ସମ୍ବିଧାନକୁ ସମ୍ମାନ ଦେବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ-ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ସମ୍ବିଧାନକୁ ସମ୍ମାନ ଦେବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ଦୋହରାଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଉପଖଣ୍ଡସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଦେଶର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତର ସମ୍ବିଧାନକୁ ପ୍ରତ୍ୟେକ ନାଗରିକ ସମ୍ମାନ ଦେଇ ଆସିଛନ୍ତି ଏବଂ ଆଗାମୀ ପୀଢ଼ି ମଧ୍ୟ ସମ୍ମାନ ଦେଇ ମାନି ଚାଲିବା ଉଚିତ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ, ଆଡିସନାଲ ପୋଲିସ ଏସପି ପ୍ରଭାତ ରାଉତରାୟ, ପୌର ନିଗମ ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପ୍ୟାରେଡ଼ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା