ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ହେଉ ନ ଥିବାରୁ ବ୍ୟାପକ ଜନ ଅସନ୍ତୋଷ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବି ପ୍ରାୟ ତିନିଦଶକ ପୁରୁଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଉଦାସୀନତା ଯୋଗୁଁ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ । ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ନେତୃତ୍ୱରେ ଅନେକ ବର୍ଷ ଧରି ଏହି ଆନ୍ଦୋଳନ ଚାଲିବା ପରେ ଗତ ବର୍ଷ ଠାରୁ ଏହା ଜୋରଦାର ହୋଇଥିଲା । ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦ ସାମାଜିକ ସଂଗଠନ ଏକାଠି ହୋଇ ଏହି ବିମାନ ବନ୍ଦର ପ୍ରତିଷ୍ଠା ଆନ୍ଦୋଳନକୁ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇ ଥିଲେ । ବାଇକ୍ ରେଲି, ଜନସଚେତନତା ସଭା, ମାନବ ଶୃଙ୍ଖଳ, ପୋଷ୍ଟକାର୍ଡ କ୍ୟାମ୍ପେନ, ଜନପ୍ରତିନିଧିଙ୍କ ସହ ବୈଠକ, ଜିଲ୍ଲାର ପ୍ରଶାସଙ୍କ ସହ ବୈଠକ, ସବୁ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ପ୍ରଦର୍ଶନ, ଜିଲ୍ଲାର ବିଶିଷ୍ଟ ଲୋକମାନଙ୍କ ସିଗ୍ନେଚର କ୍ୟାମ୍ପେନ, ପିଏମ, ସିଏମ ଓ ଅନ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଜ୍ଞାପନ ପ୍ରଦାନ ଓ ଅନ୍ ଲାଇନ୍ ସୋସିଆଲ ମିଡ଼ିଆ କ୍ୟାମ୍ପେନ ଯୋଗୁଁ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଆନ୍ଦୋଳନ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିଲା । କରୋନାର ଦ୍ଵିତୀୟ ଲହର ପାଇଁ ଏହି ଆନ୍ଦୋଳନ କିଛି ଦିନ ପାଇଁ ଥମି ଥିଲେ ମଧ୍ୟ ପୁଣି ଗତ କିଛି ଦିନ ହେଲା ପ୍ରସ୍ତୁତି ବୈଠକ ଆୟୋଜନ କରି ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଓ ଅନ୍ୟ ସଂଗଠନ ପ୍ରୟାସ ଆରମ୍ଭ କରିଛନ୍ତି । ବ୍ରହ୍ମପୁରରେ ଅନୁଷ୍ଠିତ (୨୦-୨୧ ଜୁନ) ଦୁଇ ଦିନିଆ ବୈଠକରେ, ୫୦ କିମି ଦୂରରେ ଭୁବନେଶ୍ଵର ଓ ପୁରୀରେ ୨ଟି ଓ ପଶ୍ଚିିମ ଓଡ଼ିିଶାରେ ୩ଟି ବିମାନ ବନ୍ଦର ସରକାର ପ୍ରତିଷ୍ଠା କରୁଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କୋୖଣସି ପଦକ୍ଷେପ ନେଉ ନଥିବାରୁ ଏହାର ତୀବ୍ରନିନ୍ଦା କରାଯାଇଥିବା ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ସୁଚନା ଦେଇଛନ୍ତି । ବୈଠକରେ ଉପସ୍ଥିତ ଥିବା ଅନେକ ବୁଦ୍ଧିଜୀବି ପ୍ରଶ୍ନ କରିଥିଲେ ଯେ ଜଗନ୍ନାଥଙ୍କ ନାରେ ନାମକରଣ କରିବାକୁ ଚାହୁଁଛନ୍ତି ତ ଭୁବନେଶ୍ଵର ବିମାନବନ୍ଦରର ନା ପରିବର୍ତ୍ତନ ସରକାର କାହିଁକି କରିଦେଉ ନାହାନ୍ତି । ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଏହି ବୈଠକରେ ଯୋଗଦେଇ କଣ ସରକାରଙ୍କ ପାଇଁ ଓଡ଼ିଶା ଅର୍ଥ ‘ଭୁବନେଶ୍ଵର, କଟକ ଆଉ ପୁରୀ’ କି ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ଜନ ପ୍ରତିନିଧି ଓ ଗତ ୨୫ ବର୍ଷରେ ୬ ଥର ଏହି ଜିଲ୍ଲାରୁ ନିର୍ବାଚିତ ହୋଇ ଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ଗୋଟିଏ ମଧ୍ୟ ଆଖିଦୃଷ୍ଟିଆ କାମ କରିନାହାନ୍ତି ବୋଲି ଫୋରମ୍ ସଭାପତି କହିଥିଲେ । ସେ କହିଥିଲେ ଯେ ଓଡ଼ିଶା ସରକାର କୋଉଠି କଣ କରୁଛନ୍ତି କରନ୍ତୁ କିନ୍ତୁ ଦକ୍ଷିଣ ଓଡ଼ିଶା ଓ ଏହାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ଯେଉଁ ସାବତ ମା’ର ବ୍ୟବହାର କରୁଛନ୍ତି ତାହା ବନ୍ଦ କରନ୍ତୁ ଓ ଅତି ଶୀଘ୍ର ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା କରନ୍ତୁ । ଏହି ବୈଠକ ପରେ ବ୍ରହ୍ମପୁରରେ ବିମାନ ବନ୍ଦର କେବେ ? ଓ airport4berhampur hashtag ବ୍ୟବହାର କରି ସୋସିଆଲ ମିଡ଼ିଆ କ୍ୟାମ୍ପେନ ଆରମ୍ଭ କରାଯାଇଥିଲା । ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆଗକୁ ଗଞ୍ଜାମ ଜିଲ୍ଲାରେ ବିରାଟ ଜନ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଫୋରମ୍ ସଭାପତି ସୂଚନା ଦେଇଛନ୍ତି ।