ଭିଡିଓ କନଫରେନ୍ସିଂ ଜରିଆରେ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ ସହ ପୋର୍ଟାଲ ଉନ୍ମୋଚନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିବା ସହ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ‘ମୋ କଲେଜ’ ଅଭିଯାନରେ ରାଜ୍ୟର ସମସ୍ତ କଲେଜ ସହ ବିଶ୍ୱବିଦ୍ୟାଳୟ ସାମିଲ୍ ହୋଇଛି । ପାଖାପାଖି ୭୫୫ଟି ଶିକ୍ଷାନୁଷ୍ଠାନକୁ ‘ମୋ କଲେଜ’ ଅଭିଯାନରେ ଯୋଡ଼ା ଯାଇଥିବା ଜଣାଯାଇଛି । ‘ମୋ ସ୍କୁଲ୍’ ଭଳି ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ସହାୟତା ଦେଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡ଼ି ହୋଇ ପାରିବେ । ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି ଅଭିଯାନ କେବଳ କଲେଜ ଆଲୁମିନା ମଧ୍ୟରେ ସୀମିତ ନୁହେଁ ବରଂ ଏହା ସମସ୍ତଙ୍କ ଲାଗି ଉନ୍ମୁକ୍ତ । ଯେ କେହି ବି ଚାହିଁଲେ ଯେ କୌଣସି ଶିକ୍ଷାନୁଷ୍ଠାନ ଲାଗି ଅର୍ଥ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଆପଣଙ୍କ ସହଯୋଗ ଆପଣ ପଢ଼ିଥିବା କଲେଜକୁ ଆଉ ଏକ ପାଦ ଆଗକୁ ଆଗେଇ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ପ୍ରତି ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ ୫୦ ହଜାର ଟଙ୍କା ‘ମୋ କଲେଜ’ ଅଭିଯାନ ପାଇଁ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ ‘ମୋ କଲେଜ’ ଅଭିଯାନର ସ୍ଥାୟୀ ପାଣ୍ଠିରୁ ଯୋଗାଇ ଦେବେ । ‘ମୋ କଲେଜ’ ଅଭିଯାନ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ାଇବା ସହ ଉଚ୍ଚରୁ ଉଚ୍ଚତମ ଶିଖର ଆହୋରଣ ଲାଗି ସାହାଯ୍ୟ କରିବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି । ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ୍ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ୫୧ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଭାଗରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ୭୫୫ଟି ଶିକ୍ଷାନୁଷ୍ଠାନ ‘ମୋ କଲେଜ’ ଅଭିଯାନରେ ସାମିଲ୍ କରାଯାଇଛି । ଏହାର ସୁପରିଚାଳନା ଲାଗି ଏକ କମିଟି ଗଠନ କରିଛନ୍ତି ସରକାର । ମିଳିଥିବା ଅନୁଦାନ କଲେଜର ଛାତ୍ରଛାତ୍ରୀଙ୍କ ଲାଗି ବ୍ୟୟ କରାଯିବ ବୋଲି କୁହାଯାଇଛି । ସେହିପରି ମୋ କଲେଜ ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବା ପାଇଁ ସାଜିବ ପ୍ରମୁଖ ମାଧ୍ୟମ । ଯାହାକି ଏହି ପୁରାତନ ଛାତ୍ରଛାତ୍ରୀଙ୍କ ବିତିଯାଇଥିବା ଅତୀତ ସ୍ମୃତି ସହିତ ବର୍ତ୍ତମାନର ଦିଗଦର୍ଶନ ଅନେକ ପ୍ରେରଣା ଯୋଗାଇଦେବ ଆଗାମୀ ପିଢୀ ନିମନ୍ତେ । ଏଭଳି ଆହ୍ୱାନକୁ ନେଇ ମହାବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀମାନେ ପୁଣି ଆଗେଇ ଆସିବେ ନିଜର ସେହି ପୁରାତନ ଶିକ୍ଷାନୁଷ୍ଠାନକୁ ବୋଲି ଏଭଳି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମରେ । ଏହାକୁ ଛତ୍ରପୁରର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଥିବା ବେଳେ ଡିଜିଟାଲ ମାଧ୍ୟମରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ସରକାରଙ୍କ ଏଭଳି ଅଭିଯାନର ଆଭିମୁଖ୍ୟ ଓ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡି, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ୍.ଧନଞ୍ଜୟ ରେଡି, ବରିଷ୍ଠ ଆଇନଜୀବି ଗୋକୁଳଚନ୍ଦ୍ର ପଣ୍ଡା, ପୁରାତନ ଛାତ୍ର ସଙ୍ଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ ପ୍ରମୁଖ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଅନେକ ମାତ୍ରାରେ ସହଯୋଗ କରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ, ଶିକ୍ଷାବିତ ଚିହ୍ନୟ କୁମାର ଦାଶ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଓ ଭବାନୀକାନ୍ତ ସାହୁ, ସୁଧିର କୁମାର ସାହୁ, ସନ୍ତୋଷ ମିଶ୍ର, ହିମାଶୁଂ ଶେଖର ଯାଦବ, ଛତ୍ରପୁର କଲେଜ ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ ସ୍ୱାଇଁ ଓ ଜଲାଲ ଖାଁ, ଛାତ୍ର ନେତା ଇଜୁ ଅମିନ୍ ଖାନ୍, ଆଇନଜୀବି ପି.ଧର୍ମା ରେଡି, ଜି.ରାଜେଶ କୁମାର, ଶ୍ରୀନୁ ଆଚାରୀ, ଅରୁଣ ଶତପଥୀ, ଚିତ୍ତରଞ୍ଜନ ବେହେରା, ରାଜ କୁମାର ବେହେରା, ଆଦି ନାରାୟଣ ରେଡି, ସରକାରୀ ଆଇନଜିବୀ ମନୋଜ କୁମାର ପାଢୀ, ଛାତ୍ର ନେତା ରବିନ୍ଦ୍ର ନାହାକ ଓ ଭଗବାନ ରାଉଳଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ମୋ କଲେଜ ଅଭିଯାନର ସଂଯୋଜିକା ଅଧ୍ୟାପିକ ଡା.ପିଙ୍କି ରାଣୀ ଦେଇ ଓ ପୁରାତନ ଛାତ୍ର ସଙ୍ଘର ସମ୍ପାଦକ ସମୀର କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।