ଭ୍ରାମ୍ୟମାଣ ଗାଡିରେ ସଂଗ୍ରହ ହେଉଛି କୋଭିଡ଼ ସ୍ୱାବ ନମୁନା…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ହେଉଥିବା ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଜ୍ୱର ଥଣ୍ଡା କାଶ ହୋଇଥିଲେ ଲୋକମାନେ ଆଶା କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କୁ ନ ଜଣାଇ ଔଷଧ ଦୋକାନରୁ ମେଡିସିନ ଖାଇ ରହୁଛନ୍ତି । ଏହି ପରିସ୍ଥିତିରେ ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ କରୋନା ଭୁତାଣୁ ବହୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଗୁରୁବାର ଏକ ଭ୍ରାମ୍ୟମାଣ କୋଭିଡ଼ ସ୍ୱାବ ସଂଗ୍ରହ ଗାଡ଼ି ହିଞ୍ଜିଳି ବ୍ଳକ ଦୁର୍ବନ୍ଧ ପଞ୍ଚାୟତରେ ପହଞ୍ଚିବା ପରେ ସଂପୃକ୍ତ ଗ୍ରାମର କରୋନା ଲକ୍ଷଣ ଥିବା ବହୁ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ଅତ୍ୟଧିକ କରୋନା ଆକ୍ରାନ୍ତ ଅଞ୍ଚଳକୁ ଯାଇ ସ୍ୱାବ ସଂଗ୍ରହ କରାଯିବ । କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ଏଣିକି ଡାକ୍ତରଖାନାକୁ ଆଉ ଯିବାକୁ ପଡ଼ିବ ନାହିଁ । ଭ୍ରାମ୍ୟମାଣ ଗାଡ଼ି ସହାୟତାରେ ଲୋକମାନଙ୍କ ସ୍ୱାବ ସଂଗ୍ରହ କରି ନିଜ ପଞ୍ଚାୟତରେ ହିଁ ପରୀକ୍ଷା କରାଯିବ ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି । ସ୍ୱାବ ସଂଗ୍ରହ ବେଳେ ସରପଞ୍ଚ ରଞ୍ଜୁ ବେହେରା, ମେଡ଼ିକାଲ ଭାରପ୍ରାପ୍ତ ଅଧିକାରୀ, ଅନିଲ କୁମାର ରଥ ମେଡ଼ିକାଲ ସୁପର ଭାଇଜର, ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ଓ ଲେବ୍ରୋଟେରୀ ଟେକ୍ନସିୟାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା