ଭଞ୍ଜନଗରରେ ପରିବା ଦର ଆକାଶ ଛୁଆଁ : ଖାଉଟି ହନ୍ତସନ୍ତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗୋଟିଏ ପଟେ କୋରନା ମହାମାରୀର ଭୟାଭୟତା ଆଉ ଅନ୍ୟପଟେ ପରିବାର ପ୍ରତିପୋଷଣା ପାଇଁ ସମସ୍ତଙ୍କ ଚିନ୍ତା । ଆଉ ଏଭଳି ସ୍ଥିତିରେ ଗରିବ ଦିନ ମଜୁରିଆ ଓ ସାଧାରଣ ମଧ୍ୟବିତ୍ତ ଲୋକମାନେ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଭଞ୍ଜନଗର ବଜାର ଓ ଆଖପାଖ ଅଞ୍ଚଳରେ ଅହେତୁକ ବର୍ଦ୍ଧିତ ପରିବା ଦର ବୃଦ୍ଧି ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମୁନାଫାଖୋର ବ୍ୟବସାୟୀମାନେ ବର୍ଦ୍ଧିତ ଦରର ଫାଇଦା ଉଠାଇ ଆଳୁ କିଲୋ ୩୫, ପିଆଜ ୨୫/୩୦, ପୋଟଳ ୭୦, ଟମାଟୋ ୬୦, ଲଙ୍କା ୮୦, ବାଇଗଣ ୪୦/୫୦, କଲେରା ୫୦ ଏବଂ ବାଟୁଳା ୮୦, ହରଡ଼ ଡାଲି ୧୦୦ ଟଙ୍କା ରେ ଓ ଅନ୍ୟାନ୍ୟ ପରିବା ଏବଂ ରାସନ ସାମଗ୍ରୀ ଚଢା ଦର ରେ ବିକ୍ରି କରୁଛନ୍ତି । ସାଧାରଣତଃ ନଦୀ ପାଖାପାଖି ଅଂଚଳରେ ପରିବା ଚାଷ ହୋଇଥାଏ ଏବଂ କୁଲାଡ଼ ପରିବା ହାଟ ଓ ଭଞ୍ଜନଗର ବଜାର ଉପରେ ଅଧିକାଂଶ ଲୋକ ନିର୍ଭର କରିଥାଆନ୍ତି । କିନ୍ତୁ କିଛି ଦିନ ତଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ପ୍ରାୟତଃ ଫସଲ ଓ ପରିବା ଚାଷ ନଷ୍ଟ ହୋଇଯାଇଛି । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ସାଧାରଣ ଖାଉଟି ଉପରେ । ଗୋଟିଏ ପଟେ ସରକାର ଖାଉଟିମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଏ ପଟେ କିନ୍ତୁ ସାଧାରଣ ଓ ମଧ୍ୟବିତ୍ତ ପରିବାରବର୍ଗର ଖାଉଟି ମାନଙ୍କ ପାଇଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଲାଣି । ତେଣୁ ପ୍ରଶାସନ ତରଫରୁ ସାଧାରଣ ଖାଉଟିଙ୍କୁ ଉପଯୁକ୍ତ ମୂଲ୍ୟରେ ପନିପରିବା ଉପଲବ୍ଧ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଉଟି ମହଲରେ ମତ ପ୍ରକାଶ ପାଇଛି ।