ଭାରତୀୟ ଜନତା ପାର୍ଟି ଛତ୍ରପୁର ମଣ୍ଡଳ ପକ୍ଷରୁ ୧୧ ଦଫା ଦାବି ନେଇ ଏନଏସି କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ଛତ୍ରପୁର ମଣ୍ଡଳ ପକ୍ଷରୁ ୧୧ ଦଫା ଦାବି ନେଇ ଏନଏସି କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଜଣାପଡିଛି । ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳଙ୍କ ନେତୃତ୍ୱରେ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା । ସେମାନଙ୍କ ଦାବି ଗୁଡିକ ହେଲା ସର୍ବ ପୁରାତନ ଛତ୍ରପୁର ଏନଏସିକୁ ତୁରନ୍ତ ମୁନିସିପାଲଟିର ମାନ୍ୟତା ପ୍ରଦାନ କରାଯାଉ, ଏନଏସି ଅଞ୍ଚଳରେ ବର୍ଷ ବର୍ଷ ଧରି ବସବାସ କରୁଥିବା ଗରିବ ପରିବାରଙ୍କୁ ଘର ପଟ୍ଟା ଯୋଗାଇ ଦିଆଯାଉ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ତୁରନ୍ତ ପକ୍କା ଘର ଯୋଗାଇ ଦିଆଯାଉ, ବର୍ଦ୍ଧିତ ଘର ଟ୍ୟାକ୍ସ ସଙ୍ଗେ ପରିମଳ ଶୁକ୍ଲ ଶୀଘ୍ର ପ୍ରତ୍ୟାହାର କରାଯାଉ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡିଥିବା ପରିମଳ ବ୍ୟବସ୍ଥାକୁ ସୁଧାର ଅଣାଯାଉ, ଦୀର୍ଘ ଦିନ ଧରି ପୋତି ହୋଇ ରହିଥିବା ନାଳ, ନର୍ଦ୍ଧମା ଗୁଡିକୁ ବର୍ଷା ଦିନ ପୂର୍ବରୁ ପୁନରୁଦ୍ଧାର କରାଯାଉ, ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ୱାର୍ଡକୁ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇ ଦେବା ସହିତ ପ୍ରତ୍ୟେକ ଛକରେ ଜଳଛତ୍ର ଖୋଲାଯାଉ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ହୋଇଥିବା ଆଲୋକ ବ୍ୟବସ୍ଥାକୁ ସୁଧାର ଅଣାଯାଉ, ଦୀର୍ଘ ଦିନ ଧରି ରହିଥିବା ବିଧବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରାଯାଉ, ଐତିହାସିକ ପିଲିବନ୍ଧର ସୌନ୍ଦର୍ଯ୍ୟ କାର୍ଯ୍ୟ ତୁରନ୍ତ ସମ୍ପୁର୍ଣ୍ଣ କରି ନିତିଦିନିଆ ପାର୍କକୁ କାର୍ଯ୍ୟକ୍ଷମ କରାଯାଉ, ସମସ୍ତ ବସ୍ ପୁରୁଣା ବସଷ୍ଟାଣ୍ଡ ଦେଇ ଯାତାୟତ କରାଯିବା ସହ ୧୧ ଦଫା ଦାବି ନେଇ ଶତାଧିକ ବିଜେପି କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ବାହାରି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ଦାବିଗୁଡିକ ଯଥାଶୀଘ୍ର ପୂରଣ କରା ନ ଗଲେ ଆଗାମୀ ଦିନରେ ଛତ୍ରପୁର ବି.ଜେ.ପି. ଅନଶନରେ ବସିବ ବୋଲି ଚେତାବନୀ ଦେଇଛନ୍ତି ଛତ୍ରପୁର ମଣ୍ଡଳ ସଭାପତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର କର, ବିଜେପି ଅନୁସୂଚିତ ଜାତି ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଡ. ସୁବାଷ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ମତ୍ସ୍ୟଜୀବି ନେତା ଭୀମସେନା ବେହେରା, ଓକିଲ ବ୍ରଜମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡି, ଚୈତନ୍ୟ ପ୍ରଧାନ, ନରସିଂହ ପାଢୀ, ଗଣପତି ବାରିକ, ଅମରେଶ ମହାରଣା, ଡି.ସୁରେଶ ରେଡ୍ଡି, ରୁଇନା ପଟ୍ଟନାୟକ, ରାମଚନ୍ଦ୍ର ବେହେରା, ବସନ୍ତ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।