ମନେପଡେ ସେଦିନର କଥା !

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭୂବନେଶ୍ବର ସ୍ଥିତ କୃଷି ଯାନ୍ତ୍ରୀକ ଏବଂ ବୈଷୟିକ ମହାବିଦ୍ୟାଳୟରୁ ହାତରେ ଇଞ୍ଜିନିୟରିଂ ଡିଗ୍ରୀଟି ମାନ ଧରି ଜିବୀକା ଅନ୍ୱେଷଣରେ ବାହାରି ପଡିଥିଲେ କିଛି ଯୁବ ବନ୍ଧୁ । ଜୀବନ ଥିଲା ପ୍ରାୟ ଦୁଇ ଦଶନ୍ଧିର। ଗତି ପଥ ଥିଲା ଅନିର୍ଦ୍ଦିଷ୍ଟ। ଏବେ ସମସ୍ତଙ୍କ ବୟସ ଅତିକ୍ରମ କରି ଯାଇଛି ଛଅଟି ଦଶନ୍ଧି, କିନ୍ତୁ ମନରୁ ଲିଭିନାହିଁ ସେଦିନର ସେ ଚପଳତା। ସେହି ଚପଳତାର ସ୍ମୃତିକୁ ପୁଣି ଥରେ ମନେ ପକାଇବା ପାଇଁ କିଛି ବନ୍ଧୁ ଏକାଠି ହୋଇଥିଲେ ସେପ୍ଟେମ୍ବର ମାସ 27 ତାରିଖରେ, ସ୍ଥାନ ଥିଲା ଭୂବନେଶ୍ବର ସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସ୍। ଏ ପୁନର୍ମିଳନରେ ଏକତ୍ରିତ ହୋଇଥିଲେ, ସୁଦୂର ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ସ୍ଥିତ ଫୋର୍ଟ ଭ୍ୟାଲି ୟୁନିଭର୍ସିଟିରେ କାର୍ଯ୍ୟରତ ପ୍ରଫେସର ଡକ୍ଟର ଅଜିତ୍ ମହାପାତ୍ର, ଜାତୀୟ ମତ୍ସ୍ୟଜୀବି ସମବାୟ ସଂଗଠନର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ଇଂ ଶ୍ରୀ ବିମଳ କୁମାର ମିଶ୍ର, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଭୂବନେଶ୍ବରର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ଆତ୍ମାରାମ ମିଶ୍ର, ରାଜ୍ୟ ବିଜ୍ଞାନ ଏବଂ ବୈଷୟିକ ବିଭାଗର ପ୍ରାକ୍ତନ ବରିଷ୍ଠ ବୈଜ୍ଞାନିକ ଇଂ ଶ୍ରୀ ପ୍ରଦୀପ୍ତ କୁମାର ବେଉରା, ରାଜ୍ୟ ମୃତ୍ତିକା ସଂରକ୍ଷଣ ତଥା ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ପ୍ରାକ୍ତନ ଅଧିକାରୀ ଇଂ ଶ୍ରୀ ବ୍ରଜବନ୍ଧୁ ପାଣିଗ୍ରାହୀ, ରାଜ୍ୟ ଭୂତଳ ଜଳ ସର୍ବେକ୍ଷଣ ଏବଂ ଅନୁସନ୍ଧାନ ନିର୍ଦ୍ଦେଶାଳୟର ପ୍ରାକ୍ତନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଅନୁପ କୁମାର ଦାସ, ଓଡିଶା ଉଠା ଜଳସେଚନ ନିଗମର ପ୍ରାକ୍ତନ ବୈଷୟିକ ନିର୍ଦ୍ଦେଶକ ଇଂ ଶ୍ରୀ ହିମାଦ୍ରୀ ଶେଖର ରାୟ, ପ୍ରାକ୍ତନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଶ୍ରୀ ଅନାଦି ଚରଣ ବେହେରା, ପ୍ରାକ୍ତନ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀ ନିରଞ୍ଜନ ବିଶ୍ବାଳ, ଇଂ ଶ୍ରୀ ଜିତେନ୍ଦ୍ରିୟ ମହାପାତ୍ର, ଇଂ ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଇଂ ଶ୍ରୀ ଶ୍ରୀରାମ ପଣ୍ଡା,ଇଂ ଶ୍ରୀ ବିଦ୍ୟାଭୂଷଣ ନାୟକ, ଏବଂ ଇଂ ଶ୍ରୀ ବିଜୟ କୁମାର ନାୟକ ଇତ୍ୟାଦି। 1977 ରୁ 1981ମସିହାର ସହପାଠୀ ଜୀବନ ତଥା ତାପରେ କର୍ମମୟ ଜୀବନରେ ଘଟିଥିବା ବିଭିନ୍ନ ଘଟଣାର ସ୍ମୃତି ଚାରଣ ସହ “ସ୍ମୃତି ଏକ ରୂପା ଜହ୍ନ” ଉକ୍ତି ଟି ର ଯଥାର୍ଥତାକୁ ପ୍ରତିପାଦିତ କରିଥିଲେ। ଅବଶିଷ୍ଟ ଜୀବନରେ ବାରମ୍ବାର ଏପରି ଏକତ୍ରିତ ହେବାର ପ୍ରତିଶ୍ରୁତି ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମ କୁ ସଫଳ କରିବାରେ ଇଂ ଶ୍ରୀରାମ ପଣ୍ଡାଙ୍କ ସହଯୋଗ ଥିଲା ପ୍ରଶଂସନୀୟ।

ରିପୋର୍ଟ : ରଜତ କୁମାର ମହାପାତ୍ର