ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବଡ଼ବିଲ(ସମୃଦ୍ଧଓଡିଶା)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ର ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ା ବସ୍ତି ର ଲାଲ ଡ୍ୟାମ ନିକଟ ଏକ ବୁଦା ନିକଟରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ବିର୍ସା କ୍ଳବ ନିକଟ ଢ଼ିପା ସାହି ଅଞ୍ଚଳର ହୀରାମୋତି ସୀଙ୍କୁ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ତେବେ ମହିଳା ଜଣକ ୩୧ ଡିସେମ୍ବର ଠାରୁ ଘରୁ କୁଆଡେ ଚାଲି ଯାଇଥିବା ନେଇ ପରିବାର ଲୋକେ ଘଟଣା ସ୍ଥଳରେ ପୁଲିସକୁ ସୂଚନା ଦେଇଛନ୍ତି । ସୂଚନାନୁସାରେ ମଙ୍ଗଳବାର ଘଟଣାସ୍ଥଳକୁ କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସେମାନେ ସରପଞ୍ଚ ପ୍ରତିନିଧି ଅମ୍ରିତ ଖୁଣ୍ଟିଆ ଙ୍କୁ ଖବର ଦେବାପରେ ସେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବଲାଣି ପୁଲିସ ସମେତ ବଡ଼ବିଲ ଉପଖଣ୍ଡ ପୁଲିସ ଅଧିକାରୀ , ବଡ଼ବିଲ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପାରିପାର୍ଶ୍ବିକ ପରିସ୍ଥିତି ଓ ମୃତ ଦେହକୁ ଦେଖିଲେ ଘଟଣା ଦୁଇଦିନ ପୂର୍ବରୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ମୃତ ଦେହ ବ୍ୟବଚ୍ଛେଦ କଲା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ବଲାଣି ପୁଲିସ ସୂଚନା ଦେଇଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର