ବ୍ରହ୍ମପୁର ବିଜେପି ମହିଳା ମୋର୍ଚ୍ଚାର ଉତ୍କଳ ଆଶ୍ରମ ଠାରେ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର,(ସମୃଦ୍ଧଓଡିଶା)ସଂସଦ ଓ ସମସ୍ତ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ଖୁସି ଜାହିର କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତିକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ଼.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି । ବ୍ରହ୍ମପୁର ଉତ୍କଳ ଆଶ୍ରମ ସ୍ଥିତ ଶୋଭା ଗୃହରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ ନେତୃତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ସଶକ୍ତିକରଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ଆଇନ ବଳରେ ମହିଳାଙ୍କୁ ସାମାଜିକ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସ୍ୱାଧୀନତା ପରଠାରୁ ଦେଶର କୌଣସି ରାଜନୈତିକ ଦଳ ମହିଳାଙ୍କ ଅଧିକାର ସାବ୍ୟସ୍ତ କ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ ନଥିବା ବେଳେ କେବଳ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି । ମାତ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଦୀର୍ଘ ୨୭ ବର୍ଷ ଧରି ଅଟକିଥିବା ମହିଳା ଆରକ୍ଷଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇ ଆଇନରେ ପରିଣତ ହୋଇପାରିଛି ବୋଲି ସଭାପତିତ୍ବ କରି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ଼.ଐଶ୍ୱର୍ଯ୍ୟା ବିଶ୍ୱାଳ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ଦେଇ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ ମହିଳା ଉତ୍ପୀଡ଼ନ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ୱାଦିକ ସମ୍ମିଳନୀ ପୂର୍ବରୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ଼.ଐଶ୍ୱର୍ଯ୍ୟା ବିଶ୍ବାଳଙ୍କୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର,ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,କର୍ପୋରେଟର ସବିତା ସାହୁ, ବନିତା ସାହୁ,ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ, ବର୍ଷା ବିଦ୍ୟୁସ୍ମିତା ପାଳ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ଥିବାବେଳେ ମହିଳା ମୋର୍ଚ୍ଚା ଜିଲ୍ଲା ନାରୀନେତ୍ରୀ ପ୍ରେମଶିଳା ନନ୍ଦ,ବରିଷ୍ଠ ନେତ୍ରୀ ସବିତା ନାୟକ,ସଶ୍ମିତା ବିଶ୍ୱାଳ,ରଶ୍ମିତା ସତପଥି,ଗୀତା ଦାସ,ସୁଇଟି ସେଠୀ,ସନ୍ତୋଷୀ ଦାସ, ସଶ୍ମିତା ଦାସ,ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଆଜିର ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ରିପୋର୍ଟ=ରଜତ ପଟ୍ଟନାୟକ