ମନେ ପଡ଼ନ୍ତି ବିନାୟାନନ୍ଦ ମହାପାତ୍ର…

ମନେ ପଡ଼ନ୍ତି ବିନୟାନନ୍ଦ ମହାପାତ୍ର, ଏମ୍. ଏ,ଏଲ. ଏଲ. ବି, ଆଡଭୋକେଟ । ୧୯୪୩ ମସିହା ଡିସେମ୍ବର ୧୭ ତାରିଖରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ସମାଜ ପରିବର୍ତ୍ତନର ପ୍ରମୁଖ ବିନ୍ଧାଣି ପିତା ଶ୍ରୀଧର ମହାପାତ୍ର ଓ ମାତା କାଦମ୍ବିନୀ ମହାପାତ୍ରଙ୍କ କୋଳ ମଣ୍ଡନ କରି ଜନ୍ମଲାଭ କରିଥିଲେ ବିନୟାନନ୍ଦ ମହାପାତ୍ର । ୧୯୫୯ ମସିହାରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରୁ ମାଟ୍ରିକ୍ୟୁଲେସନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ୧୯୬୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଢେଙ୍କାନାଳ କଲେଜର ପ୍ରଥମ ବ୍ୟାଚ ଛାତ୍ର ଭାବରେ ସ୍ନାତକ ଡ଼ିଗ୍ରୀ ହାସଲ କରି ପାରିଥିଲେ । ସେ ଜଣେ ସଫଳ ଛାତ୍ର ନେତା ଭାବରେ ଢେଙ୍କାନାଳ କଲେଜ ସ୍ଥାପନ ଓ ଏହାକୁ ଏକ ଡ଼ିଗ୍ରୀ କଲେଜରେ ପରିଣତ କରିବାରେ ସକ୍ରିୟ ଅଂଶ ଗ୍ରହଣ କରି ସଫଳ ହୋଇଥିଲେ । ସେ ୧୯୬୬ ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ଇତିହାସରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରି ପାରିଥିଲେ । ସେ ସମ୍ବଲପୁର ଲ କଲେଜରୁ ପ୍ରଥମ ବ୍ୟାଚ ଛାତ୍ର ଭାବରେ ଏଲ.ଏଲ. ବି ପ୍ରଥମ ପାର୍ଟ ଓ ୧୯୬୮ ମସିହାରେ ମଧୁସୂଦନ ଲ କଲେଜ, କଟକରୁ ଏଲ. ଏଲ. ବି. ଡ଼ିଗ୍ରୀ ହାସଲ କରିବାକୁ ସକ୍ଷମ ହୋଇ ପାରିଥିଲେ ।ସେ ୧୯୬୯ ମସିହା ଅଗଷ୍ଟ ମାସ ୨୮ ତାରିଖରେ ଓଡ଼ିଶା ବାର କାଉନସିଲର ସଦସ୍ୟ ଭାବରେ ନିଜକୁ ସାମିଲ କରିଥିଲେ । ସେ ଢେଙ୍କାନାଳରେ ସ୍ୱର୍ଗତଃ ଦାମୋଦର ଶରଣ, ଆଡଭୋକେଟଙ୍କ ମାର୍ଗଦର୍ଶନରେ ଆଇନଜୀବୀ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିପ୍ରିୟା ଦାଶଙ୍କ ସହିତ ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହୋଇଥିଲେ । ତାଙ୍କର ଦୁଇକନ୍ୟା ମୋସୁମୀ ନନ୍ଦ, ଗୀତିଶ୍ରୀ ପଣ୍ଡା ଓ ସୁଯୋଗ୍ୟ ପୁତ୍ର ଶିବାଶିଷ ମହାପାତ୍ର ମଧ୍ୟ ଜଣେ ଜଣେ ସୁପ୍ରତିଷ୍ଠିତ ଆଇନଜୀବୀ ଭାବରେ କାର୍ଯ୍ୟ କରୁଛନ୍ତି । ସ୍ୱର୍ଗତଃ ବିନୟା ନନ୍ଦ ନିଜ ଜୀବନରେ ଆଇନକୁ ନିଶା ଓ ପେଷା ଭାବରେ ଗ୍ରହଣ କରି ସାମ୍ବିଧାନିକ ଆଇନ, ସିଭିଲ ଆଇନ, କ୍ରିମିନାଲ ଆଇନ, କର୍ପୋରେର୍ଟ ଆଇନ, ଲେବର ଆଇନ, ବ୍ୟାଙ୍କିଙ୍ଗ ଆଇନ, ଉପଭୋକ୍ତା ଆଇନ, ବିଦ୍ୟୁତ ଆଇନ, ମ୍ୟୁନିସିପାଲ ଆଇନ, ଚାକିରୀ ଓ ସେବା ସମ୍ପର୍କିତ ବିଷୟ ତଥା ଆର୍ବିଟ୍ରେସନ ବିଷୟବସ୍ତୁ ସମ୍ପର୍କରେ ସଫଳ ଭାବରେ ନିଜ ମହକିଲମାନଙ୍କୁ ସଫଳ ସେବା ପ୍ରଦାନକାରୀ ଭାବରେ ଜୟଯୁକ୍ତ କରାଇ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ସଫଳ ହୋଇ ପାରିବାର ଗୌରବ ହାସଲ କରି ପାରିଥିଲେ । ୧୯୭୧ ମସିହାରେ କୋର୍ଟ ମାର୍ସିଆଲ ପ୍ରସିଡିଙ୍ଗସରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳ ହୋଇଥିଲେ । ସ୍ୱର୍ଗତଃ ବିନୟାନନ୍ଦ ନାଲକୋ, କୋଲ ଇଣ୍ଡିଆ, ଅନେକ କର୍ପୋରେଟ, ବ୍ୟାଙ୍କିଙ୍ଗ ସେବା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକର ଆଇନ ପରାମର୍ଶଦାତା ଭାବରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କ ଅଧୀନରେ ତାଙ୍କ ପୁତ୍ର, କନ୍ୟା, ଝିଆରୀଙ୍କ ସମେତ ପ୍ରାୟ ୭୦ ଜଣ ଆଡଭୋକେଟ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ସଫଳହୋଇ ପାରିଛନ୍ତି । ସେ ମଧ୍ୟ ୧୯୭୪ ମସିହାରେ ଢେଙ୍କାନାଳର ଲିଗାଲ ଏଡ଼ ଆଡଭୋକେଟ ଭାବରେ ସଫଳତାର ସହ କାର୍ଯ୍ୟ କରିବାର ଗୌରବ ଅର୍ଜନ କରି ପାରିଥିଲେ । ଛାତ୍ର ଅବସ୍ଥାରୁ ବିନୟାନନ୍ଦ ବାମପନ୍ଥୀ ବିଚାରଧାରା ପ୍ରତି ଆକୃଷ୍ଟ ହୋଇ ଅଖିଳ ଭାରତ ଛାତ୍ର ସଂଘର ସକ୍ରିୟ ସଭ୍ୟ ଭାବରେ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ।ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ଭାବରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ସହକର୍ମୀ ସାଥୀ ଆଡଭୋକେଟ ପ୍ରବୀର ପାଲିତ, ରମାକାନ୍ତ ମହାପାତ୍ର, ନୃସିଂହ ମିଶ୍ର ଓ ଅନ୍ୟ ମାନଙ୍କ ସହ ସଫଳ ଭାବରେ କାର୍ଯ୍ୟ ସମ୍ପାଦନ କରି ପାରିଥିଲେ ।ଭାରତ ସୋଭିଏତ ଶାନ୍ତି ଓ ମୈତ୍ରୀ ସଂଘ (ISCUS, ISCUE),ଭାରତ ଜର୍ମାନୀ ବନ୍ଧୁତ୍ୱ ଆସୋସିଏସନ ଆଦି ଅନେକ ସଂସ୍ଥାର ଜଣେ ଆଗଧାଡ଼ିର ନେତା ଭାବରେ ଅନେକ କାର୍ଯ୍ୟକ୍ରମରେ ସଫଳ ଅଂଶଗ୍ରହଣ କରି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଜଣେ ସଫଳ ସାମାଜିକ କର୍ମୀ ଓ ନେତା ଭାବରେ ଅନେକ ସଂଗଠନରେ, ଅନୁଷ୍ଠାନରେ ସ୍ୱର୍ଗତଃ ବିନୟା ନନ୍ଦ ସଫଳ ଅଂଶଗ୍ରହଣ କରି ସମାଜର ସର୍ବାଙ୍ଗୀନ ବିକାଶକଳ୍ପେ ଅନେକ କାର୍ଯ୍ୟ କରି ଇତିହାସର ପୃଷ୍ଠାରେତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଯାଇଛନ୍ତି ଯାହା ତାଙ୍କୁ ଚିର ଅମର କରି ରଖିବ ।
ସ୍ୱର୍ଗତଃ ବିନୟାନନ୍ଦ ମହାପାତ୍ରଙ୍କ ନିମ୍ନୋକ୍ତ କାର୍ଯ୍ୟ।ବଳୀ ଗୁଡିକ ଇତିହାସର ରାଜରାସ୍ତାରେ ଏକ ଏକ ମାଇଲଖୁଣ୍ଟ : ୧୯୭୦-୧୯୭୭ ମସିହା ମଧ୍ୟରେ ଢେଙ୍କାନାଳ ବାର ଅସୋସିଏସନର ସାଧାରଣ ସମ୍ପାଦକ, ଏକ ବର୍ଷ ପାଇଁ ଉପସଭାପତି, ୧୯୯୧-୧୯୯୪ ମସିହା ମଧ୍ୟରେ ସଭାପତି ଭାବରେ ସଫଳ କାର୍ଯ୍ୟ ନିର୍ବାହ କରିଥିଲେ । ଜଣେ ଶିକ୍ଷାବିତ ଭାବରେ ୧୯୭୦-୧୯୯୭ ମସିହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୧୦ ଗୋଟିରୁ ଅଧିକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, ୧୯୮୯ ମସିହାରେ ପି.ସି. ଏସ. ଟି. କଲେଜ, ଗେଙ୍ଗୁଟିଆ ସ୍ଥାପନା କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୦ ମସିହା ପ୍ରାରମ୍ଭରେ ନିଜର ପ୍ରିୟ ଜନ୍ମଭୂମି ବଳଭଦ୍ରପୁର ଶାସନ ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟର ଓ ୧୯୮୦ ମସିହାରେ ସେହି ଗ୍ରାମରେ ଭାନିରାମ ମଡେଲ ହାଇସ୍କୁଲର ଅୟ ଆରମ୍ଭ କରିଥିଲେ । ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୮୧ ମସିହାରେ ଢେଙ୍କାନାଳ ଲ କଲେଜର ଅୟ ଆରମ୍ଭରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଏହା ବ୍ୟତୀତ ସେ ଢେଙ୍କାନାଳର ଅଧିକାଂଶ ଶିକ୍ଷାନୁଷ୍ଠାନର ବିକାଶମୂଳକ କାର୍ଯ୍ୟରେ ନିଜକୁ ଜଡ଼ିତ କରି ସକ୍ରିୟ ଅଂଶଗ୍ରହଣ କରୁଥିଲେ । ତା.୦୭.୦୯୨୦୧୯ ରିଖ ପର୍ଯ୍ୟନ୍ତ ଦୀର୍ଘ ୪୯ ବର୍ଷ କାଳ ଆଡଭୋକେଟ ଭାବରେ ସକ୍ରିୟ ସେବା ପ୍ରଦାନ କରିବା ସଂଗେ ସଂଗେ ଅନେକ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକ ସହିତ ସକ୍ରିୟ ଭାବରେ ନିଜକୁ ଜଡ଼ିତ କରି ସମାଜର ସେବାରେ ନିଜ କର୍ମମୟ ଜୀବନକୁ ଉତ୍ସର୍ଗୀକୃତ କରି ସମସ୍ତଙ୍କର ମଙ୍ଗଳ ପାଇଁ ନିରଵଛିନ୍ନ ଭାବରେ ନିଜ ଜୀବନର ପ୍ରତିଟି ମୂହୁର୍ତ୍ତକୁ ସୁବିନିଯୋଗ କରିପାରିଥିଲେ । ଆଇନ ସେବା କ୍ଷେତ୍ରରେ ସାରା ଭାରତର ଅଧିକାଂଶ ଅଞ୍ଚଳ ପରିଭ୍ରମଣ କରି ବିଭିର୍ଣ୍ଣ କୋର୍ଟ, ହାଇ କୋର୍ଟ, ସୁପ୍ରିମ କୋର୍ଟ, ରାଜ୍ୟ ଓ ଜାତୀୟ ଟ୍ରିବ୍ୟୁନାଲ ଓ ଅନେକ ଆଇନ କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶ ଗ୍ରହଣ କରି ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ସ୍ୱର୍ଗତଃ ବିନୟାନନ୍ଦ ମନରେ ଅର୍ଥ ଲାଭ କରିବାର ଲୋଭ ନରଖି ନିଜ ଗୃହ କାର୍ଯ୍ୟାଳୟରେ ସେ ଅନେକ ପ୍ରକାରର ପ୍ରାୟ ୧୦,୦୦୦ କେସ ଗୁଡିକର ପାରସ୍ପରିକ ବୁଝାମଣା କରି ଆପୋଷ ସମାଧାନ କରିବାକୁ ସଫଳ ହୋଇ ପାରିଥିଲେ । ବାସ୍ତବିକ, ସେ ଜଣେ ମଣିଷ ପରି ମଣିଷ ଥିଲେ ଓ ତାଙ୍କର ନିସ୍ୱାର୍ଥପର ଲୋକହିତକର କାର୍ଯ୍ୟଗୁଡିକ ତାଙ୍କୁ ଇତିହାସରେ ଅମର କରି ରଖିବ । ମୋର ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ତାଙ୍କ ସହିତ ଦୀର୍ଘ ପ୍ରାୟ ୪୦ ବର୍ଷର ନିବିଡ଼ ସମ୍ପର୍କର ଅପାଶୋର ସ୍ମୃତିରାଜି ଚିରଦିନପାଇଁ ମୋ ମାନସ ପଟ୍ଟରେ ସଦା ସର୍ବଦା ଉଙ୍କି ମାରୁଥିବ ଓ ମୋ ଜୀବନର ସଫଳତା ପଛରେ ସ୍ବର୍ଗତଃ ବିନୟାନନ୍ଦ ମହାପାତ୍ରଙ୍କ ମାର୍ଗଦର୍ଶନ ତଥା ଭୂମିକାକୁ ମୁଁ ସଦାସର୍ବଦା ସ୍ୱୀକାର କରି ମୋର ଅବଶିଷ୍ଟ ଜୀବନଯେ କଟାଇବି ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ।
ଉପସ୍ଥାପନା : ସ୍ୱର୍ଗତଃ ବିନୟାନନ୍ଦ ମହାପାତ୍ରଙ୍କ ଗୁଣମୁଗ୍ଧ ତଥା ଅନୁଗାମୀ ଡ଼ା. ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଚିଫ୍ ଅଫିସର ସମର ଶିକ୍ଷାର୍ଥୀ ଆକାଶ ବାହିନୀ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ।

ଉପସ୍ଥାପନା : ସ୍ୱର୍ଗତଃ ବିନୟାନନ୍ଦ ମହାପାତ୍ରଙ୍କ ଗୁଣମୁଗ୍ଧ ତଥା ଅନୁଗାମୀ
ରିପୋର୍ଟ : ଡ଼ା. ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଚିଫ୍ ଅଫିସର ସମର ଶିକ୍ଷାର୍ଥୀ ଆକାଶ ବାହିନୀ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ।