ମଦ ଲାଇସେନ୍ସ ଫି ଛାଡ ନିଷ୍ପତ୍ତିକୁ ବିରୋଧ କରି ଦାବି ପତ୍ର ପ୍ରଦାନ କଲା ଜିଲ୍ଲା ଛାତ୍ର କଂଗ୍ରେସ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀମାନଙ୍କ ଉପରୁ ଜୁନ୍ ୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ କରିବା ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି । ଏହାସହ ସାରା ରାଜ୍ୟରେ ବହୁ ସ୍ୱଳ୍ପ, ନିମ୍ନ ଆୟକାରୀ ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ କରିଥିଲେ ବି ସଂପୃକ୍ତ ବ୍ୟକ୍ତିବିଶେଷ ମାନଙ୍କର ଲାଇସେନ୍ସ ଫି ସରକାର ଛାଡ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେହିପରି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ଏବଂ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରାଧିକ ଭାଟ ଲଗାଇବା ଦ୍ୱାରା ସାଧାରଣ ଖାଉଟି ହସ୍ତସନ୍ତ ହେଉଛନ୍ତି । ଛାତ୍ର କଂଗ୍ରେସ ଏହାକୁ ବିରୋଧ କରି ସୋମବାର ରାଜ୍ୟର ପ୍ରତି ଜିଲ୍ଲାରେ ଘଣ୍ଟିକିଆ ଧାରଣା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଥିବା ଜଣାପଡିଛି । ସରକାର ମଦ ମାଫିଆଙ୍କୁ ଦେଇଥିବା ଉପହାରକୁ ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଘୋର ପ୍ରତିବାଦ କରାଯାଇ ସରକାରୀ ବିଦ୍ୟାଳୟ ଫି ଛାଡ ସହିତ ନିତ୍ୟ ବ୍ୟବହୃତ ଜିନିଷ ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର କମାଇବା ଲାଗି ଦାବି କରାଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବି ପତ୍ର ପ୍ରଦାନ ବେଳେ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବିକାଶ ପଶୁପାଳକ, ଯୁବ ନେତା ଦେବାଶିଷ ମହାନ୍ତି, ଇଜୁ ଅମିନ ଖାନଙ୍କ ସମେତ ବାଘ ବିଶ୍ଵାଳ, ସରୋଜ କୁମାର ଦଳାଇ, ଶୁଭଙ୍କର ମାଳି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।