ଭିଜିଏଫ୍‌ ସ୍କିମ୍‌ ଅନ୍ତର୍ଗତ ସରକାରଙ୍କ ସହ ଏମ୍‌.ଏସ୍‌.ସି (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପାରାଦ୍ୱୀପ ପୋର୍ଟ ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ବିଶ୍ୱର ବୃହତ୍ତମ କଣ୍ଟେନର୍‌ ସିପିଂ କମ୍ପାନୀ ଏମ୍‌.ଏସ୍‌.ସି. ସହ ଓଡ଼ିଶା ସରକାରଙ୍କ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁସାରେ କମ୍ପାନୀ ଗୋଟିଏ ଭେସ୍‌ଲସ୍‌ରେ ୨୫୦ ଟିୟୁ ସାମଗ୍ରୀ ରପ୍ତାନୀ-ଆମଦାନୀ କରିପାରିବ । ବିଶେଷତଃ ନାଲ୍‌କୋ, ବେଦାନ୍ତ, ଜେଏସ୍‌ଡବ୍ଲୁ (ଜିନ୍ଦଲ ଷ୍ଟିଲ୍‌), କୋଇଲା, ଖଣିଜ ପଦାର୍ଥ, ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ, ଧାତବ ପଦାର୍ଥ ସହ ଅନ୍ୟାନ୍ୟ କମ୍ପାନୀ, କୃଷି ଓ ଉଦ୍ୟାନକୃଷି ଭିତ୍ତିକ ଦ୍ରବ୍ୟ ଏବଂ ସାମୁଦି୍ରକ ଖାଦ୍ୟ, ମସଲା ବିଦେଶକୁ ରପ୍ତାନୀ କରିବ । ସେହିପରି ବିଦେଶରୁ ମଧ୍ୟ ଆବଶ୍ୟକ ପଦାର୍ଥ ନିର୍ଦ୍ଦିଷ୍ଟ ଓଜନ ପରିମାଣରେ ଆମଦାନୀ କରାଯିବ । ଏହି ଅବସରରେ ଏକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏମ୍‌.ଏସ୍‌.ଏମ୍‌.ଇ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ମେଡିଟେରିଆନ୍‌ ସିପିଂ କମ୍ପାନୀ ଏମ୍‌.ଏସ୍‌.ସିର ଅଧ୍ୟକ୍ଷ କ୍ୟାପ୍‌ଟେନ୍‌ ଦୀପକ ତିୱାରୀଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଶ୍ରୀ ଦୀପକ ତିୱାରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା ଭାରତର କୌଣସି ରାଜ୍ୟରେ ଏପରି ଏଗି୍ରମେଣ୍ଟ ପୂର୍ବରୁ ହୋଇନଥିଲା । ଏହା ଓଡ଼ିଶାରେ ପ୍ରଥମ କରି ସମ୍ଭବ ହୋଇଛି । ଓଡ଼ିଶାର କାର୍ଗୋ ଓଡ଼ିଶା ବନ୍ଦର ମଧ୍ୟ ଦେଇ ରପ୍ତାନୀ ହେଉ ବୋଲି ମୁଁ ଦୃଢ଼ୋକ୍ତି ପ୍ରକାଶ କରୁଛି । ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଭିତ୍ତିକ ରପ୍ତାନୀ ଆମଦାନୀ ପାଇଁ କଣ୍ଟେନର ମାଧ୍ୟମରେ ସିପିଂ ହେବା ଆମର ଲକ୍ଷ୍ୟ । ଏମ୍‌.ଏସ୍‌.ସିର ଭେସ୍‌ଲସ୍‌ ପାରାଦ୍ୱୀପଠାରୁ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଏହି ଚୁକ୍ତି ସ୍ୱାକ୍ଷର ଅନୁଯାୟୀ ପ୍ରଥମ ଥର ପାରାଦ୍ୱୀପରୁ ଶ୍ରୀଲଙ୍କାର କଲମ୍ବୋ ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ କରାଯିବ । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଯଦିଓ ଭାଇଜାକ୍‌ ଓ ହଳଦିଆ ମଧ୍ୟ ଦେଇ ଓଡ଼ିଶା ଦ୍ରବ୍ୟ ରପ୍ତାନୀ ହେଉଥିଲା, ବର୍ତ୍ତମାନ ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗର କିଛି ଅଂଶ ଓ ବାଙ୍ଗଲାଦେଶ ପରାଦ୍ୱୀପ ପୋର୍ଟ ଜରିଆରେ ଆମଦାନୀ-ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ପାରାଦ୍ୱୀପ ପୋର୍ଟର ଉପାଧ୍ୟକ୍ଷ ଶ୍ରୀ ନିଳାମ୍ବର ଦାସ୍‌ଗୁପ୍ତା ଏହି ଅବସରରେ କହିଥିଲେ ଯେ ବହୁ ଶତାବ୍ଦୀ ପରେ ପୁଣି ସାମୁଦି୍ରକ ବାଣିଜ୍ୟ ଆରମ୍ଭ ହେବାର ଏକ ନୂଆ ଯୁଗ ସୃଷ୍ଟି ହୋଇଛି । ପାରାଦ୍ୱୀପ ପୋର୍ଟର ଇକୋସିଷ୍ଟମ୍‌, ଆଧୁନିକ କଣ୍ଟେନର, ଆଧୁନିକ କାର୍ଗୋ କଣ୍ଟେନର ଓଡ଼ିଶାର ସାମୁଦି୍ରକ ବାଣିଜି୍ୟକ ଅର୍ଥନୀତିକୁ ସୁଦୃଢ଼ କରିପାରିଛି । ପାରାଦ୍ୱୀପ ପୋର୍ଟ ୧୦୦ ମିଲିୟନ୍‌ ମେଟି୍ରକ୍‌ ଟନ୍‌ କାର୍ଗୋ ରପ୍ତାନୀ-ଆମଦାନୀରେ ପହଞ୍ଚିସାରିଛି । ଏହି ଅବସରରେ ଶ୍ରୀ ଦାସ୍‌ଗୁପ୍ତା କହିଥିଲେ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବହନ କ୍ଷେତ୍ରରେ ୭୫% ରିହାତି ପ୍ରଦାନ କରାଯିବ । ଓଡ଼ିଶାରୁ ଓଡ଼ିଶାର କାର୍ଗୋ ଓ ଓଡ଼ିଶାକୁ ଓଡ଼ିଶା କାର୍ଗୋ ପାରାଦ୍ୱୀପ ପୋର୍ଟର ଲକ୍ଷ୍ୟ ଅଟେ ।

ରିପୋର୍ଟ : ରଜତ ମହାପାତ୍ର