ଭାରତୀୟ ଶିକ୍ଷା, ଶିକ୍ଷିତ ଓ ଶିକ୍ଷା ନୀତି-୨

ଭାରତରେ ବ୍ରିଟିଶ ମାନଙ୍କ ଆଗମନ ଏବଂ ତତ୍ ପରବର୍ତ୍ତୀ ଅନୁଶାସନ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ସମସ୍ତଙ୍କର ଅଛି ଯାହା ବର୍ଣ୍ଣନା କରିବା ଆବଶ୍ୟକ ନୁହେଁ । କେବଳ ବିଶ୍ଲେଷଣ କରି ଦେଖିଲେ ଜାଣିହୁଏ ଯେ ବ୍ରିଟେନ ଗୋଟିଏ ବିଶ୍ୱ ପ୍ରଖ୍ୟାତ ସମୃଦ୍ଧ ରାଷ୍ଟ୍ର ଯାହାର ପରିସୀମା ଭାରତ ଠାରୁ ପ୍ରାୟ ୧୫ ଭାଗ କମ୍ । ତାହାର ଜନସଂଖ୍ୟା ମଧ୍ୟ ଅନୁରୂପ ସଂଖ୍ୟକ ଠାରୁ ଯଥେଷ୍ଟ କମ୍ । ହେଲେ ସେମାନେ ହଜାର ହଜାର କୋଶ ଦୂର ଏହି ଦେଶକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ଅନୁଶାସନ ବ୍ୟବସ୍ଥା କରିଥିଲେ କେମିତି ? ତାହା କେବଳ ସେମାନଙ୍କ ଚତୁରତାର ପରିଚୟ ଥିବା ବେଳେ ଭାରତୀୟଙ୍କ ନିଷ୍କପଟ, ନିର୍ମାୟା ମନୋଭାବ ହେତୁ ସେମାନେ ଖୁବ୍ କମ୍ ସଂଖ୍ୟକ ମଣିଷ କେବଳ ଆମ ଦେଶକୁ ଆସି ଆମରି ଲୋକଙ୍କ ହାତରେ ଆମକୁ ଶାସନ କରି ସମ୍ପୂର୍ଣ୍ଣ ପ୍ରାକୃତିକ ଉତ୍ସର ଲାଭ ନେଇ ଯାଉଥିବା ବେଳେ ଆମକୁ ଶାସନ କରି ନିଷ୍ଠୁରତାର ସହିତ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେସବୁ ସମ୍ଭବ ହେଲା କିପରି ଏବଂ ଏହି ଶିକ୍ଷା ବ୍ୟବସ୍ଥାର ତାହା ସହିତ ସମ୍ବନ୍ଧ କ\’ଣ ଥିଲା ତର୍ଜମା କଲେ ଜାଣିହେବ ଯାହା ଏପର୍ଯ୍ୟନ୍ତ ଆମକୁ ଛାଡି ପାରିନାହିଁ, କି ଆଗକୁ ଛାଡିବ ନାହିଁ ଯଦି ଉପଯୁକ୍ତ ପଦକ୍ଷେପ ନିଆ ନଯିବ । ବ୍ରିଟିଶ୍ ମାନଙ୍କ ବିଶ୍ୱବ୍ୟାପୀ ଶାସନ କରିବାର ମୂଳ ମନ୍ତ୍ର ଥିଲା ଡିଭାଇଡ ଏଣ୍ଡ ରୁଲ୍ ଯାହା ଦ୍ୱାରା ସେମାନେ କେବଳ ଭାରତ ନୁହେଁ ବରଂ ଆହୁରି ଅନେକ ଦେଶକୁ ନିଜ ଶାସନ କବଳିତ କରି ରଖିଥିବା ବିଶ୍ୱ ଇତିହାସ କହେ । ସେହି ନିୟମକୁ ଆଧାର କରି ପ୍ରଥମେ ସେମାନେ ଯେଉଁ ଷଡ଼ଯନ୍ତ୍ର ରଚନା କରୁଥିଲେ ତାହାର ପ୍ରଥମ ଅସ୍ତ୍ର ଭାବେ ଏହି ଶିକ୍ଷାନୀତି ପ୍ରଣୟନ କରୁଥିଲେ । ଏହି ଶିକ୍ଷା ଏବଂ ତତ୍ ପରବର୍ତ୍ତୀ ପାରଦର୍ଶିତା ପ୍ରମାଣ ପତ୍ର ମାଧ୍ୟମରେ ପ୍ରଥମେ ମଣିଷ ମନରେ ପ୍ରତିଯୋଗିତା ମୂଳକ ବିଚାର ସୃଷ୍ଟି କରି ପରବର୍ତ୍ତୀ ସମୟରେ ତାକୁ ସ୍ୱାର୍ଥନ୍ଧ କରିଥାଏ ଯଦ୍ୱାରା ମଣିଷ ମନରେ ପ୍ରେମ ଭାବ ନରହି ଜଣେ ଅନ୍ୟ ଜଣଙ୍କ ପ୍ରତି ହିଂସାତ୍ମକ ଭାବ ରଖିବ । ଅର୍ଥାତ ଶିକ୍ଷା ଅର୍ଜନ କରିବା ପରେ ପୁନର୍ବାର ନିଜକୁ ସାମାଜିକ ଶୀର୍ଷସ୍ଥାନିତ କରି ସେ ଜନ୍ମ ହୋଇଥିବା ସ୍ଥାନ ତଥା ପରିପାଶ୍ୱର୍ିକ ପରିବେଶକୁ ଘୃଣା କରିବା ଆରମ୍ଭ କରିବ । ତାପରେ ନିଜର କୃତିତ୍ୱକୁ ବିନିଯୋଗ କରି ଦକ୍ଷତା ପ୍ରତିପାଦନ କରିବା ସହିତ ଯଥେଷ୍ଟ ଧନ ଉପାର୍ଜନ କରିବାର ସୁଯୋଗ ସୃଷ୍ଟି କରା ଯାଉଥିଲା ସେମାନଙ୍କ ଦ୍ୱାରା ଯଦ୍ୱାରା ସେହି ଶିକ୍ଷିତ ମାନେ ସେମାନଙ୍କ ପାଖରେ ଯାଇ ଗୋଲାମୀ କରିବା ଆରମ୍ଭ କଲେ । ଏମିତି ଅନେକ ବର୍ଷ ଅତିକ୍ରମ କରିବା ପରେ ଧୀରେ ଧୀରେ ସେହି ଗୋଲାମୀକୁ ଏକ ସୁନ୍ଦର ସମ୍ମାନସ୍ପଦ ପଦବାଚ୍ୟରେ ଶମ୍ଭୁସିତ କଲେ ଯାହାକୁ କୁହାଗଲା ସରକାରୀ ଚାକିରୀ । ତେଣୁ କାଳକ୍ରମେ ନିର୍ବୋଧ ଭାରତୀୟଙ୍କ ସେହି ସରକାରୀ ଚାଲିରି ପ୍ରତି ମାନସିକ ଦୁର୍ବଳତା ସୃଷ୍ଟି ହେଲା ଯାହା ବଢି, ମରୁଡ଼ିରେ ମଧ୍ୟ ଅକ୍ଷୁର୍ଣ୍ଣ ରହିଲା । ଏହି ସୁବିଧାର ସୁଯୋଗ ନେଇ ଯଥେଷ୍ଟ ନିର୍ବୋଧ ସେହି ସରକାରୀ ଅକ୍ଷୁର୍ଣ୍ଣ ଚାକିରୀ ପାଇବା ଆଶା ରଖି ସେମାନଙ୍କ ଦ୍ୱାରା ପ୍ରଚଳିତ ଶିକ୍ଷାକୁ ଆଦରି ନିଜକୁ ସ୍ୱାର୍ଥପରତାର ଶୀର୍ଷରେ ରଖି ନିଜସ୍ୱ ଜନ୍ମ ମାଟି, ଜନ୍ମ ଦାତ୍ରୀଙ୍କୁ ଘୃଣା କରି ସେମାନଙ୍କୁ ସହଯୋଗ କରିବା ଆରମ୍ଭ କଲେ । ଅର୍ଥାତ ଏହି ଦେଶ ଦ୍ରୋହି, କୁଳାଙ୍ଗାର ଶିକ୍ଷିତ ମାନଙ୍କୁ ବ୍ୟବହାର କରି ସେମାନେ ସାଧାରଣ ଲୋକଙ୍କୁ ଦମନ, ଶାସନ କରି ଭୃତ୍ୟ ଭଳି ବ୍ୟବହାର କରିବାକୁ ଲାଗିଲେ । କି’ନ୍ତୁ ଯେଉଁମାନେ ସେହି ଶିକ୍ଷା ଲାଭ କରିବାରୁ ବଂଚିତ ରହିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଣିଷ ଆଜି ସମୟର ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା କିଛି ନଥିଲା । ତେଣୁ ସେମାନେ ଏହି ଶିକ୍ଷା ନୀତି ପ୍ରଚଳନ କରି ମଣିଷ ସମାଜରେ ଏକ ପ୍ରକାର ସ୍ୱାର୍ଥନ୍ୱେଷୀ, ହିଂସାତ୍ମକ ଭାବ ପ୍ରବର୍ତନ କରିବାରେ ସକ୍ଷମ ହୋଇ ପାରିଥିଲେ ଯାହା ଅଦ୍ୟାବଧି ଆମ ଦେଶରେ ପ୍ରଚଳିତ ଯେଉଁଥିରେ କୌଣସି ଭାରତୀୟ ସାଂସ୍କୃତିକ ମାନବୀୟ ଢାଞ୍ଚା ଦେଖିବାକୁ ମିଳୁନାହିଁ । ଅତ୍ୟନ୍ତ ଦୁଃଖ ଏବଂ କ୍ଷୋଭର ବିଷୟଯେ ସେମାନଙ୍କ ଦ୍ୱାରା ପ୍ରଚଳିତ ନୀତି, ବ୍ୟବସ୍ଥାରେ ବ୍ୟକ୍ତିଗତ ସ୍ୱାର୍ଥ ଜଡିତ ଥିବା ସହିତ ଅନେକ ଅତ୍ୟାଧୁନିକ କୌଶଳ ତଥା ବୈଜ୍ଞାନିକ ମନୋଭାବ ମଧ୍ୟ ରହିଥିଲା ଯାହା ଆମେ କେବଳ ଜାଣିବା ଛଡା ସେଗୁଡିକୁ ବ୍ୟବହାର କରି କୌଣସି ଫଳପ୍ରଦ ଅନୁସନ୍ଧିତ୍ସୁ ଉଦ୍ଭାବନ / ଆବିଷ୍କାର କରିନାହୁଁ କିମ୍ବା ଭବିଷ୍ୟତରେ କରିପାରିବା ଭଳି କୌଣସି ପଦକ୍ଷେପ ନେଉନାହୁଁ । ତେଣୁ ସେମାନଙ୍କ ଦ୍ୱାରା ପ୍ରଚଳିତ ନୀତିକୁ କେବଳ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିବା ଛଡା ତାହା ପଛରେ ରହିଥିବା ମହତ୍ ଉଦେଶ୍ୟକୁ ବ୍ୟବହାର ନକରି ଶିକ୍ଷାର୍ଥୀଙ୍କୁ ସେହି, ସ୍ୱାର୍ଥନ୍ୱେଷୀ, ହିଂସାତ୍ମକ ଭାବଧାରରେ ଅଭିଷିକ୍ତ କରି ଅଦ୍ୟାବଧି କୌଣସି ମତେ ପୁଞ୍ଜିପତିଙ୍କ କ୍ରୀତଦାସ କରିବାରେ ଲିପ୍ତ ରହିଥିବା ଆମ ଦେଶର ଶିକ୍ଷା ନୀତିରେ ବ୍ୟାପକ ପରିବର୍ତନର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ପ୍ରକୃତ ଶିକ୍ଷା ଦେଇ ଶିକ୍ଷିତ କରି ପାରିବ । ନହେଲେ ଶିକ୍ଷାକୁ ସେମିତି ରୋଜଗାରର ମାଧ୍ୟମ ଭଳି ବ୍ୟବହାର ମଣିଷକୁ ପିଢ଼ିକୁ ପିଢ଼ି କେବଳ ଗୋତି ଶ୍ରମିକ, କ୍ରୀତଦାସ କରି ରଖିବା ଛଡା ପ୍ରକୃତ ଜ୍ଞାନ ଦେଇପାରିବ ନାହିଁ କିମ୍ବା ସେମାନଙ୍କ ଅନ୍ତର୍ଜ୍ଞାନ ସୃଷ୍ଟି କରି ଦେଶର ପ୍ରଗତି କରିବା ସମ୍ଭବ ହେବ ନାହିଁ । କେବଳ ସେହି ବ୍ରିଟିଶ୍ ଭଳି ଏକ ପୁଞ୍ଜିବାଦ ସାମ୍ରାଜ୍ୟ ସୃଷ୍ଟି କରିବାରେ ଦେଶକୁ ଅନ୍ୟ ଦେଶ ତୁଳନାତ୍ମକ ନିକୃଷ୍ଠ କରିବା ଛଡା ଅଗ୍ରଗତି ଅସମ୍ଭବ । ଶିକ୍ଷାକୁ କେବଳ ରୋଜଗାରର ମାଧ୍ୟମ କରିବା ଏକ ଅମାନୁଷିକ ବିଚାର ଯେଉଁଥିରେ ସ୍ୱାର୍ଥନ୍ୱେଷୀ, ହିଂସାଭାବ ଭଳି ଆହୁରି ଅନେକ ଅନୈତିକ ବିଚାର ଧାରା ସୃଷ୍ଟି ହୋଇଥାଏ । ସେହି ବିଚାରଧାରାରୁ ଜନ୍ମିତ ସାମାଜିକ ଭ୍ରଷ୍ଟାଚାର ଏକ କଳଙ୍କ ଯାହା ଆଜି ସମୟରେ ବ୍ୟାପକ ଅଭାବନୀୟତା ସୃଷ୍ଟି କରୁଛି ସମାଜରେ ଯାହାସବୁ ଆମେ ଦେଖୁଛେ, ଅନୁଭବ କରୁଛେ । ତଥାପି ବ୍ୟକ୍ତିଗତ ଭାବେ ଆମେ ସମସ୍ତେ ସେହି ରାସ୍ତାର ପଥିକ ଭାବେ ଅଗ୍ରଗାମୀ ଯାହାର କୌଣସି ସମୀକ୍ଷା ତର୍ଜମା କରାଯାଉ ନଥିବା ଏକ ଅତ୍ୟନ୍ତ ଦୁଃଖର ବିଷୟ ଆଜି ସମୟର । ଜୀବନ କୁଶଳତାର ଏକ ମୂଲ୍ୟବାନ ହତିଆର ଭାବେ ଶିକ୍ଷାକୁ ବ୍ୟବହାର କରାଯାଉ ଅଛି ଯାହା କେବଳ ରୋଜଗାର ମଧ୍ୟରେ ମାନସିକ ସ୍ଥିତପ୍ରଜ୍ଞ । ଶିକ୍ଷାର ବାସ୍ତବତା ତଥା ମୂଲ୍ୟାୟନ ନାହିଁ ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ସଂଯୁକ୍ତ ଭାରତୀୟ ମନରେ । ଶିକ୍ଷାକୁ ସାମାଜିକ ସ୍ତରରେ ଏକ ରୋଜଗାରର ମାଧ୍ୟମ ଭାବେ ସର୍ବ ଗ୍ରହିତ ହେଉଥିବା ଦେଖିବାକୁ ମିଳୁଛି । ଶିକ୍ଷା ମାଧ୍ୟମରେ ନିଜର ଜୀବନ ଚର୍ଯ୍ୟାକୁ ସନ୍ତୁଳିତ କରି ଆନନ୍ଦ ଉପଭୋଗ କରିବା ଲକ୍ଷ ରଖିଥିବା ମଣିଷ ଶୂନ୍ୟ ଯାହା ଭାରତୀୟ ସଂସ୍କୃତ, ସଂସ୍କାର ବହିର୍ଭୁତ । 

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.