ମନରେଗା କାର୍ଯ୍ୟର ପାରିଶ୍ରମିକ ଦେବାରେ ଅବହେଳା ଅଭିଯୋଗ ଆଣିଲେ ଶ୍ରମିକ…

ବ୍ରହ୍ମପୁର/ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ଲୋକମାନଙ୍କୁ ରୋଜଗାରକ୍ଷମ କରି ଆର୍ଥିକ ପ୍ରଗତି ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି।ଦିନ ମଜୁରିଆଙ୍କୁ ପଞ୍ଚାୟତ ସ୍ତରରେ ହେଉଥିବା ମନରେଗା ଅଧିନ ବିଭିନ୍ନ ମାଟି ଖନନ କାର୍ଯ୍ୟରେ ଅନେକ ଲୋକଙ୍କୁ ନିୟୋଜିତ କରାଯାଉଛି । କିନ୍ତୁ ବିଡମ୍ବନାର ବିଷୟ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅନ୍ତିରିଗାଁ ପଞ୍ଚାୟତର କୋଳିଦାସପୁର ଗ୍ରାମର ମନରେଗା କାର୍ଯ୍ୟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଶ୍ରମିକମାନେ କହିବା ଅନୁଯାୟୀ ଏପ୍ରିଲ ଓ ମଇ ମାସରେ କୋଳିଦାସପୁରର ବଗଡପଦର ରାସ୍ତା ଓ ଠାକୁରାଣୀ ମନ୍ଦିର ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶ୍ରମିକମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଶ୍ରମଦାନ କରିଥିବା ସତ୍ତ୍ବେ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇ ଅନ୍ୟ କିଛି ଶ୍ରମିକମାନଙ୍କୁ ଉଦ୍ଦେଶ୍ଯମୂଳକ ଭାବେ ମଜୁରୀ ପ୍ରଦାନ କରୁନଥିବା ପ୍ରତିବାଦରେ ଶ୍ରମିକମାନେ ବି.ଡି.ଓ.ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ମଜୁରୀ ପାଇବା ପାଇଁ ଶ୍ରମିକମାନେ ସରପଞ୍ଚ, ଜି.ଆର୍.ଏସ୍., ପିଇଓ., ଜେଇ ସମସ୍ତଙ୍କ କାର୍ଯ୍ୟାଳୟ ଯାଇ ନେହୁରା ହେଲେ ସୁଦ୍ଧା କୌଣସି ଉଚ୍ଚ ପଦାଧିକାରୀ କର୍ମପାତ ନକରିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପ୍ରଭାବ ନପଡିବା ଯୋଗୁଁ ପ୍ରଶ୍ନ ଉଠୁଛି କିଛି ପ୍ରଭାବଶାଳୀ ଲୋକଙ୍କ ଯୋଗୁଁ ମଜୁରୀ ପ୍ରଦାନ ବିଳମ୍ବ ଜାଣିଶୁଣି କରାଯାଉଛି । ଶେଷରେ ବି.ଡି.ଓ ଆସନ୍ତାକାଲି ମଜୁରୀ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା