ଭକ୍ତଙ୍କ ଧାଡି ଦର୍ଶନ ବ୍ୟବସ୍ଥା ଯୋଗୁଁ ଆଜି ପୁରୀ ବନ୍ଦ: ଆଠଦଫା ଦାବି ପୁରାଣ ପାଇଁ ଜିଦ

ପୁରୀ: ଆଠ ଦଫା ଦାବି ନେଇ ଅକ୍ଟୋବର ୩ (ବୁଧବାର) ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ଦୋକାନ-ବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇପାରେ। ସେହିଭଳି ପୁରୀ ବନ୍ଦ ଶ୍ରୀଜଗନ୍ନାଥ ଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଯାଇ ଭକ୍ତଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ପରୀକ୍ଷା ମୂଳକ ଭାବରେ ଲାଗୁ କରି ଦିଆଯିବା ପରେ ସୋମବାର ଶ୍ରୀମନ୍ଦିର ପରିସରରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଏହାକୁ ଶ୍ରୀଜଗନ୍ନାଥ ସେନା ତୀବ୍ର ବିରୋଧ କରିଥିଲା। ସାମ୍ବାଦିକ ଓ ଜନସାଧାରଣଙ୍କୁ ପୁଲିସର ଲାଠିପ୍ରହାର ଘଟଣାକୁ ସେନା ପକ୍ଷରୁ ବିରୋଧ କରାଯାଇଛି। ସେନାର ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ପୁରୀ ବନ୍ଦ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି। ଧାଡି ଦର୍ଶନକୁ ବିରୋଧ, ସାମ୍ବାଦିକ ଓ ନିରୀହ ଜନତାଙ୍କୁ ପୁଲିସର ଅମାନୁଷିକ ଆକ୍ରମଣ, ଶ୍ରୀମନ୍ଦିରରେ ଭକ୍ତ-ବ୍ରାହ୍ମଣ-ସେବକମାରଣ ନୀତିର ପ୍ରତିବାଦ, ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନିନ କରିବା, ସିଦ୍ଧ ମହାବୀର ରେଳ ଫାଟକଠାରେ ଓଭରବ୍ରିଜ ନିର୍ମାଣ, ଦାଦାବଟି, ପିସି କାରବାର ବନ୍ଦ, ରତ୍ନଭଣ୍ଡାର ଖୋଲିଆ ଆଦି ଦାବି କରାଯାଇଛି।