ବ୍ଲକ୍ ସ୍ତରୀୟ ପଞ୍ଚାୟତରାଜ ଦିବସ ସମାରୋହ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଛି । ଏଥିରେ ବିଡିଓ ଦିପ୍ତୀ ରଂଜନ ସେଠୀ ଅଧ୍ୟକ୍ଷତା କରି ମାର୍ଚ୍ଚ ୫ ତାରିଖ ପଞ୍ଚାୟତର ଉଦ୍ଦେଶ୍ୟ, ସଚେତନତା ସୃଷ୍ଟି ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ପଂଚାୟତ ଦିବସଭାବେ ପାଳନର ଆବଶ୍ୟକତା ସଂପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ରାଣି ଦଳେଇ ପଞ୍ଚାୟତରାଜ ଦିବସ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ ପାଳନ ପୂର୍ବରୁ ନ ଥିବା ବେଳେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ରାଜ୍ୟ ସରକାର ପଞ୍ଚାୟତ ବିକାଶ ଦିବସ ଭାବେ ପାଳନ କରିଆସୁଥିବା କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ବିଜୁବାବୁଙ୍କ ସାହସିକତା, ଜଣେ ବୈମାନିକ ଭାବେ ତାଙ୍କ ଦୁର୍ଦ୍ଧଷ କାହାଣୀ, ଗାଁ କୁ କାମ, ମାକୁ ସମ୍ମାନ, ରାଜ୍ୟ ବଜେଟରେ ଗ୍ରାମାଂଚଳକୁ ୫୭ ପ୍ରତିଶତ ଅର୍ଥ ପ୍ରଦାନ ଓ ତ୍ରିସ୍ତରୀୟ ପଞ୍ଚାୟତ ସେବା ବ୍ୟବସ୍ଥା ସଂପର୍କରେ କହିଥିଲେ । ବିଜେଡିର ଛାମୁଆ ନେତା ମାନସ କୁମାର ଜେନା ଯୋଗ ଦେଇ ନବୀନ ବାବୁଙ୍କ ବିଚକ୍ଷଣତା, ମୋ ସରକାର, ମହିଳା ଗୋଷ୍ଠୀର କାର୍ଯ୍ୟକାରିତା ଏବଂ ସାମଗ୍ରୀକ ଭାବରେ ରାଜ୍ୟର ବିକାଶ ସଂପର୍କରେ ନବୀନ ବାବୁଙ୍କ ପଦକ୍ଷେପ ସଂପର୍କରେ ବିଶଦ ବ୍ୟାକ୍ଷା କରିଥିଲେ । ଜୀବନର ବିନ୍ଦୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୋଜକ ମଧୁସୂଦନ ସେନାପତି, ନିର୍ବାଚିତ ପ୍ରତିନିଧି ରାଜେନ୍ଦ୍ର ପାତ୍ର, ସଂଜୟ କୁମାର ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ସଂଜୁବାଳା ନାୟକ, ମଂଜୁଶ୍ରୀ ପଣ୍ଡା, ରଂଜୁରାଣୀ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଡିଓ ଶ୍ରୀ ସେଠୀ କରୋନା ର ଭୟାବହତା ଓ ନିରାକରଣ ସଂପର୍କରେ କହିଥିବା ବେଳେ ସିଡିପିଓ ଦିପ୍ତିରାଣୀ ପୋଥାଳ ଧନ୍ୟବାଦ ପ୍ରଦାନ କରିଥିଲେ । ଜିପିଓ ମାହାଧର ନାୟକ ମଂଚ ଆହ୍ୱାନ କରିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ବିଜେଡି କର୍ମୀମାନଙ୍କ ପକ୍ଷରୁ ନାମ୍ପୋ, ମୁଣୁତୁଣିଆ, ଗୋପିମୋହନପୁର ଓ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ଓ କୋର୍ଟ ପରିସରରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକ, ଭକ୍ତକବି ଦୀନକୃଷ୍ଣ ଦାସ, ମଧୁସୂଦନ ଦାସ, ଗଦାଧର ଗିରି ପ୍ରମୁଖଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବା ବେଳେ ଜିକେଭଟ୍ଟର ହସ୍‌ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା