ଥର୍ମାଲ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହେଲା ବୁଗୁଡା ଏନଏସିରେ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡାରେ ପ୍ରଶାସନ ପକ୍ଷରୁ ୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ଏହି ସଟଡାଉନ୍ ସମୟରେ ବୁଗୁଡା ଏନଏସିର ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରାଯାଇଛି । ୯ ତାରିଖ ପ୍ରଥମ ଦିନରେ ବୁଗୁଡା ଏନଏସିର ୧,୨,୬,୯,୧୨ ଓ ୧୩ ନମ୍ବର ୱାର୍ଡ଼ର ୪୭୨ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଏହି ସଟଡାଉନ୍ ସମୟ ଶେଷ ହେବା ଭିତରେ ସମସ୍ତ ନିୟମକୁ ପାଳନ କରି ଏନଏସିର ପ୍ରତ୍ୟେକ ଘରକୁ ଘର ବୁଲି ପରିବାରର ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ଶେଷ କରିବାକୁ ସ୍ଥିର କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ଥଣ୍ଡା, କାଶ, ଜ୍ୱର, ଡାଇରିଆ ପ୍ରଭୃତି ଲକ୍ଷଣ ଥିବ ସେମାନଙ୍କୁ ଏନଏସିର କୋଭିଡ କେୟାର ହୋମରେ ରଖାଯାଇ ଚିକିତ୍ସା କରାଯିବା ସହ ସ୍ୱାବ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ସଟଡାଉନ ସମୟରେ ଅତି ଜରୁରୀ ନ ଥିଲେ ଘର ବାହାରକୁ ନ ବାହାରିବା, ଅତି ଜରୁରୀ କାଳୀନ କାର୍ଯ୍ୟ ଥିଲେ ମାସ୍କ ପିନ୍ଧି ବାହାରକୁ ବାହାରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ଭଲ ଭାବେ ଧୋଇ ସଫା ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି ଇଓ ରଶ୍ମିରଞ୍ଜନ ଦାଶ ଥର୍ମାଲ ସ୍କ୍ରିନିଂ ହେଉଥିବା ସମସ୍ତ ୱାର୍ଡ଼ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା