆ ହାତୀ ବରଡିହାସ୍ଥିତ ଜଙ୍ଗଲରେ ପହଞ୍ଚିଥିଲା । ଲୁହାପଡା ଜଙ୍ଗଲରେ ଗତ ଶୁକ୍ରବାର ହାତୀକୁ ଦେଖିବାକୁ ମିଳିଥିଲା । କିନ୍ତୁ ସଂଖ୍ୟାରେ ହାତୀଟି ଗାଁ ମୁହାଁ ହୋଇ ବିଭିନ୍ନ ଗାଁରେ ଉଣାଅଧିକେ କ୍ଷତି ଘଟାଇଥିଲା । ନାରାୟଣପୁର ଗାଁର କରିନା କିସ୍କୁର ଘର ଭାଙ୍ଗିବା ସହିତ ତାର ଘରେ ଥିବା ଧାନ, ଚାଉଳ, ପନିପରିବା ଖାଇ ନଷ୍ଟ କରିଥିଲା । ପ୍ରାଣ ବିକଳରେ କରିନା କିସ୍କୁ ଅନ୍ୟଘରେ ଆଶ୍ରୟ ନେଇଥିବା ବେଳେ ହାତୀଟି ଭୋର ସମୟକୁ ତାର ଘରକୁ ୨ୟ ଥର ଆକ୍ରମଣ କରିଥିଲା । କେବଳ କରିନା ନୁହେଁ, ହେି ଗାଁର ବିଭିନ୍ନ ଲୋକଙ୍କ ଘରେ ହାତୀଟି ଉଣାଅଧିକେ କ୍ଷତି ଘଟାଇଥିଲା । ଆଜି ସକାଳେ ହାତୀକୁ ସୁବର୍ଣ୍ଣରେଖା ନଦୀକୂଳ ଶ୍ରୀରାମପୁର ପଞ୍ଚାୟତର ଗୁରୁଦାସପୁରଠାରେ ଦେଖିବାକୁ ମିଳିଥିଲା । ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରେ ହାତୀଟି ବୁଲୁଥିବା ବେଳେ ସଞ୍ଜକୁ ହଠାତ୍ ବଜାରଶୋଳ ଠାରେ ସୁବର୍ଣ୍ଣରେଖା ନଦୀ ପାରି ହୋଇଛି । ହାତୀଟି ଜଳେଶ୍ୱର ଅଭିମୁଖେ ଯାଉଥିବା ଦେଖି ଜଳେଶ୍ୱର ବନବିଭାଗ ରେଞ୍ଜର ଜୟଶ୍ରୀ ମୁର୍ମୁ ବିଭିନ୍ନ ଅଞ୍ଚଳରୁ କର୍ମଚାରୀଙ୍କୁ ଆଣି ମୁତୟନ କରିଛନ୍ତି । ବରଡିହା ଫରେଷ୍ଟର ଦେବରାଜ ରାଉତଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ଦୁସ୍ମନ୍ତ ଜେନା, ମନୋହର ସିଂ, ଅବୈତନୀକ ବନ୍ୟାପ୍ରାଣୀ ତତ୍ୱାବଧାରକ ଅଶ୍ୱନୀ ଦାସ ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । କିନ୍ତୁ ରାତିରେ ଜଳେଶ୍ୱର ସହରରେ ହାତିଟି ପ୍ରବେଶ କରିବା ଭୟରେ ରେଂଜର ମୁର୍ମୁ ପୁଲିସ୍‌ର ସହାୟତା ଲୋଡିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା