ମହାକାଶର ତାରକାପୁଞ୍ଜ : ‘ଅହଲ୍ୟା,ଦ୍ରୌପଦୀ,ସୀତା,ତାରା,ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେ ନିତ୍ୟମ୍ ସର୍ଵପାତକ ନାଶନମ୍ ‘

ଆମ ଦେଶ ଭାରତରେ ଅତି ପୁରାକାଳରୁ ନାରୀମାନଙ୍କୁ ଅତି ଉଚ୍ଚ ଆସନ/ମାନ୍ୟତା ଦିଆଯାଇ ଆସିଛି । ବହୁ ପୁରାଣରେ ଦେବୀଙ୍କର ତିନିରୂପ, ଯଥା, ମହାକାଳୀ, ମହାଦୁର୍ଗା , ମହା ସରସ୍ବତୀ ବର୍ଣ୍ଣିତ। ପରବର୍ତ୍ତୀ ସମୟରେ ଗାର୍ଗୀ, ଅନୁସୂୟା, ଲୋପାମୁଦ୍ରା, ମୈତ୍ରେୟୀ ପ୍ରଭୃତି ବିଖ୍ୟାତ ଥିଲେ,ତା’ପରସମୟର ଇନ୍ଦିରା ଗାନ୍ଧୀ, ବିଜୟଲକ୍ଷ୍ମୀ ପଣ୍ଡିତ, ସୁଚେତା କୃପାଳିନୀ, ନନ୍ଦିନୀ ଶତପଥୀ, ଶକୁନ୍ତଳା ଦେବୀ ଇତ୍ୟାଦି । ବର୍ତ୍ତମାନ ସମୟରେ ନାରୀ କୋଉ କାର୍ଯ୍ୟ ନକରିପାରୁଛି,ଏମନ୍ତ ନୁହେଁ,ଘୋଡାଚଢା,ଟ୍ରକ ଚଳାଇବା, ଟ୍ରେନ ଡ୍ରାଇଭର, ଉଡାଜାହାଜ ପାଇଲଟ୍, ଜଳଜାହାଜ ଚଳାଇବା,ଟ୍ରାକ୍ଟର ମେକାନିକ୍,ସାମରିକ ବାହିନୀରେ, ଜଳ, ସ୍ଥଳ, ଆକାଶ ସବୁ ବାହିନୀରେ ଏମିତିକି ଯୂଦ୍ଧଭୂମିରେ ଛାମୁଆଁକ୍ଷେତ୍ରରେ କାର୍ଯ୍ୟରତ।ଏଗୁଡିକରେ ଯେତେବେଳେ ପାରଙ୍ଗମ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ମଧ୍ୟ ନାଁ କମାଇବାରେ ମହିଳାମାନେ ମାହିର ।ଭାରତୀୟ ମହାକାଶ ଗବେଷଣା ଦିନକୁ ଦିନ ଶିଖର ଛୁଉଁଥିବା ବେଳେ ଭାରତୀୟ ନାରୀମାନେ ମଧ୍ୟ ଏ କ୍ଷେତ୍ରରେ ବହୁ ଆଗରେ ।ସେମିତି କେତେ ଜଣଙ୍କର କଥା,ଆଜିର ପ୍ରସଙ୍ଗ। ପ୍ରଥମେ କଳ୍ପନା ଚାୱଲା,ପୂର୍ବ ପଞ୍ଜାବର କର୍ନଲର ଏହି ମହିଳା ଆମେରିକାର ସ୍ପେଶ୍ସ ଟଲ୍ ‘କଲମ୍ବିଆ’ରେ ଜଣେ ମିଶନ ସ୍ପେଶାଲିଷ୍ଟ ଓ ପ୍ରାଥମିକ ରୋବୋଟିକ୍ ଆର୍ମ ଅପ- ରେଟର ଭାବେ ଯାତ୍ରା କରିଥିଲେ ୧୯୯୭ରେ,ମାତ୍ର ଚାୱଲାଙ୍କର ଦ୍ଵିତୀୟ ଓ କଲମ୍ବିଆର ଶେଷ ଯାତ୍ରା STS-107 ଥିଲା ୨୦୦୩ରେ,ଯାହା ମହାକାଶରୁ ପୃଥିବୀକୁ ଫେରୁଥିବା- ବେଳେ ୦୧ ଫେବୃଆରୀ ୨୦୦୩ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସମସ୍ତ ୭ଜଣ ମହାକାଶଚାରୀ ପ୍ରାଣ ହରାଇଥିଲେ।ଦିବଙ୍ଗତ କଳ୍ପନାଙ୍କୁ “କଂଗ୍ରେସନାଲ ସ୍ପେଶ୍ ମେଡାଲ ଅଫ୍ ଅନର”ରେ ସମ୍ମାନିତ କରାଯିବା ସହିତ ଆମେରିକା ଓ ଭାରତରେ ଅନେକ ରାସ୍ତା, ଛକ,ବିଶ୍ଵବିଦ୍ୟାଳୟ,ଶିକ୍ଷାୟତନ ଇତ୍ୟାଦି ତାଙ୍କ ନାମରେ ନାମିତ କରାଯାଇଛି । ଭାରତରେ ଜନ୍ମିତ ନହେଲେ ସୁଦ୍ଧା ଭାରତୀୟ(ଗୁଜୁରାଟୀ)ଦୀପକ ପାଣ୍ଡ୍ୟାଙ୍କର ୩ୟ ସନ୍ତାନ ସୁନୀତା ଉଇଲିୟମସ୍ ମହାକାଶଚାରୀ ଭାବେ ବହୁ ରେକର୍ଡର ଅଧିକାରିଣୀ । ଆମେରିକାର ଜଣେ ନେଭି ଅଫିସର/ମହାକାଶଚାରୀଭାଵେ ମହାକାଶରେ ସର୍ବାଧିକ ୫୦ ଘଣ୍ଟା ୪୦ମିନିଟ୍ ମହାକାଶ ପଦଯାତ୍ରା କରିଛନ୍ତି, ଆନ୍ତର୍ଜାତିୟ ମହାକାଶ ଷ୍ଟେସନକୁ ଯାତ୍ରା ୨୦୧୨ରେ,ଯାତ୍ରା୧୪ ଓ ୧୫ର ସେ ସଦସ୍ୟାଥିଲେ,ପୁଣି ସେହିଭଳି ଯାତ୍ରା ୩୨ରେଫ୍ଲାଇଟ ଇଞ୍ଜିନିୟର,ଯାତ୍ରା୩୩ର କମାଣ୍ଡର ଥିଲେ ସୁନୀତା ।ଆମେରିକାରେ ଅନେକ ସମ୍ମାନରେ ସମ୍ମାନିତା ସୁନୀତା ଭାରତର ସର୍ବୋଚ୍ଚ ୨ୟ ନାଗରିକ ସମ୍ମାନ ପଦ୍ମଭୂଷଣ ପାଇଥିଲେ ୨୦୦୮ରେ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଵିଶ୍ଵପ୍ରତିଭା ସମ୍ମାନରେ ସମ୍ମାନିତା । ବର୍ତ୍ତମାନ ଇସ୍ରୋ (ISRO-Indian Space Research Organisation) ବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟରତ ଲକ୍ଷ୍ନୌଵାସିନ୍ଦା ଋତୁ କରିଧଲ ଶ୍ରୀବାସ୍ତବ ଚନ୍ଦ୍ରଯାନ-୩ର ମିଶନ ଡାଇରେକ୍ଟର, ମଙ୍ଗଲଯାନ ମିଶନର ମଧ୍ୟ ସେଥିଲେ ଉପ ନିର୍ଦ୍ଦେଶକା । ୧୯୯୭ରୁ ଇସ୍ରୋରେ କାର୍ଯ୍ୟରତ, ଭାରତର ‘ରକେଟ୍ ମହିଳା’ ଋତୁ ଜଣେ ସଫଳ ବୈଜ୍ଞାନିକଭାବେ ପୁରାବିଶ୍ଵରେ ପରିଚିତ।ଋତୁଙ୍କର ଅନେକ ରିସର୍ଚ୍ଚପେପର ମଧ୍ୟ ପ୍ରକାଶିତ। ୨୦୧୭ରେ ଇସ୍ରୋଦ୍ଵାରା ଏକାଦିକ୍ରମେ ୧୦୪ଟି ଉପଗ୍ରହ ଉତକ୍ଷେପଣର କୃତିତ୍ୱ ଋତୁଙ୍କର। ୧୯୮୨ରୁ ଇସ୍ରୋରେ କାର୍ଯ୍ୟରତ ବାଙ୍ଗାଲୋର ଜନ୍ମିତା ଅନୁରାଧା ଟି.କେ.ହେଲେ ଚନ୍ଦ୍ରଯାନ-୨ ମିଶନ ଅନ୍ତର୍ଗତ GSLV-Geo Synchronous Launch Vehicle- -12 ଵା ଭୁ-ସମକାଳିକ ଉତକ୍ଷେପଣ ଯାନ-୧୨ ମିଶନର ନିର୍ଦ୍ଦେଶିକା ।ଏହି GSLV, LVM-Launch Vehicle Mark-lll ନାମରେ ୪ର୍ଥ ଥର ଯାତ୍ରା କରି ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଉତକ୍ଷେପଣ କରାଇଥିଲା ।ସେ ଏକ ୨୦ ଜଣିଆ ଦଳର ନେତୃତ୍ବ ନେଇ ମହାକାଶ ଗବେଷଣାକୁ ବହୁତ ଆଗେଇ ନେଇଛନ୍ତି,GSLVକୁ ନିୟନ୍ତ୍ରଣ କରିବାରେ ତାଙ୍କର ନିଜସ୍ବ ଫର୍ମୁଲା ନିମନ୍ତେ ସେ”ସୁମନ ଶର୍ମା ସମ୍ମାନ”ରେ ସମ୍ମାନିତା ।ତାଙ୍କ ପ୍ରେରଣା ଫଳରେ ଆଜି ଅଧିକରୁ ଅଧିକ ମହିଳା ମହାକାଶ ଗବେଷଣା କ୍ଷେତ୍ରକୁ ପସନ୍ଦ କରୁଛନ୍ତି । ଏନ୍ ଭାଲାରମତି,ରିସାଟ୍-RISAT(Radar Imaging Satelite)-1ର ମୁଖ୍ୟ ଥିଲେ ଏହି ତାମିଲନାଡୁ (ଆରିୟାଲୁର) ଜନ୍ମିତ ମହିଳା,ଯାହା ୨୦୧୩ର ସଫଳତାର ସହିତ ଉତକ୍ଷେପଣ ହୋଇଥିଲା।୨୦୧୫ରେ ଭାଲାରମତି ଅବଦୁଲ କଲାମ ସମ୍ମାନରେ ସମ୍ମାନିତା। ୫୬ବର୍ଷିୟା ମଙ୍ଗଳାମଣୀ ଏକ ୨୩ ଜଣିଆ ଦଳର ନେତୃତ୍ବ ନେଇ ଆଣ୍ଟର୍କଟିକାରେ ଭାରତୀୟ ମହାକାଶ ଗବେଷଣାକୁ ଆଗେଇ ନେଇଛନ୍ତି । ମଙ୍ଗଳାମଣୀ ଏକମାତ୍ର ମହିଳା ଯିଏ ଆଣ୍ଟର୍କଟିକାରେ ଏକାଦିକ୍ରମେ ୪୦୩ ଦିନ ଗବେଷଣା ରତ ଥିଲେ । କୋଲକାତା ବିଶ୍ଵବିଦ୍ୟାଳୟରୁ ବ୍ୟଵହାରିକ ପଦାର୍ଥ ବିଜ୍ଞାନରେ ଏମ୍.ଟେକ୍. ମୋମିତା ଦତ୍ତ ମଙ୍ଗଲଯାନ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଥିଲେ ।”ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମର ସେ ଥିଲେ ଜଣେ ସକ୍ରିୟ ସଂଯୋଜିକା। ନନ୍ଦିନୀ ହରିନାଥ ଇସ୍ରୋର ବେଙ୍ଗାଳୁରୁସ୍ଥିତ ସାଟେଲାଇଟ କେନ୍ଦ୍ରରେ ଜଣେ ରକେଟ୍ ବିଜ୍ଞାନୀ ।୨୦ ବର୍ଷର ଚାକିରୀ ମଧ୍ୟରେ ୧୪ଟି ଅଭିଯାନ(ମିଶନ)ରେ ସାମିଲ ହୋଇଥିବା ନନ୍ଦିନୀଥିଲେ ମଙ୍ଗଳଯାନ ମିଶନର ପ୍ରକଳ୍ପ ପରିଚାଳକ,ମିଶନ ଡିଜାଇନର ଓ ଡେପୁଟି ଅପରେସନ ଡାଇରେକ୍ଟର ।ତାଙ୍କର ଅନେକ ଗବେଷଣା ପ୍ରବନ୍ଧ ପ୍ରକାଶିତ । ଇସ୍ରୋର ସିଷ୍ଟମ୍ ଇଞ୍ଜିନିୟର ମୀନାକ୍ଷୀ ସମ୍ପୂର୍ଣ୍ଣେଶ୍ଵରୀ ଏକ ୫୦୦ ଜଣିଆ ଦଳର ନେତୃତ୍ବ ନେଇ ମଙ୍ଗଳଯାନ ସଫଳତାପରେ ପ୍ରସିଦ୍ଧି ପାଇ ଲୋକଲୋଚନକୁ ଆସିଥିଲେ । କର୍ଣ୍ଣାଟକର ହାସାନସ୍ଥିତ ଇସ୍ରୋର ମାଷ୍ଟର କଣ୍ଟ୍ରୋଲ ଫାସିଲିଟି(MCF)ରେ କାର୍ଯ୍ୟରତ କମ୍ପ୍ୟୁଟର ବିଜ୍ଞାନୀ କୀର୍ତ୍ତି ଫୌଜଦାର ଉପଗ୍ରହ ଗୁଡ଼ିକୁ ସଠିକ୍ କକ୍ଷପଥରେ ସ୍ଥାପନ କରିବାରେ ଓସ୍ତାଦ,ତାଙ୍କ ଦଳ ଏହି ସବୁ କାର୍ଯ୍ୟର ଦାୟିତ୍ଵରେ । ୨୦୧୪ ସେପ୍ଟେମ୍ବରରେ ଉତକ୍ଷେପଣ ମଙ୍ଗଳଯାନର ଏକ ବିଜ୍ଞାନୀଦଳ ତା’ପୃର୍ଵରୁ ୨ଵର୍ଷକାଳ ଛୁଟି ନେଇ ନଥିଲେ ଅଭିଯାନର ସଫଳତା ହେତୁରୁ ।ଏଥିରେ ଥିଲେ ମହିଳା ବିଜ୍ଞାନୀ ମ୍ରିନାଳ ସମ୍ପଦ ଯିଏ ଏକ ଝରକା ବିହୀନ କୋଠରୀରେ ଦୈନିକ ୧୮ ଘଣ୍ଟା କାମ କରୁଥିଲେ ।ଏଇଥିରୁ ଜାଣିବେ ଇସ୍ରୋର ମହିଳା ବୈଜ୍ଞାନିକମାନେ କେତେ ଉତ୍ସର୍ଗୀକୃତ କର୍ମକ୍ଷେତ୍ରରେ । ୧୯୬୩ରେ ଜନ୍ମିତ ଇସ୍ରୋ ଓ ଡିଆରଡିଓ(DRDO-Defence Research & Development Organisation) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଉଭୟ ପାଇଁ କାର୍ଯ୍ୟ କରିଥିବା ଶ୍ରୀମତୀ ଟେସି ଥୋମାସ ନାଁ ଶୁଣିଲେ ଚୀନ/ପାକିସ୍ତାନ ଡରି ଯାଆନ୍ତି କାରଣ ଅଗ୍ନି ସିରିଜର,ମୁଖ୍ୟତଃ ଅଗ୍ନି-୪ ଓ ଅଗ୍ନି-୫ ମିସାଇଲର ମୁଖ୍ୟବିଜ୍ଞାନୀ ହେଲେ ଟେସି। ଯାହାର ICBM-Inter Continental Ballistic Missile ବା ଆନ୍ତଃ ମହାଦେଶୀୟ ବାଲିଷ୍ଟିକ ମିଶାଇଲ ବ୍ୟବହାର କରୁଥିବା ଦେଶଗୁଡିକରେ ବହୁତ ନାଁ ।ଟେସି,ମିସାଇଲ ଓମେନ ବା ଅଗ୍ନିପୁତ୍ରୀ ଭାବରେ ନାମିତ । ୨୦୧୪ରେ ମଙ୍ଗଳଯାନର ସଫଳ ଉତକ୍ଷେପଣ ପରେ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା ଯୋଉଥିରେ ଏଇ ମିଶନର ୭ ଜଣ ବୈଜ୍ଞାନିକ ଖୁସିରେ ଆତ୍ମହରା ହୋଇ ପରସ୍ପରକୁ ଆଲିଙ୍ଗନ କରୁଥିଲେ,ଖୁସି ମନାଉଥିଲେ,ଆଉ ସବୁଠୁ ବଡ଼ କଥାହେଲା ଏମାନେ ସମସ୍ତେ ଥିଲେ ମହିଳା।ଏମାନେ ସାଧାରଣ ନାରୀ ହେଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବ ସେମାନଙ୍କୁ ନଭଶ୍ଚୁମ୍ବୀ କରାଇ ପାରିଛି ।ଚଳିତ ଚନ୍ଦ୍ରଯାନ-୩ ଅଭିଯାନରେ ସର୍ଵମୋଟ ୫୪ଜଣମହିଳା ବୈଜ୍ଞାନିକ ବିଭିନ୍ନ ପଦପଦବୀରେ ରହିକାର୍ଯ୍ୟ କରୁଥିଲେ ।ଦିନ ଥିଲା ମହାକାଶ ଗବେଷଣା କ୍ଷେତ୍ରକୁ ଆସି- ବାକୁ ମହିଳାମାନେ ପସନ୍ଦକରୁ ନଥିଲେ,ଋତୁ କରିଧଲ,ଅନୁରାଧା ଟି.କେ,ଭାଲାରମତି, କୀର୍ତ୍ତି ଫୌଜଦାର,ନନ୍ଦିନୀ ହରିନାଥ ପ୍ରଭୃତି ମହିୟସୀ ବୈଜ୍ଞାନିକାମାନଙ୍କ ପ୍ରେରଣା ଫଳରେ ଆଜି ଇସ୍ରୋର ସମୁଦାୟ ୧୬,୦୦୦ କର୍ମଚାରୀ ମଧ୍ୟରୁ ୨୦% ମହିଳା ଯଦିଓ ଏଥିରୁ କେବଳ ୧୦% ଇଞ୍ଜିନିୟର ବା ବିଜ୍ଞାନୀ ।ଦିନକୁ ଦିନ ମହିଳାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଉତ୍ସୁକତା ବଢୁଛି,ତଥାପି ଅଦ୍ୟାବଧି ଇସ୍ରୋର ସମସ୍ତ ୭ଟି ବିଭାଗର ମୁଖ୍ୟ ପୁରୁଷ ମାତ୍ର ସେଦିନ ଦୂର ନାହିଁ ଯେତେବେଳେ କୌଣସି ବିଭାଗର ମୁଖ୍ୟ ହେବେ ଜଣେ ମହିଳା ।ଆମଦେଶରେ କ୍ରୀଡା ତାରକା,ସିନେ/ଚିତ୍ର ତାରକାମାନଙ୍କୁ ଭଗବାନଙ୍କ ତୁଲ୍ୟ ମାନ୍ୟତା ଦିଆଯାଉଛି ସମୟେ ସମୟେ ଅତି ଅନାବଶ୍ୟକଭାଵେ।ଏଇ ନିକଟରେ ମୁକ୍ତିଲାଭ କରିଥିବା ଏକ ବଲିଉଡ୍/ଦକ୍ଷିଣୀ ସିନେମାର ଜଣେ ଦର୍ଶକ କିଛି ନକରାତ୍ମକ କହିଦେଲେ,ସେଠାରେ ଉପସ୍ଥିତଥିବା ସେଇ ନାୟକଙ୍କର ଅନ୍ଧସ୍ତାବକ(ଫ୍ୟାନ୍ ମାନେ ଯାହା ମାରଧର କଲେ ସର୍ବସମକ୍ଷରେ କହନ୍ତୁନି।ଏଇଟା ଦକ୍ଷିଣରେ ଟିକେ ମାତ୍ରା- ଧିକ,ସେ ସିନେମା ଯାହା ଚାଲିଲା ଚାଲିଲା,ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଭିନ୍ନ ଅର୍ଥରେ ଦେଖାଇ ଥିବାରୁ ସେ ସ୍କ୍ରିପ୍ଟ ରାଇଟର ଓ ଅନ୍ୟମାନେ କ୍ଷମା ମାଗିଥିଲେ।ଏଇ ପରିପ୍ରେକ୍ଷୀରେ ଦେଖି- ଲେ ଏଇ ପ୍ରସଙ୍ଗିତ ମହିଳା ମହାକାଶ ବୈଜ୍ଞାନିକମାନଙ୍କ ସ୍ତର ଯଥେଷ୍ଟ ଉଚ୍ଚରେ।ଦିନରାତି ଏକ କରି ଅନେକ କଷ୍ଟକରି ଯଥେଷ୍ଟ ଦାୟିତ୍ଵର ସହିତ ସେମାନେ ଦେଶର ପ୍ରତିଷ୍ଠା ଓ ସମ୍ମାନକୁ ବହୁଗୁଣିତ କରିପାରିଛନ୍ତି,ସେମାନେ ଆଜି ସମସ୍ତଙ୍କ ପାଇଁ ଉଦାହରଣୀୟ, ସମ୍ମାନୀୟ,ବନ୍ଦନୀୟ ତଥା ପୂଜନୀୟ ହୋଇପାରିଛନ୍ତି । ସେମାନେ ହେଲେ ଭାରତୀୟ ମହାକାଶର ଉଜ୍ୱଳ ତାରକାପୁଞ୍ଜ ।
ଉପସ୍ଥାପନା (ଲେଖକ) : ଜୟନ୍ତ ପଟ୍ଟନାୟକ