ବେସରକାରୀ ବିଦ୍ୟାଳୟରେ ମାଗଣା ଶିକ୍ଷା ଯୋଜନା, ଚାରିବ୍ଳକ ସ୍ତରୀୟ ସମୀକ୍ଷା ଓ ଆଭିମୁଖ୍ୟ କାର୍ଯ୍ୟକ୍ରମ : ୨୫ ପ୍ରତିଶତ ଶିକ୍ଷାର୍ଥିଙ୍କ ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ଶିକ୍ଷା ପଦ୍ଧତିର ସରଳିକରଣ ଏବଂ ସମସ୍ତଙ୍କୁ ଶିକ୍ଷା ଦେବା ଲାଗି ସରକାରୀ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ଲାଗି ହେଉଥିବା ପ୍ରଚେଷ୍ଟା ସମ୍ପର୍କରେ ଆଜି ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୪ ବ୍ଳକକୁ ନେଇ ଜୋନାଲ ସ୍ତରୀୟ ସମୀକ୍ଷା ଓ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବେସରକାରୀ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ଲାଗି ସରକାରଙ୍କ ଯୋଜନା କାର୍ଯ୍ୟକାରି କରିବାଲାଗି ଏହାର ଆଭିମୁଖ୍ୟ ବୋଲି କୁହାଯାଇଛି । ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ ଭଗୀରଥ ଗିରି ପୌରହିତ୍ୟ କରି ସ୍ୱାଗତ ଓ ସୂଚନା ଦେଇଥିଲେ । ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଯୋଗ ଦେଇ ଶିଶୁର ଶିକ୍ଷା ଅଧିକାର ତାର ମୌଳିକ ଅଧିକାର ହୋଇଥିବାରୁ ଶିକ୍ଷା ବିଭାଗ ଏଥିଲାଗି ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଥିଲେ । ଗରିବ ମେଧାବି ଛାତ୍ରଛାତ୍ରୀ ଏଥିରୁ ଯେପରି ବଂଚିତ ନ ହୁଅନ୍ତି ସେଥିପାଇଁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ୨୫ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବିନା ଅର୍ଥରେ ଶିକ୍ଷାଦାନ ଦେବା ନିୟମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଯୋଜନା ଅଧିକାରୀ ସରୋଜ ମହାପାତ୍ର, ଦୀପନ ନାୟକ, ବିଆର୍‌ସିସି ସୁଶାନ୍ତ କୁମାର ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ, ଓଷ୍ଟା ବାଲେଶ୍ୱର ସଂପାଦକ ମନୋରଂଜନ ଦାସ, ଅନିମେଶ ସ୍ୱାଇଁ, ଚନ୍ଦନ ସେନାପତି ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହି କର୍ମଶାଳାରେ ୪ଟି ବ୍ଳକର ଥିବା ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷାକା ଓ ପରିଚାଳନା କମିଟି ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା