ମାକିଡିଆରେ କରୋନା ପଜେଟିଭକୁ ନେଇ ଗାଁରେ ଆତଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କିଛିଦିନ ବ୍ୟବଧାନରେ ଜଳେଶ୍ୱର ବ୍ଲକର ପଶ୍ଚିମବଙ୍ଗ ତଥା ସୁବର୍ଣ୍ଣରେଖା ନଦୀକୂଳ ମାକିଡିଆ ପଞ୍ଚାୟତରୁ ସଂଗ୍ରହ ହୋଇଥିବା ସ୍ୱାବରୁ ଆଜି ୯ଜଣ କରୋନା ପଜେଟିଭ୍ ଜଣାଯିବା ପରେ ଗାଁରେ ଆତଙ୍କ ଦେଖା ଦେଇଥିବା ଜଣାପଡିଛି । ଗତ ୩ ଦିନ ତଳେ ମାକିଡିଆ ଗାଁରୁ ୧୦୦ ସ୍ୱାବ ସଂଗ୍ରହ ଲାଗି ବାଲେଶ୍ୱରରୁ ଡିପିଏମ୍ ଡ. ଅନୀଲ କୁମାର ମହାନ୍ତି ସଦାଳବଳେ ହାତୀଗଡ ସିଏସ୍‌ସିର ମୁଖ୍ୟ ଡା. ପ୍ରଭାସ ଚନ୍ଦ୍ର ନାୟକଙ୍କ ସହିତ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ୱାବ ନ ଦେବାକୁ ଯୁକ୍ତିତର୍କ କରିଥିଲେ । ଶେଷରେ ଗ୍ରାମବାସୀଙ୍କ ମଧ୍ୟରୁ ୪୧ଜଣଙ୍କ ସ୍ୱାବ ସହିତ ୫ଜଣଙ୍କ ଏଣ୍ଟିଜେନ୍ ସଂଗୃହୀତ ହୋଇଥିଲା । ଏଣ୍ଟିଜେନ୍ ଟେଷ୍ଟରେ ୩ଜଣଙ୍କ ପଜେଟିଭ୍ ଆସିଥିବା ବେଳେ ଅନ୍ୟ ୩୬ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ସେମାନଙ୍କ ମଧ୍ୟରୁ ୯ଜଣଙ୍କ ପଜେଟିଭ୍ ଥିବା ଆଜି ଜଣାଯାଇଛି । ସେମାନଙ୍କୁ ବାଲେଶ୍ୱର ଆସିବାକୁ ଫୋନରେ ଜଣାଇ ଦିଆଯାଇଛି । ଆଜି ଏଥିପାଇଁ ଆମ୍ବୁଲାନ୍ସ ଗାଁକୁ ଆସିଥିଲେ ମଧ୍ୟ ସଂକ୍ରମିତ ମାନେ ବାଲେଶ୍ୱର ଯିବାକୁ ରାଜି ନାହାନ୍ତି । ଫଳରେ ଗ୍ରାମରେ ପୋଲିସ୍ ପ୍ରଶାସନ ପହଞ୍ଚିଥିବା ଜଣାଯାଇଛି । ଖବର ଲେଖା ହେବା ଯାଏ ସେମାନେ ଯାଇନଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ରାଇବଣିଆର ବିଭିନ୍ନ ଗାଁରୁ ସ୍ୱାବ ସଂଗ୍ରହର କାର୍ଯ୍ୟକ୍ରମ ଥିବା ଜଣାଯାଇଛିି ।

ରିପୋର୍ଟ : ଭୂପତି କୁମାର ପରିଡା