ବେଆଇନ୍ ବାଲି ଖାଦାନକୁ ରାସ୍ତା କାଟିଲେ ତହସିଲଦାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀର ବାଲି ଉତ୍ତର ବାଲେଶ୍ୱର ଓ ପଶ୍ଚିମବଂଗରେ ଅଧିକ ଚାହିଦା ଥିବାରୁ ପ୍ରତିଦିନ ହଜାର ହଜାର ଟ୍ରାକ୍ଟର ଓ ଡମ୍ପର ସାହାର୍ଯ୍ୟରେ ଚୋରା ଚାଲାଣ ହୋଇ ଆସୁଛି । ସୁବର୍ଣ୍ଣରେଖା ନଦୀର ବାଲି ଉତ୍ତୋଳନକୁ ଏନ୍‌ଜିଟି ରୋକ ଲଗାଇଥିବା ବେଳେ ପ୍ରଶାସନ ପକ୍ଷରୁ ବାଲି ଉତ୍ତୋଳନ ନିମନ୍ତେ ଟେଣ୍ଡର ଦିଆଯାଇପାରୁ ନାହିଁ । ଫଳରେ ଚୋରା ବାଲି ଚାଲାଣକାରୀମାନେ ରାତିରେ ସ୍ଥାନୀୟ କେତେକ ଗ୍ରାମବାସୀଙ୍କୁ ହାତ କରି ହାଜର ହଜାର ଟ୍ରିପ୍ ବାଲି ପଶ୍ଚିମବଂଗକୁ ଚୋରା ଚାଲଣ କରୁଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଚୋରାବାଲି ବ୍ୟବସାୟୀ ମାନଙ୍କୁ ରୋକାଯାଇ ପାରୁନାହିଁ । ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକ ଏକ ଅଭିନବ ଉପାୟରେ ରାଇବଣିଆ ଅଂଚଳରେ ବେଆଇନ୍ ବାଲି ଖାଦାନକୁ ଥିବା ରାସ୍ତାକୁ ଜେସିବି ସାହାର୍ଯ୍ୟରେ କାଟି ଉଚ୍ଛେଦ କରିଛନ୍ତି । ବେହେରାସାହି ଗ୍ରାମନିକଟରେ ୩, ମାଳିପାଳ ନିକଟରେ୧ଓ ମଧୁରାନାଥ ଠାରେ ଥିବା ୧ଟି ବେଆଇନ୍ ବାଲି ଖାଦାନକୁ ଥିବା ରାସ୍ତାକୁ କାଟି ଦିଆଯାଇଛି । ଫଳରେ ମାଫିଆମାନେ ବେଆଇନ୍‌ଭାବେ ପୁଣି ରାସ୍ତା ନିର୍ମାଣ କରି ବାଲି ପରିବହନ କରିବା ସମ୍ଭବ ହୋଇପାରିବ ନାହିଁ ବୋଲି ତହସିଲଦାର ଶ୍ରୀ ମଲ୍ଲିକ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା