ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ କରୋନା ସଚେତନତା କର୍ମଶାଳା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ସେବା ଯୋଜନା ଆନୁକୂଲ୍ୟରେ ମହାମାରୀ କରୋନା ଦିତ୍ୱୀୟ ଲହର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ରାଷ୍ଟ୍ରୀୟ ସେବା ଯୋଜନା ଅଧିକାରୀ ଲମ୍ବୋଦର ନାୟକ ମହୋଦୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲାର ରାଷ୍ଟ୍ରୀୟ ସେବା ଯୋଜନା ଅଧିକାରୀ ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ ମହୋଦୟା କରୋନା ମହାମାରୀ ଉପରେ ସଚେତନତାର ବାର୍ତ୍ତା ରଖିଥିଲେ l ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ କିଶୋର କୁମାର ବେହେରା ସକାରାତ୍ମକ ଚିନ୍ତାଧାରା କରୋନାକୁ ପରାହତ କରିପାରିବ ବୋଲି ମତ ଉପସ୍ଥାପନ କରିଥିବାବେଳେ ମୁଖ୍ୟ ବକ୍ତା ଡ. କୃଷ୍ଣ ଶରଣ ପାଲ ମହୋଦୟ କରୋନା ମହାମାରୀ ସମ୍ପର୍କରେ ପଞ୍ଚସୂତ୍ର ପ୍ରଦାନ କରିଥିଲେ l ମନୁଷ୍ୟର ପ୍ରଥମ ଅସ୍ତ୍ର ମନ ଏବଂ ମନ ହିଁ ପ୍ରଥମ ଶତ୍ରୁ ମତାମତ ପ୍ରଦାନ କରି କରୋନାର ବିଭିନ୍ନ ଭିତ୍ତି ଉପରେ ଦୃଷ୍ଟିପାତ ପୂର୍ବକ କରୋନା ଦିତ୍ୱୀୟ ପ୍ରବାହରେ ସୁରକ୍ଷିତ ରହିବାର ଉପାୟ, ସଂକ୍ରମଣର ଲକ୍ଷଣ, ସଂକ୍ରମିତ ବ୍ୟକ୍ତିଙ୍କ ଚିକତ୍ସା, କରୋନାରୁ ସୁସ୍ଥ ହେବା ପରେ ଦେଖାଦେଉଥିବା ସମସ୍ୟା ଏବଂ ତାର ନିରାକରଣ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ l ଅନେକ ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀ ଉକ୍ତ କର୍ମଶାଳାରେ ଯୋଗ ଦେଇ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆପଣା ମାନସିକ ପଟରେ ଥିବା ସଂଶୟ ମୁଖ୍ୟ ବକ୍ତାଙ୍କ ଠାରୁ ଦୂରୀଭୂତ କରିଥିଲେ l ଅନେକ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଉକ୍ତ କର୍ମଶାଳାରେ ଯୋଗ ଦେଇ ସଭାଟିକୁ ସାଫଲ୍ୟ ବିମଣ୍ଡିତ କରିଥିଲେ l ପରିଶେଷରେ ମହାବିଦ୍ୟାଳର ରାଷ୍ଟ୍ରୀୟ ସେବା ଯୋଜନା ଅଧିକାରୀ ଲମ୍ବୋଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l