ମହିଳା ମଣ୍ଡଳ ପକ୍ଷରୁ ସଚେତନତା ବୈଠକ…

ବୁଗୁଡା (ସମୃଦ୍ଧ ଓଡିଶା) ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପଣ୍ଡସରା ପଞ୍ଚଶୀଳ ନଗର ଅଞ୍ଚଳ ମହିଳା ମଣ୍ଡଳ ପକ୍ଷରୁ ଏକ ସଚେତନତା ବୈଠକ ଅକ୍ଟୋବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପଞ୍ଚଶୀଳ ନଗର ଅଞ୍ଚଳର ସଙ୍ଗଠକ ଚନ୍ଦ୍ରଶେଖର ଭୋଳ, ତ୍ରିଲୋଚନ ବରାଡ଼, ଜୟରାମ ଦଳାଇ ପ୍ରଭୃତିଙ୍କ ଉପସ୍ଥିତରେ ଅନୁଷ୍ଠିତ ଏହି ସଚେତନତା ବୈଠକରେ ରାସନ କାର୍ଡ଼, ମାଆ କାର୍ଡ଼, ଆୟକର ପ୍ରଦାନ ଓ ଦୁର୍ଘଟଣା ଜନିତ ବୀମା ଯୋଜନା ବିଷୟରେ ପ୍ରବାସୀ ଓଡ଼ିଆ ସମାଜର ସଭାପତି ତଥା ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଫ୍ୟାକ୍ଟେରୀ ମାଲିକ ଶ୍ରମିକମାନଙ୍କ ପାଇଁ ବୀମା ଯୋଜନା କରିନଥିବା ବେଳେ ଏହି ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ମାଲିକମାନେ ବୀମା ଯୋଜନା କରିନଥିବା ବେଳେ ପ୍ରଥମ ବର୍ଷ ତିନି ଶହ ଟଙ୍କା ଓ ପରବର୍ତ୍ତୀ ସମୟରେ ବାର୍ଷିକ ଦୁଇ ଶହ ଟଙ୍କା ପ୍ରିମୟମ ଦେଇ ଦଶ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଯୋଜନା ଭୁକ୍ତ ହେବାକୁ ସମସ୍ତ ଶ୍ରମିକ ପରିବାରଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ପଞ୍ଚଶୀଳ ନଗର ମହିଳା ମଣ୍ଡଳ ପକ୍ଷରୁ ସବିତା ଭୋଳ, ବନିତା ଜେନା, ରଜନୀ ସାହୁ, ସୁଲୋଚନା ବରାଡ଼, ଜୟନ୍ତୀ ଭୋଳ ଓ ଜୟନ୍ତୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା