ଅଭିଶପ୍ତ ଗାଁ ବନ୍ତ। : ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୮ କିମି ଦୂରରେ ଅବସ୍ଥିତ କ୍ଷେତମୁଣ୍ଡାଳି ପଞ୍ଚାୟତର ବନ୍ତ। ଗ୍ରାମ । ଏହି ଗାଁ ଏକ ଅଭିଶପ୍ତ ଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାଯ୍ୟକାରୀ ହୋଇଛି କିନ୍ତୁ ତାହା କୌଣସି କାଯ୍ୟକୁ ନୁହେଁ । ଗୋଟିଏ ପଟେ ସରକାର ଆମ ଗାଁ ଆମ ବିକାଶର ନାରା ଦେଉଥିବା ବେଳେ ଏହି ଗ୍ରାମରେ ବିକାଶ ଯେମିତି ଅପହଞ୍ଚ ଲାଗୁଛି । ସ୍ୱାଧୀନତାର ୭୪ ବର୍ଷ ପରେ ଡିଜିଟାଲ ଦୁନିଆରେ ଥାଇ ମଧ୍ୟ ଏହି ଗ୍ରାମକୁ କୌଣସି ପ୍ରକାରର ମୋବାଇଲ ନେଟୱାର୍କ ଆସୁନି ଯାହା ଏହି ଗ୍ରାମର ମୁଖ୍ୟ ସମସ୍ୟା । ଫଳରେ ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ବର୍ତ୍ତମାନ ହୋଇଥିବା ଅନଲାଇନ କ୍ଲାସ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ସେହିପରି ଯେ କୌଣସି ଜରୁରୀକାଳୀନ କାଯ୍ୟ ପାଇଁ ଏଠାକାର ଲୋକ ମାନେ ଗ୍ରାମଠାରୁ ୨/୩ କିମି ଦୁରକୁ ଗଲେ ନେଟୱାର୍କ ଆସୁଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କିପରି ଭାବରେ କାଯ୍ୟକାରୀ ହେଉଛି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶର ଯୋଜନା ! ସେହିପରି ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଓ ଗ୍ରାମ ଦେଇଯାଇଥିବା ରାସ୍ତା ଅନ୍ୟ ଏକ ସମସ୍ୟା । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗାଁ’ରେ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । କିନ୍ତୁ ପାଣି ଛଡ଼ାଯିବା ପାଇଁ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କୁ ଦରମା ଦିଆଯାଉନଥିବାରୁ ତାହାକୁ ସେ ସୁଚାରୂପେ ତୁଲାଉ ନାହାନ୍ତି ଓ ନିଜ ଇଚ୍ଛା ମୁତାବକ ପାଣି ଛାଡ଼ୁଛନ୍ତି । ଯାହା ଫଳରେ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପରିମଳ ବ୍ୟବସ୍ଥା ନାମ ଆସୁଥିବା ଟଙ୍କା କୁ ଖର୍ଚ୍ଚ କରାଯିବା ବଦଳରେ ଟଙ୍କାକୁ ଆତ୍ମସାତ କରାଯାଉଛି । ଫଳରେ ଗ୍ରାମର ଅନେକ ଜାଗାରେ ମଇଳା ଜମା ହୋଇ ରହିବା ସହ ଲୋକେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି । ସେହିପରି ଗ୍ରାମ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା କହିଲେ ନସରେ । ବର୍ଷାରେ ଏହି ରାସ୍ତାରେ ଚାଲିଯିବା ମଧ୍ୟ ସମ୍ଭବ ହେଉନାହିଁ । ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନକୁ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଏ ନେଇ ଆମେ ଜଗନ୍ନାଥ ପ୍ରଶାଦ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଅତିଶୀଘ୍ର ପାନୀୟ ଜଳ ସମସ୍ୟା ଓ ପରିମଳ ବ୍ୟବସ୍ଥାର ସମାଧାନ କରାଯିବା ସହ ଉକ୍ତ ଗ୍ରାମ ଦେଇଯାଇଥିବା ରାସ୍ତାଟି RD ବିଭାଗ ଅଧୀନରେ ଆସୁଥିବାରୁ ସେ ଏ ନେଇ RD ବିଭାଗ ସହ ଆଲୋଚନା କରିବେ । ଅପରପକ୍ଷରେ ସ୍ଥାନୀୟ ସରପଞ୍ଚ ନିଳାଞ୍ଚଳ ଖିଲାର କହିଛନ୍ତି ସେ ବିରୋଧୀ ଦଳର ନିର୍ବାଚିତ ସଦସ୍ୟ ହୋଇଥିବାରୁ ଶାସକ ଦଳର କିଛି ନେତା ରାଜନୈତିକ ଆକ୍ରୋସ ରଖି ତାଙ୍କୁ ପଞ୍ଚାୟତର ବିକାଶ କରିବା ପାଇଁ ଦେଉନାହାନ୍ତି । ତଥାପି ସେ ଉକ୍ତ ଗ୍ରାମ ରାସ୍ତା ନିର୍ମାଣ ପାଇଁ RD ବିଭାଗ ସହ ଆଲୋଚନା କରିଛନ୍ତି । ଉକ୍ତ ରାସ୍ତା କାମ ଚାଲୁରହିଛି । ଧୀରେ ଧୀରେ ବନ୍ତ। ଗାଁକୁ ମଧ୍ୟ ଆସିବ । ଏଥିପାଇଁ ଗ୍ରାମବାସୀ ବିବ୍ରତ ନ ହେବାକୁ ସେ କହିଛନ୍ତି ଏବଂ ପାଣି ଛାଡିବା ପାଇଁ ନିଯୁକ୍ତ ହୋଇଥିବା ଉକ୍ତ ବ୍ୟକ୍ତିଙ୍କୁ ଦରମା ଦେବା ପାଇଁ ସେ ଗ୍ରାମ ସେବକଙ୍କୁ କହିଥିଲେ ମଧ୍ୟ କିଛି ରାଜନୈତିକ ଚାପରେ ସେ ଏହା କରୁନାହାନ୍ତି । ଯାହା ଫଳରେ ଏହି ସମସ୍ୟା ଉପୁଜିଥିବା ସେ କହିଛନ୍ତି । ହେଲେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଗ୍ରାମରେ ଅନେକ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ନଜରକୁ କିପରି ଆସୁନାହିଁ ? ଡିଜିଟାଲ ଦୁନିଆରେ ଥାଇ ମଧ୍ୟ ଏହି ଗ୍ରାମବାସୀ କାହିଁକି ଜରୁରୀକାଳୀନ ସେବାରେ ଆସୁଥିବା ମୋବାଇଲ ନେଟୱାର୍କରୁ ବଞ୍ଚିତ ? ରାଜନୀତିର ଏହି ଚକାପଞ୍ଚା ମଧ୍ୟର ବଳି ପଡୁନାହିଁକି ନିରୀହ ଗ୍ରାମବାସୀଙ୍କ ମୌଳିକ ସୁବିଧା ସୁଯୋଗ ? ଆଶା କରୁଛୁ ଖବର ପ୍ରଶାରଣ ପରେ ସରକାର ଓ ପ୍ରଶାସନର ନିଦ ଭାଙ୍ଗିବ ଓ ଗ୍ରାମବାସୀଙ୍କ ଏହି ସମସ୍ୟା ଦୂର ହେବ ।