ବେଗୁନିଆପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼…

ବେଗୁନିଆପଡା (ସମୃଦ୍ଧ ଓଡିଶା) କରୋନା ଟିକା ନେବା ପାଇଁ ଆସି ସମାଜିକ ଦୂରତା ଭୁଲିଗଲେଣି ଲୋକେ । ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେବା ପାଇଁ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଟିକା ପାଇଁ ଲୋକେ ହାଉଯାଉ ହୋଇ ନିୟମକୁ ଆଖିଠାର ମାରିଛନ୍ତି । ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୂରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଥିଲାଗି ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ । ହେଲେ ସେଠାରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହାଉଯାଉ ହୋଇ ଭିଡ଼ ଜମାଇଥିଲେ । ଫୋଟରୁ ବାରି ହୋଇ ପଡୁଛି ଯେ ସାମାଜିକ ଦୂରତା ପାଳନ ପାଇଁ ଲୋକ କେତେ ସଚେତନ ? ଏତେ ଅସମ୍ଭାଳ ଭିଡ଼ ସତେ ଯେମିତି କି ସୋରିଷ ପକାଇବା ପାଇଁ ସ୍ଥାନ ନାହିଁ । ଏଠି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି କି ଯଦି କିଏ ଏ ଭିତରେ କରୋନା ଆକ୍ରାନ୍ତ ଥାନ୍ତି ତାହେଲେ ଅନ୍ୟମାନଙ୍କ ଅବସ୍ଥା ଯେ କଣ ହେବ ? ବେଗୁନିଆପଡ଼ା ଫାଣ୍ଡି ପୋଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବପର ନ ଥିଲା । ଲୋକେ ଟୀକା ନେବା ପାଇଁ ଭିଡ଼ ହେଉଥିବାରୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା