ବ୍ରହ୍ମପୁରରେ ବ୍ୟାପକ ଦେଶୀ ମଦ କାରବାର : ପୋଲିସର ଚଢ଼ାଉ, ୧୪ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଜାରୀ କରିଥିବା ବେଳେ ସାରା ଦେଶ ଶୂନଶାନ ହୋଇଯାଇଛି । ଏପରିକି ବିଲେଇ ଟିଏ ବି ବାହାରେ ଦେଖିବାକୁ ମିଳୁ ନଥିବା ଖବର ପହଞ୍ଚୁଥିବା ବେଳେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବ୍ୟାପକ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଖବର ପହଞ୍ଚୁ ଥିବାରୁ ବୁଦ୍ଧିଜୀବୀ ମହଲକୁ ବିଭାଗୀୟ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟପକ୍ଷରେ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ହୋଇ ଯାଇଥିବାରୁ ଦେଶୀ ମଦର ବ୍ୟାପକ କାରବାର ହେଉଥିବା ଖବର ହସ୍ତଗତ ହେଉଛି । ଗତ ଦୁଇ ତିନି ଦିନ ମଧ୍ୟରେ ଛତ୍ରପୁର ଓ ଦିଗପହଣ୍ଡି ଅଞ୍ଚଳରେ ପୋଲିସ ପେଟ୍ରୋଲିନଂ କରି କିଛି ଦେଶୀ ମଦ ଭାଟିକୁ ଜବତ କରିଥିବା ଓ ଏ ସମ୍ପର୍କରେ କିଛି ଲୋକଙ୍କୁ ଗିରଫ କରିଥିବା ମଧ୍ୟ ଖବର ପ୍ରସାରିତ ହୋଇଥିଲା । ପୁଣି ଗତକାଲି ସନ୍ଧ୍ୟାରେ ବ୍ରହ୍ମପୁର ସହରର ଉପକଣ୍ଠ ଲାଞ୍ଜିପଲି ବାଇପାସ ନିକଟସ୍ଥ ଜଳେଶ୍ୱରପୁରରେ ଥିବା ଏକ ଇଟାଭାଟି ନିକଟରେ ଦୁଇଟି ସ୍ଥାନରେ ଦେଶୀ ମଦ ବେପାର ଚାଲିଥିବା ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ଦେଶୀ ମଦ ଆଡାକୁ ଜବତ କରିଥିଲେ । ଏଥିରେ ସଂପୃକ୍ତ ଥିବା ୧୪ ଜଣକୁ ପୋଲିସ ଗିରଫ କରଥିବା ବେଳେ ୨ ଜଣ ବ୍ରହ୍ମପୁରର, ଜଣେ କାକଟପୁରର ଓ ଅନ୍ୟ ଏଗାର ଜଣ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି । ସେମାନେ ହେଲେ ବ୍ରହ୍ମପୁର ଅରବିନ୍ଦ ନଗରର ଭାସ୍କର ସାହୁ (୬୧), ଖୋଡାସିଙ୍ଗ ନୂଆ ବାଉରୀସାହିର ଦିପୁ ସାହୁ(୨୧), ପୁରୀ ଜିଲ୍ଲା କାକଟପୁରର ପ୍ରଫୁଲ୍ଲ କୁମାର ଦାସ (୬୧) ସମେତ ବଲାଙ୍ଗୀର ଜିଲ୍ଲାର ଏଗାର ଜଣ ଟିଟିଲାଗଡ଼ର ମାନସ ଜାଲ(୫୦), ମୁରୀବାହଲର ଅର୍ଜୁନ ବଚ୍ଛା(୪୦), ମୁରୀବାହଲର କ୍ୟାମ୍ପେଶ୍ୱର ବଚ୍ଛା(୨୬), ଟିଟଲାଗଡ଼ର କୈଳାସ ଜାଲ(୧୮), ସିନ୍ଧିକେଲାର ନାସିକ ବାଗ(୧୯), ଟିଟିଲାଗଡ଼ର ତେଜରାମ ବାଗ(୨୦), ଟିଟିଲାଗଡ଼ର ବିଦୀୟ ଜାଲ(୨୬), ଟିଟିଲାଗଡ଼ର କୁଞ୍ଜ ଜାଲ(୩୬), ଟିଟିଲାଗଡ଼ର ଲୋକନାଥ ଥାପା(୨୦), ଟିଟିଲାଗଡ଼ର ଡମ୍ବରୁ ସେରମା(୧୯), ଟିଟିଲାଗଡ଼ର ସୁଧୀର ଜାଲ(୨୭) ପ୍ରମୁଖକୁ ୧୪ ଜଣକୁ ପୋଲିସ ଗିରଫ କରିଛି । ଏହି ଚଢ଼ାଉ ବେଳେ ୪୭୪୦ ବେଆଇନ ଦେଶୀ ମଦ, ୨୩୮୦୦ ପଲିଥିନ ପ୍ୟାକେଟ ପୋଚ, ୨୦ ଲିଟିରିଆ ପ୍ଲାଷ୍ଟିକ ଜାରକିନ, ୨ଟି ପେକିଙ୍ଗ ମେସିନ, ସରକାରୀ ଲେବଲ ନଥିବା ୪ଟି ପଲିଥିନ ରୋଲ ସହିତ ଅନ୍ୟାନ୍ୟ ଦେଶୀ ମଦ ରନ୍ଧା ସାମଗ୍ରୀ ଓ ନଗଦ ୧୨,୨୯୦ ଟଙ୍କା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଜବତ କରିଥିଲା । ଏମାନେ ଏହି ଭାଟିରେ ଦେଶୀ ମଦ ଓ ପୋଚ ତିଆରି କରି ଏହି ଲକଡାଉନ ସମୟରେ ବାହାରକୁ ବିକ୍ରୟ କରିବା ସହ ବେପାର ଚଲେଇଥିବା ଜଣା ପଡିଥିଲା । ବୈଦ୍ୟନାଥ ଥାନା ପୋଲିସ ଏସବୁ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରିବା ପରେ ସମ୍ପୃକ୍ତ ୧୪ ଜଣକୁ ଗିରଫ କରିଥିଲା । ବୈଦ୍ୟନାଥପୁର ଥାନାରେ କେଶ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରିଥିବା ଜଣାପଡିଛି । ଓଡିଶା ଅବକାରୀ ଆଇନ ବଳରେ ଆଇପିସି ଧାରା ୨୭୨/୨୭୩/୩୪ ଏବଂ ୫୨(କ) ଲାଗୁ କରି ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା