ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (ସମୃଦ୍ଧଓଡିଶା)ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଏକ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ ‘ଅଭିବ୍ୟକ୍ତି’ ଉଦଘାଟିତ ହୋଇଛି । ଏଥିରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସିିଦ୍ଧ ଚିତ୍ରକଳାମାନ ପ୍ରଦର୍ଶିତ ହୋଇଥିଲା । ଏହା ଆସନ୍ତା ମଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉଦ୍‌ଘାଟନ ପୂର୍ବକ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହାତୀଦାନ୍ତରେ ଥିବା ମଧୁବାବୁଙ୍କ ଚିତ୍ରକଳା ସଂଗ୍ରାହଳୟ ପ୍ରବେଶ ପଥରେ ପ୍ରଦର୍ଶିତ ହୋଇଛି । ସଂଗ୍ରହାଳୟକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହ ମଧୁବାବୁ ବ୍ୟବହାର କରିଥିବା ପଗଡ଼ି ମଧ୍ୟ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେଉଛି । ସଂଗ୍ରହାଳୟର ପ୍ରତ୍ୟେକ କକ୍ଷରେ ମଧ୍ୟ ମଧୁବାବୁଙ୍କ ସଂପର୍କିତ ବିଭିନ୍ନ ସଂଗୀତ ରେକର୍ଡ ମାଧ୍ୟମରେ ଗାନ କରାଯାଇଥିଲା ।

ରିପୋର୍ଟ : ରଜତ ମହାପାତ୍ର