ମଧୁମେହ ରୋଗର ନିରାକରଣ ନେଇ ଜନ ସଚେତନତା ସୃଷ୍ଟି କରୁଥିବାରୁ ଉଦ୍ୟମୀକୁ ପ୍ରସଂଶା କଲେ ବ୍ରହ୍ମପୁର ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶ ବିଦେଶରେ ବର୍ତ୍ତମାନ ବଢିଚାଲିଥିବା ମଧୁମେହ ରୋଗର ନିରାକରଣ ତଥା ସଚେତନତା ସୃଷ୍ଟି କରିବା ପାଇଁ ମଧୁମେହ ପଞ୍ଚାୟତ ଭଳି କାର୍ଯ୍ୟକ୍ରମ କରିବା ଏକ ବଳିଷ୍ଠ ପଦକ୍ଷେପ ବୋଲି ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି । ବ୍ରହ୍ମପୁର ସ୍ଥିତ ଡାଇବେଟିସ୍‌ ଆଣ୍ଡ୍‌ ଏଣ୍ଡୋକେୟାର୍‌ କ୍ଲିନିକ୍‌ ପକ୍ଷରୁ ଡାଇମଣ୍ଡ ଜୁବୁଲି ଟାଉନ୍‌ହଲ୍‌ରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡା. ସୁନୀଲ କୁମାର କୋଟାଙ୍କ ଅଧ୍ୟକ୍ଷତାରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ମଧୁମେହ ପଞ୍ଚାୟତ ଭଳି ଏକ ସଚେତନାତ୍ମକ ଅଭିଯାନରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିକାଲି ମଧୁମେହ ରୋଗ ଏପରି ବ୍ୟାପୀ ଚାଲିଛି ଯେ, ଏହାର ନିରାକରଣ ଓ ରୋଗର ଚିକିତ୍ସା ପାଇଁ ବ୍ୟାପକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଚିକିତ୍ସା ଶିବିର ସହ ମଧୁମେହ ପଞ୍ଚାୟତ କାର୍ଯ୍ୟକ୍ରମ ରୋଗୀ ତଥା ସମ୍ଭାବ୍ୟ ରୋଗୀଙ୍କ କ୍ଷେତ୍ରରେ ନିରାକରଣ ଓ ପ୍ରତିରୋଧ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିପାରିବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂହ ରାଠୋର୍‌, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଡ.ରାଜେନ୍ଦ୍ର ପ୍ରସାଦ ଦାଶ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ପ୍ରଫେସର ପି.ସି. ସାହୁ ପ୍ରମୁଖ ଯୋଗଦେଇ ମଧୁମେହ ପଞ୍ଚାୟତର ଆବଶ୍ୟକତା ଓ ଏହାର ଗୁରୁତ୍ୱ ନେଇ ଆଲୋକପାତ କରି ଡା. କୋଟାଙ୍କ ଏଭଳି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଡା. କୋଟାଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଅବସରପ୍ରାପ୍ତ ଭେଷଜ ବିଶେଷଜ୍ଞ ଡା. ପି.ସି. ସାହୁ , ନ୍ୟୁରୋଲୋଜି ବିଶେଷଜ୍ଞ ଡା. ଉମା ପ୍ରସାଦ ପାଢ଼ୀ, ଭେଷଜ ବିଶେଷଜ୍ଞ ଉମାଶଙ୍କର ମିଶ୍ର, ଚକ୍ଷୁ ବିଶେଷଜ୍ଞ ଡା. ବି.ନାଗେଶ୍ୱ ରାଓ ସୁବୁଦ୍ଧି, ଜେ.ଭର୍ତ୍ତୁଡୁ, ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ଗଣେଶ୍ୱର ସେଠୀ, ନେଫ୍ରୋଲଜି ବିଶେଷଜ୍ଞ ଡା. ସରୋଜ ପଣ୍ଡା ପ୍ରମୁଖ ଯୋଗଦେଇ ମଧୁମେହ ରୋଗ ସଂପର୍କିତ ବିଭିନ୍ନ ପାର୍ଶ୍ଵ ରୋଗ ଓ ଏହାର ଅତ୍ୟାଧୁନିକ ଚିକିତ୍ସା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା