ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ଧାରଣା : ବସ୍ତିରୁ ଉଚ୍ଛେଦ ନ କରିବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଲାଞ୍ଜିପଲ୍ଲି ଗୌଡ଼ବନ୍ଧ ସାହିର ଶତାଧିକ ଲୋକ ତାଙ୍କୁ ବସ୍ତିରୁ ଉଚ୍ଛେଦ ନ କରିବାକୁ ଦାବି କରି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଗୁହାରି କରି କହିଛନ୍ତି ଯେ ସେମାନେ ଅତି ଗରିବ ଶ୍ରେଣୀର ଦିନ ମଜୁରିଆ ଲୋକ । ଏହି ଘର ଛାଡ଼ିଦେଲେ ସେମାନଙ୍କ ନିକଟରେ ଆଉ କିଛି ବିକଳ୍ପ ନାହିଁ । ଗତ ୧୬.୭.୨୧ରେ ବସ୍ତି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଆସିଛି । ସେମାନେ ଅଭିଯୋଗ କରିଛନ୍ତି ଯେ କିଛିଦିନ ତଳେ କୋଭିଡ଼୍ ଟୀକା ନେଲେ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ କହି ତାଙ୍କଠାରୁ ଦସ୍ତଖତ ନିଆଯାଇଥିଲା । ସେହି କାଗଜ ବଳରେ ବୋଧେ ସେମାନଙ୍କୁ ଉଚ୍ଛେଦ କରାଯାଉଛି । ବସ୍ତି ଉଚ୍ଛେଦ ଭୟରେ ସେମାନେ କାମକୁ ନଯାଇ ଘରେ ପଡ଼ି ରହିଛନ୍ତି । ଦୀର୍ଘ ୩୫ ବର୍ଷ ହେଲା ଏହି ବସ୍ତିରେ ରହିଥିବା ବେଳେ ସେମାନଙ୍କୁ ଉଚ୍ଛେଦ କରାଗଲେ ସେମାନେ କେଉଁ ଆଡ଼େ ଯିବେ । ତେଣୁ ସେମାନଙ୍କୁ ପଟା ପ୍ରଦାନ କରି ଏଠାରେ ରଖାଯାଉ । ଏହି ଠିକଣାରେ ସେମାନଙ୍କ ଆଧାର କାର୍ଡ଼, ପାନ୍ କାର୍ଡ଼, ରାସନ କାର୍ଡ଼, ଲେବର କାର୍ଡ଼, ଭୋଟର ପରିଚୟ, ଇଲେକ୍ଟ୍ରି ବିଲ୍‌, ପାଇପ୍ ଲାଇନ୍‌, ରୋଡ଼୍‌, ରାସ୍ତା ଘାଟ, ଶୌଚାଳୟ ଏବଂ ଘର ଶିସ୍ତୁ ମଧ୍ୟ ବାନ୍ଧୁଛନ୍ତି । ତେଣୁ ଉଚ୍ଛେଦ ନ କରିବକୁ ଅଂଚଳର ନଅଙ୍କ ଦାସ, ବଳରାମ ଦାସ, ସନ୍ତୋଷ ଦାଶ, ମୁନା ଦାସ, ନାଲୁ ଦାସ, ଆକାଶ ନାୟକ, ନିଳାଞ୍ଚଳ ଦାସ ପ୍ରମୁଖ ବହୁ ଅଂଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା