ମଧୁବାବୁ ଥିଲେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଉତ୍କଳର ପରିଚୟ ଓ ପ୍ରତିଷ୍ଠାର ପୁନରୁ‹ାନ ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କର ଜୀବନବ୍ୟାପି ସାଧାନର ଲକ୍ଷ୍ୟ । ସେ ଥିଲେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ । ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ହିଁ ବି୍ରଟିଶ ଶାସନକାଳରେ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହୋଇଥିଲା ବୋଲି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ପ୍ରକାଶ କରିଛନ୍ତି । ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପ୍ରାଣିଗ୍ରାହୀ କହିଲେ ଯେ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁ ଜଣେ ଆଇନଜୀବୀ, ଶିଳ୍ପୋଦ୍ୟୋଗୀ, ସମାଜସେବୀ ଓ ସାହିତ୍ୟ-ସଂସ୍କୃତିପ୍ରାଣ ଭାବରେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଚିର ଅମର ରହିବେ । ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ । ବିଚ୍ଛିନ୍ନାଞ୍ଚଳ ସହିତ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତି୍ରକରଣ ଏବଂ ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସକାଶେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁବାବୁ ସର୍ବଦା ଉଦ୍ୟମରତ ଥିଲେ ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ଦାଶ କହିଲେ ଯେ ମଧୁବାବୁ ଓଡ଼ିଆମାନଙ୍କ ଭିତରେ ଜାତୀୟତାର ମହାପ୍ରବାହ ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ସତ୍ୟ ଓ ବିଶ୍ୱାସର ଯାଦୁକରୀ ସ୍ପର୍ଶରେ ସମସ୍ତ ଓଡ଼ିଆ ଜାତି ମଧ୍ୟରେ ଉଦ୍‌ବେଳନ ସୃଷ୍ଟି କରିଥିଲେ । ୧୯୦୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ଗଠିତ ଉତ୍କଳ ସମ୍ମିଳନୀ ଜାତୀୟ ବିକାଶ, ଜାତୀୟ ଅସ୍ମିତା ଓ ଜାତୀୟ ସ୍ୱାଭିମାନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଏକ ମହାମଞ୍ଚ ସାବ୍ୟସ୍ତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ୍‌ ଓ ଲେଖକ ଶ୍ରୀ ଭାଗବତ ଶୁକ୍ଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ, କୃତି ଓ କୀର୍ତ୍ତି ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ରଖି କହିଲେ ଯେ ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟଡ଼, ପ୍ରଥମ ମନ୍ତ୍ରୀ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ଆଇନଜୀବୀ । ଓଡ଼ିଶା ପ୍ରଦେଶ ଓ ଭାଷାର ଉନ୍ନତି ପାଇଁ ତାଙ୍କ ଉଦ୍ୟମ ସର୍ବଦା ପ୍ରଶଂସନୀୟ । ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନରେ ଉନ୍ନତି ଆଣିବା ସହ ମାତୃଭୂମି ଓ ମାତୃଭାଷାର ଉନ୍ନତି ପାଇଁ ତାଙ୍କର ଆଜୀବନ ସଂଗ୍ରାମର ଫଳ ସ୍ୱରୂପ ୧୯୩୬ ମସିହା ଅପ୍ରେଲ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା ବୋଲି ବୋଲି ଶ୍ରୀ ଶୁକ୍ଳ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ମଧୁବାବୁ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ ଏବଂ ନଭଶ୍ଚୁମ୍ଭୀ ବ୍ୟକ୍ତିତ୍ୱର ଅଧିକାରୀ । ଓଡ଼ିଆ ଜାତି ପ୍ରତି ସେ ସର୍ବଦା ସମର୍ପିତ ଥିଲେ ଏବଂ ତାଙ୍କ ବ୍ୟକ୍ତିତ୍ୱ ଥିଲା ଅନମନୀୟ ବୋଲି ସେ ଉଲ୍ଲେଖ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର / ଦୀପ୍ତିମୟୀ ମହାପାତ୍ର