ବିସ୍ମୟ ଗଳ୍ପ…

ଦେହ ଖରାପ ଯୋଗୁ ମଝି ଘରେ ବେଡ଼ ଉପରେ ବସିଥିଲି । ବଡ଼ ପୁଅ ଆସି କହିଲା ବାପା ତମେ ସେ ସିଡି ପାଖ ଘରକୁ ଚାଲି ଯାଅ । ଏ ଭିତର ଘର ଛାଡ଼ି ଦିଅ । ସେ ଘରେ ଖଟ ବିଛଣାର ବ୍ୟବସ୍ଥା ହେଇଛି । ମୁଁ ଟିକେ ଅଡ଼ୁଆରେ ପଡ଼ିଗଲି । କିଛି ଠିକ୍ ଭାବରେ ବୁଝି ପାରିଲିନି । ବାଧ୍ୟ ହୋଇ ବାହାରି ଗଲି ମଝି ଘରୁ ସିଡି ପାଖ ଘରକୁ । ପତଳା ପରିତ୍ୟକ୍ତ ଖଟଟିଏ ପଡିଛି । ହାଲୁକା ଗଦି । ଉପରେ ବେଡ଼ ସିଡ୍ ଟିଏ ବିଛା ହେଇଛି । ସିଲିଂ ପଙ୍ଖା ମୁଣ୍ଡ ଉପରେ । ଟ୍ୟୁବ୍ ଲାଇଟ୍ ଜଳୁଛି କାନ୍ଥରେ । ଏମିତି ସଞ୍ଜ ବେଳେ ପୁଅ କଣ ପାଇଁ ଏ ଘରେ ରହିବାକୁ କହିଲା ? କିଛି ସମୟ ବିବ୍ରତ ହେଲି ଓ ଅନେକ ଭାବିଲା ପରେ ବୁଝି ପାରିଲି ଯେ ଦୁଇ ଦିନ ହେବ ମୋତେ ଥଣ୍ଡା ଜ୍ଵର ହେଇଛି ବୋଲି ପିଲାମାନେ ବୋଧହୁଏ ସନ୍ଦେହ କରି ଗଲେ କାଳେ ମୋତେ କୋରାନା ହେଇନି ତ । ତେଣୁ କରି ପରିବାର ତରଫରୁ ବଡ଼ ପୁଅ ମାଧ୍ୟମରେ ମୋତେ ଏହି ବାହାର ଘରେ ରହିବାକୁ କହିଲେ । ଚିନ୍ତିତ ହେଇ ପଡିଲି । ବିବ୍ରତ ହେଇ ପଡିଲି ଘଡ଼ିଏ । ମୋତେ କୋରୋନା ରୋଗ ପାଇଁ ଯେତେ ଡର ଲାଗିଲାନି ତା ଠାରୁ ପରିବାରର ବ୍ୟବହାର ମୋତେ ବିବ୍ରତ ଚିନ୍ତିତ ଦୁଃଖିତ ଓ ହତୋତ୍ସାହ କରିଦେଲା । ମାେ ପାଦ ତଳୁ ଯେମିତି ମାଟି ଧସି ଗଲା । ମୁଁ ଏକଦମ ଏକୁଟିଆ ହେଇଗଲି । ପିଲାମାନେ କେହି ମାେ ପାଖକୁ ଆସିଲେନି । ନାତି ନାତୁଣୀ ସାନ ପୁଅ ସାନ ବୋହୁ ବଡ଼ ପୁଅ ବଡ଼ ବୋହୂ ଓ ପତ୍ନୀ କେହି, କେହି ବି ଆସିଲେ ନାହିଁ । ସବୁ କିଛି ଚୁପ୍ ଚାପ୍ ଓ ନିଶବ୍ଦ ବାତାବରଣ ଭଳି ଲାଗୁଥିଲା ମୋତେ । ଘର ଚାରି କାନ୍ଥ, କବାଟ ଝରକା ସବୁ ଆଡେ ନଜର ପକେଇଲି । ସେଇ ଘରେ ମାେ ପୋଷା କୁକୁର ଟମି ରହୁଥିଲା । ଟମି ମୋର ସାଙ୍ଗ ଟିଏ ପରି ମିଳିଗଲା । ଟମି । ଏକ ରାସ୍ତାର ବୁଲା କୁକୁର । ଗାଡ଼ି ଧକ୍କାରେ ଆହତ ହୋଇ ପଡ଼ିଥିଲା । ମୁଁ ଟମିକୁ ଉଠେଇ ଆଣି ଚିକିତ୍ସା କରି ଘରେ ପାଳିଛି । ଅତି ବିଶ୍ଵସ୍ତ ଏହି ପୋଷା କୁକୁର । ସବୁ ବେଳେ ସାଙ୍ଗରେ ଥାଏ । ସକାଳୁ ରାସ୍ତାରେ କିମ୍ବା ସଂଜକୁ ଆମେ ଦୁହେଁ ବାହାରି ପଡୁ କସରତରେ । ଟମିର ଏ ହେଉଛି ରାତିରେ ବିଶ୍ରାମ କରିବା ଘର । ଟମି ମୋତେ ପାଇ ଭାରି ଖୁସି ହେଇଗଲା । ମୁଁ ବି ଖୁସି ହେଲି ଘଡ଼ିଏ । ଏହାପରେ ମୁଁ ଏକ ଅହେତୁକ ଚିନ୍ତାରେ ହଜିଗଲି । ସରକାରୀ ଚାକିରୀ କଲା ପରେ ମୁଁ ଏଇ ସହରରେ ରହୁଛି । ପିଲା ପିଲିଙ୍କୁ ଧରି ଆସି ଥିଲି ମା ବାପାଙ୍କୁ ଗାଆଁରେ ଛାଡ଼ି । ସହରରେ ରହିବି ଉନ୍ନତ ମାନର ଜୀବନ ଶୈଳୀ ସହିତ । ଗାଆଁରେ ଅଛିବା କଣ ? ଏହି ସହରର ପିଲା ମାନେ ଜନ୍ମ ହେଲେ । ବଡ଼ ହେଲେ । ପାଠ ପଢ଼ିଲେ । ଘର ଟିଏ କଲି । ସହରର ଅତି ଉନ୍ନତ ମୂଲ୍ୟବାନ ଜାଗାରେ । ସିଡି ପାଖରେ ଏକ ଛୋଟ ଘର ଟିଏ ତିଆରି କରିଥିଲି । ସରଭ୍ୟାଣ୍ଟ କ୍ଵାଟର । ଏଇ ସେଇ ଘର ଯେଉଁଠି ଆଜି ମୁଁ ରାତି ବିତାଉ ଛି ପିଲାଙ୍କ ନିର୍ଦ୍ଦେଶରେ । ରାତି ଭରି ନିଦ ହେଲାନି । ଜୀବନକୁ ଦୋହରେଇଲି କେତେ ଥର । ସୁଖରେ ରହିବି ବୋଲି ସ୍ୱାର୍ଥପର ହେଉ ଗାଆଁ ମା ବାପାଙ୍କୁ ଓ ଭାଈ ମାନଙ୍କୁ ଅଣଦେଖା କରି ସ୍ତ୍ରୀ ପିଲାଙ୍କ ସହିତ ସୁଖରେ ରହିବି ତେଣୁ ସହରରେ ଘର କଲି । ସମସ୍ତେ ପର ଏଇ ମାନେ ହିଁ ନିଜର । ଏଇମାନେ ମୋର ଆଉ ମୁଁ ସେମାନଙ୍କର । ଆଜି ଚାକିରୀରୁ ଅବସର ନେବା ମାତ୍ର ଦୁଇ ବର୍ଷ ପରେ ଓ କରୋନ ମହାମାରୀ ସଙ୍କଟ ଭିତରେ ଯେମିତି ଜୀବନର ଅର୍ଥ ପାଇଗଲି । ମିଛ ମାୟା ସଂସାର କେହି ନୁହେଁ କାହାର । ରାତି ବଢ଼ିବାକୁ ଲାଗିଲା । ନିଶବ୍ଦ ଘର କରି ଥିଲା । ରାତି ଏଗାରଟା ପରେ ପତ୍ନୀ ଶାନ୍ତି ଥାଳିରେ ରୁଟି ଧରି ଆସି କବାଟକୁ ଅଳ୍ପ ଖୋଲି ଘର ଭିତରକୁ ଠେଲି ଦେଇ ଚାଲି ଗଲା । ମୋତେ ଥରୁ ଟିଏ ଆଖି ଉପର କରି ଦେଖିବାକୁ ଚାହିଁ ଲାନି । ବରଂ ମୁହଁରେ ଲୁଗା ଯାକି ଜଲ୍ଦୀ ଜଲ୍ଦୀ ଚାଲିଗଲା ପତ୍ନୀ ଶାନ୍ତି । ପାଣି ପିଇବାକୁ ପାଣି ବୋତଲ ଟିଏ ଛାଡ଼ି ଯାଇଥିଲା ରୁଟି ଥାଳି ସହିତ । ମୁଁ ବୁଝି ପାରୁ ନ ଥିଲି ଏମିତି କଣ ଗୋଟାଏ ହେଇଗଲା ଯେ ସାରା ଦୁନିଆଁ ମୋର ପର ହେଇଗଲା ? କିଛି ଖାଇବାକୁ ଇଛା ହେଲାନି । ନିଦ ବି ହେଲାନି । ଅନେକ ପୁରୁଣା ସମ୍ପର୍କ ଓ ନିଜର ନ ହେଲେବି ନିଜର ଠାରୁ ଅଧିକ ଲାଗୁଥିବା ଲୋକଙ୍କୁ ମନେ ପକେଇ ଦୁଃଖୀ ହେଲି । ସେମାନଙ୍କ ମଧ୍ୟରୁ କେତେ ଅଛନ୍ତି କେତେ ଦୁନିଆଁରୁ ଚାଲି ଗଲେଣି । ରକ୍ତ ସମ୍ପର୍କ ସବୁ କିଛି ନୁହେଁ । ଗାଁରେ ଏ ସବୁ ସମ୍ପର୍କୀୟ ମିଳନ୍ତି । ସହରରେ ନୁହେଁ । ସହରରେ ନିଜର ବି ନିଜର ନୁହନ୍ତି । ରାତି ପାହିଲା ବିନା ନିଦରେ ଟମି ବି ଶୋଇ ନଥିଲା ରାତିରେ ସକାଳ ଛଅଟା ବାଜୁ ବାଜୁ ମାେ ଘର ସାମ୍ନାରେ ନିକଟସ୍ଥ ହସ୍ପିଟାଲରୁ ଆମ୍ବୁଲାନ୍ସ ଆସି ଛିଡା ହେଇଥିଲା । ମୁଁ ହର୍ଣ୍ଣ ଶୁଣି ବାହାରକୁ ଆସିଲି ଆମ୍ବୁଲାନ୍ସ କର୍ମୀ ମାେ ନା ପଚାରିଲେ ମୁଁ ନିଜ ପରିଚୟ ଦେଲି । ସେମାନେ କହିଲେ ଆପଣଙ୍କୁ କରୋନାର ଲକ୍ଷଣ ଦେଖା ଦେଇଛି ତେଣୁ ଆପଣଙ୍କ ପୁଅ ଆମକୁ ଫୋନ୍ କରି କହିଲେ ଓ ଆପଣଙ୍କୁ ଟେଷ୍ଟ ପାଇଁ ଆମ ସହିତ ଆସିବାକୁ ପଡ଼ିବ । ମୁଁ ଆଶ୍ଚର୍ଯ୍ୟ ହେଲି । ନିରୁତ୍ତର ଥିଲି ହସ୍ପିଟାଲ୍ କର୍ମୀ ମାନେ ଜଲ୍ଦୀରେ ଥିଲେ । ମୋତେ ଭାବିବାକୁ ସମୟ ଦେଲେନି । ଘର ଆଡ଼କୁ ମୁହ ମୋଡ଼ି ଦେଖିଲି ଉପର ଘରୁ ସାନ ପୁଅ ବୋହୁ ନାତି ନାତୁଣୀ କବାଟ ଖୋଲି ମାେ ଆଡକୁ ଚାହିଁ ଛନ୍ତି । ତଳ ଘରୁ ବଡ଼ ପୁଅ, ବଡ଼ ବୋହୁ ଆଉ ସ୍ତ୍ରୀ ଶାନ୍ତି ବଡ଼ ନାତି ନାତୁଣୀ ସହିତ ଘର ବିତରୁ ଝରକା ଦେଇ ଚାହିଁ ଛନ୍ତି ସମସ୍ତେ ମାେ ଆଡ଼କୁ । ଟମି ମାେ ପାଖରେ ଛଡା ହେଇଛି । ନିଜକୁ ଅପରାଧୀ ଭଳି ଅନୁଭବ କରୁଥିଲି । ସମସ୍ତଙ୍କ ଠାରୁ ନଜର ହେଟେଇ ଚୁପ୍ ଚାପ୍ ଆମ୍ବୁଲାନ୍ସରେ ବସିଲି ଗାଡ଼ି ଆଗକୁ ଗଡିଲା । ଏଇ ଦୁଇଶ ମିଟର ଦୂରରେ ହସ୍ପିଟାଲ୍ । ଟମି ଗାଡ଼ି ପଛେ ପଛେ ଦୋୖଡିଥାଏ । ମୋତେ ହସ୍ପିଟାଲ୍ ଭିତରକୁ ନିଆଗଲା,ଏକ ଆଇସୋଲଟେଡ୍ ବେଡ଼ରେ କ୍ଵାରେନଣ୍ଟୀନରେ ରହିଲି, ରୁଟିନ ଚେକ୍ ଚାଲିଲା, ଟେଷ୍ଟ ହେଲା ଏକ ବିଚିତ୍ର ବାତାବରଣ ଭିତରେ ପେଶି ହେଇ ଜୀବନ ଶୈଳୀ ବଦଳି ଗଲା, ଲାଗୁଥିଲା ଏକ ଝଡ ଆସିଥିଲା ଗତ ରାତିରେ, ସମସ୍ତେ ଯେମିତି ମୋତେ ଆକୁଟିଆ କରି ନିଜ ନିଜ ରାସ୍ତାରେ ଚାଲିଗଲେ । ମୁଁ ଆତ୍ମ ନିର୍ଭର ଶୀଳ ବ୍ୟକ୍ତି । ଏହାକୁ ବି ଜୀବନର ମନ୍ତ୍ର ମାନି ଥିଲି । ଯେତେ ସମ୍ଭବ ନିଜ କାମ ନିଜେ କରେ । କାହାରି ଉପରେ ବେଶି ନିର୍ଭର କରେନା । ଶାନ୍ତି ତା ପୁଅ ବୋହୁ ସହିତ ଖୁସିରେ ଥାଏ । ମୁଁ କେବେ ଆପତ୍ତି କରେନି । ଅନ୍ୟକୁ ଦିଷ୍ଟୁର୍ବ କରେନି । ନିଜ କାମ ନିଜେ କରି ନେଇ ଯାଏ । ପତ୍ନୀ ଶାନ୍ତି ପିଲା ମାନଙ୍କ ସହିତ ଜଡିତ ଥାଏ । ଚାକିରୀରୁ ଅବସର ପରେ ମୁଁ ଏକାନ୍ତ ଅନୁଭବ କରେ । ବାସ ଯେଉଁ ଦିନ ବା ଯେତେ ବେଳେ ପଇସା ର ଆବଶ୍ୟକ ପଡେ ଶାନ୍ତି କଥା ହୁଏ । ପଇସା ନେଇଗଲା ପରେ କେବେ କେମିତି କଥା ବାର୍ତ୍ତା । ନ ହେଲେ ପିଲାଙ୍କ ସହିତ ମିଶି ସେ ସମୟ ବିତାଏ । ପେନସନ ବାବଦକୁ ମୋତେ ଚାଳିଶ ହଜାର ମିଳେ ମାସିକ । ମୋତେ ନା ପିଲାଙ୍କ ପଇସା ର ଆବଶ୍ୟକତା ଥାଏ ନା ମୁଁ କେବେ ପିଲାଙ୍କ ପଇସା ନିଏ କିନ୍ତୁ ପିଲାମାନେ ମଝିରେ ମଝିରେ କିଛି ଆବଶ୍ୟକ କହି ମାେ ଠାରୁ ପଇସା ନିଅନ୍ତି । ମାେ ପଇସା ବ୍ୟାଙ୍କରେ ପଡି ଥାଏ ଆବଶ୍ୟକ ହେ ଲେ ପଇସା ବାହାର କରେ । ହସ୍ପିଟାଲ ରେ ଦିନ ବିତିଲା । ଡକ୍ଟର ଓ ନର୍ସଙ୍କ ସହିତ ଦୂରତାରେ ରହି ମନର ଭାବ ପ୍ରକାଶ କରୁଥିଲି । ଆତ୍ମୀୟତା ର ଭାବ ଆଣୁଥିଲି । ବହି ପଢ଼ୁଥିଲି । ବ୍ୟାୟାମ କସରତ୍ କରୁଥିଲି । ଜୀବନର ଅର୍ଥ ନିଜକୁ ଉଦାହରଣ ରଖି ତଉଲୁ ଥିଲି । କିଏ କାହାର ? କାହା ପାଇଁ ଏ ସବୁ ? ଯିଏ ଆଖି ପିଛୁଳାକେ ପର କରିଦେଲେ ? ଜୀବନ ସାରା ରୋଜଗାର । ମାେ ପାଇଁ । ମାେ ନିଜର ମାନଙ୍କ ପାଇଁ । ଘଡି ଟିଏ ଭିତରେ ପର କରିଦେଲେ ? ଆଜି ସବୁ ଆଡେ ଖାଲି ମୋର ମୋର, ନ୍ୟାୟ ଅନ୍ୟାୟକୁ ଭ୍ରୁକ୍ଷେପ ନକରି ଲୁଟି ଚାଲିଛି ମଣିଷ, ମୋର ମୋର ହେଇ, ତେବେ କଣ ପାଇଁ ଏ ପାଗଳାମି ? ମୁଁ ବି ଖୁବ୍ କରିଛି ଏହି ଭଳି ପାଗଳାମି ନିଜ ଚାକିରୀ କାଳରେ, କର୍ମ ମୟ ଜୀବନରେ । ମୋର ବଡ଼ ଘର ଦରକାର । ମାେ ପିଲାମାନେ ଭଲ ପାଠ ପଢି ଭଲ ଚାକିରୀ କରିବେ । ଭଲରେ ରହିବେ । ଭଲରେ ଖାଇବେ । କାହାରିକୁ କେବେ ଅସୁବିଧା ନ ହେଉ ତେଣୁ ସମସ୍ତଙ୍କ ଇଛା ପୁରା କରି ବା ପାଇଁ କେତେ ଯେ ନିଜ ସୁଖକୁ ଜଳାଞ୍ଜଳି ଦେଇଛି । ହେଲେ ଏହାର ପରିଣାମ କଣ ହେଲା ? ଏମିତି ଅନେକ ପ୍ରଶ୍ନରେ ଦିନ ବିତୁଥିଲ ହସ୍ପିଟାଲରେ । ଅଭିମାନରେ, ଲୁହରେ, ଦିନକୁ ଦିନ ମୁଁ ନିଜକୁ ମଜବୁତ କରି ନେଉଥିଲି ହସ୍ପିଟାଲରେ, ଠିକ୍ ଅଛି ବଞ୍ଚି ଥାଉ ଥାଉ ସତ ଜାଣିଗଲି, ମଲା ପରେ ବାସ ମଣିଷ ଫୋଟୋ ଟିଏ ହାଏ ଯାଏ । ବର୍ଷକେ ଥରେ ବର୍ଷିକିଆ ରେ ଫୋଟୋ ସଫା ହେଇ ଫୁଲ ମାଳ ଚଢା ଯାଏ । ସିଏ ପୁଣି ଦୁଇ ଚାରି ବର୍ଷ । ତିନି ଦିନ ପରେ ସାନ ପୁଅର ଫୋନ ଆସିଲା । ପ୍ରଥମେ ଭାବିଲି ଫୋନ୍ ଉଠେଇବି ନାହିଁ । କିନ୍ତୁ କାହିଁକି କେଜାଣି ମନ ମାନିଲାନି । ଫୋନ ଉଠେଇଲି । କେମିତି ଅଛ ବାପା ? ମୁଁ ଜବାବ ଦେଇ ପାରୁ ନଥିଲି । ପୁଣି ପୁଅ ପଚାରିଲା ଡାକ୍ତରଙ୍କ ରିପୋର୍ଟରୁ କଣ ମିଳିଲା ? ମୁଁ ଦୁଇ ଦିନ ହେଲା ଡ଼କ୍ଟରଙ୍କ ସହିତ ସମ୍ପର୍କରେ ରହିବାକୁ ଚେଷ୍ଟା କରୁଛି । । କିନ୍ତୁ କେହି ମାେ ଫୋନ ଉଠାଉ ନାହାନ୍ତି । ସାନ ପୁଅ କହିଲା । ତେଣୁ ଆପଣ କୁହନ୍ତୁ ବାପା ରିପୋର୍ଟ ରେ କଣ ଆସିଛି ?
ମୁଁ ଜବାବରେ କହିଲି ପୁଅ ମୁଁ ବି ଜାଣିନି ରିପୋର୍ଟରେ କଣ ଆସିଛି କାରଣ ମୁଁ ଜାଣିବାକୁ ଚେଷ୍ଟା କରିନି । ମୁଁ ମରଣକୁ ଆଉ ଡରୁନି । କିନ୍ତୁ ହଁ ମୋର ଠିକ୍ ଭାବରେ ଚିକିତ୍ସା ଚାଲିଛି ଏଠି । କାହାରିକୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଫୋନ କାଟିଲି । ଆଉ ଦୁଃଖ ଲାଗିଲା ନାହିଁ । ନା ଆଉ କାହିଁକି ଆଖିରୁ ଲୁହ ବୋହିଲାନି । କୋରୋନା ବିପତ୍ତିରେ ଏକ ସତ୍ୟତା ର ଉଜାଗର ହେଇଗଲା । ମିଛ ମାୟା ସଂସାର । କେହି ନୁହେଁ କାହାର । କେହି କାହାର ନୁହନ୍ତି ବାବୁ । ସବୁ ମାୟାର ଅନ୍ଧ ପୁଟୁଳି । ଯିଏ ଯେତେ ମୋର ମୋର ହୁଏ ସିଏ ସେତେ କଷ୍ଟ ପାଏ । ବିବାହ । ପତ୍ନୀ ଶାନ୍ତି । ପିଲା ପିଲି । ଏକ ମମତାର ବନ୍ଧା ସଂସାର । ଗୋଟାଏ ଝଟକାରେ ପର ହେଇ ଗଲେ । ମୋର ସେମାନଙ୍କ ପ୍ରତି ଅବଦାନ କୁ ଭୁଲି ଗଲେ । ଭାବନା ରେ ଘୁମ୍ ହେଇ ଯାଉଥିଲି । ଭାବି ବସୁଥିଲେ କଣ୍ ଗୁଡାଏ ଭାବି ଚାଲୁ ଥିଲି । ବେଳେ ବେଳେ ଭାବୁ ଥିଲି ଟମି କଥା । ନଖାଇ ନପିଇ କଣ୍ ସତରେ ହସ୍ପିଟାଲ୍ ଆଗରେ ପଡି ରହିଥିବ ନା ଘରକୁ ଫେରି ଯାଇଥିବ ? ମାେ ବିନା ମାେ ପରିବାରରେ ଏଇ ପଶୁ ଟିକୁ କେହି ବୁଝି ପାରନ୍ତି ନାହିଁ । ଏମିତି କିଛି ଭାବୁଥିଲି ମାେ ୱାର୍ଡର ଡାକ୍ତର ଆସିଲେ । ହସି ହସି ମୋତେ କହିଲେ ଆପଣ ର ରିପୋର୍ଟ ନେଗେଟିଭ ଆସିଛି । ଆପଣ ଘରକୁ ଯାଇ ପାରନ୍ତି । ମୋ ପାଇଁ ବହୁତ୍ ଖୁସି ହେବାର କିଛି ନଥିଲା । ଆଠ ଦିନ ଭିତରେ ମୁଁ ଠିକ୍ ହେଇଗଲି ।ଡକ୍ଟର ରେପୋର୍ଟ୍ ମୂତାବିକ୍ ମୋତେ ହସ୍ପିଟାଲର ପେପରରେ ସାଇନ୍ କରିବାକୁ କହିଲେ । ମୁଁ ସାଇନ୍ କଲି । ଡକ୍ଟର କହିଲେ । ମୁଁ ଆପଣଙ୍କ ପରିବାରକୁ ଅବଗତ କରେଇ ଦେଇଛି । ସେମାନେ ଆସୁଥିବେ । ଆପଣ ପ୍ରସ୍ତୁତ ରୁହନ୍ତୁ ଘର ଫେରିବା ପାଇଁ । ଡକ୍ଟରଙ୍କୁ ଧନ୍ୟବାଦ୍ ଦେଇ ଜଲ୍ଦୀ ପାଦରେ ହସ୍ପିଟାଲ୍ ବାହାରକୁ ବାହାରି ଆସିଲି । ପିଲା ମାନେ ଆସିବା ପୂର୍ବରୁ ମୁଁ …..। ଏମିତି କିଛି ଭାବୁ ଭାବୁ ଟମି ନଜର ପଡିଗଲା । ସେମିତି ଗୋଟେ ଗଛ ତଳେ ମୁହଁ ଶୁଖେଇ ସୋଇଛି । ମୋତେ ଦେଖି ଆନନ୍ଦରେ ଊଛୁଳି ପଡ଼ିଲା ମୋ ଉପରେ । ମୁଁ ଖୁବ୍ ଗେଲ କଲି ଟମିକୁ । ଆମେ ଦୁହେଁ ଘରର ବିପରୀତ ଦିଗରେ ଚାଲିଲୁ । ପୁଣି ଚାଲି ଚାଲି ଆଗକୁ ଗଲୁ । ଆମେ ଦୁହେଁ ଅଜଣା ଓ ଅପରିଚିତ ଭାବରେ ଏକ ଭଡ଼ା ଘରେ ରହିଲୁ । ଏବେବି ରହୁଛୁ । ଭାରି ଖୁସିରେ ଅଛୁ । ସେଦିନ ପିଲା ମାନେ ଆସି ଫେରି ଯାଇଥିବେ ହସ୍ପିଟାଲରୁ । ମୁଁ ମୋବାଇଲ୍ ସିମ୍ ବଦଳେଇ ଦେଇଥିଲି । ପରିଚୟ ଲୁଚେଇ ଦେଇ ଥିଲି ଟିକେ ଅବଶିଷ୍ଟ ଜୀବନ ସୁଖରେ ରହିବା ପାଏ |