ମଣିପାଟଣା ଗାଁକୁ ରାସ୍ତା ନିର୍ମାଣ ବେଳେ ବିରୋଧ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିର ମଣିପାଟଣା ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ । ମ୍ୟୁନିସିପାଲଟି କାର୍ଯ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଏହି ହରିଜନ ଗାଁକୁ ଯିବାଲାଗି ୨ କିମି. ହିଡ ରାସ୍ତାରେ ଯିବାକୁ ପଡେ । ଫଳରେ ଆମ୍ବୁଲାନ୍ସ, ଦମକଳ କିମ୍ବା ଚାରିଚକିଆ ଯାନ ଯିବା ଅସମ୍ଭବ ହୋଇପଡେ । ଜଳେଶ୍ୱର ସ୍ୱୟତ୍ତଶାସନ ହେବାର ୫୭ ବର୍ଷ ପରେ ମଧ୍ୟ ସେହି ଗାଁକୁ ସବୁଦିନିଆ ରାସ୍ତା କେବଳ ପ୍ରତିଶୃତିରେ ରହିଯାଇଛି । ପୂର୍ବରୁ ଏହି ଗାଁକୁ ବିଦ୍ୟୁତ୍ ଓ ଜଳଯୋଗାଣ ଆରମ୍ଭ ହୋଇଥିଲା । ବିଧାୟକ ଅଶ୍ୱନୀ ପାତ୍ରଙ୍କ ପ୍ରଚେଷ୍ଟାରେ ଏହି ଗାଁକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି କଂକ୍ରିଟ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ଜମିମାଲିକ ମାନେ ଏହାକୁ ବିରୋଧ କରୁଛନ୍ତି ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି । ଆସନ୍ତା ଦିନରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ଆସିବାର ପ୍ରଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି । ଅଲାଲପୁର ଗାଁର ଶଶିଭୂଷଣ ପାତ୍ର, ସୁମିତ୍ରା ପାତ୍ର, ଶରତ ସିଂହ, ବିଷ୍ଣୁମହନ ପାତ୍ର, ଉର୍ମିଳା ପାତ୍ରଙ୍କ ସ୍ଥିତିବାନ ଜମି ଉପର ଦେଇ ସରକାରାୀ ଅର୍ଥରେ ଏହି ରାସ୍ତା ଯାଉଥିବାରୁ ସେମାନେ ଜିଲାପାଳ, ମ୍ୟୁନିସିପାଲଟି ଓ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ତେଣୁ ମଣିପାଟଣା ଗାଁକୁ ରାସ୍ତା ନିର୍ମାଣରେ ଅର୍ଥ ବାଧକ ହେବ ନାହିଁ ବରଂ ସ୍ଥାନୀୟ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ କହିଛନ୍ତି ।