ବିଶ୍ୱ ରକ୍ତଦାନ ଦିବସ : ବିପଦର ବନ୍ଧୁ ଅନୁଷ୍ଠାନର ସଚେତନତା ଶୋଭାଯାତ୍ରା

ଭଞ୍ଜନଗର(ସମୃଦ୍ଧ ଓଡିଶା) ଗ୍ରୀଷ୍ମ କାଳୀନ ରକ୍ତ ସଙ୍କଟର ଦୂରୀକରଣ କରିବା ନିମନ୍ତେ ଅହରହ ଉଦ୍ୟମରତ ଉଦ୍ୟମୀ ସ୍ବେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଅନୁଷ୍ଠାନ ପକ୍ଷରୁ ଆଜି ବିଶ୍ୱ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ଭଞ୍ଜନଗର ସହରରେ ରକ୍ତଦାନ ସଚେତନତା ଲାଗି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଆରମ୍ଭ ହୋଇ ଆର.ସି.ରୋଡ଼, ମେଇନ ରୋଡ଼, ବସଷ୍ଟାଣ୍ଡ ଦେଇ ପୁଣି ଚିକିତ୍ସାଳୟ ଠାରେ ଶେଷ ହୋଇଥିଲା।ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଶୋଭାଯାତ୍ରାର ଶୁଭ ଉଦଘାଟନ କରିଥିବା ବେଳେ ମେଡିକାଲ ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପୂର୍ଣ ସହର ପରିକ୍ରମା ପରେ ମେଡିକାଲ ପରିସରରେ ଏକ ସଚେତନଧର୍ମୀ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଶ୍ଵାମିତ୍ର ହରପାଲ ଯୋଗଦେଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀମାନଙ୍କୁ ବହୁ ପ୍ରଶଂସା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଅନୁପମ ବାନାର୍ଜୀ, ଶୁଳପାଣି ଶତପଥୀ, ବିଶ୍ଵାମ୍ବର ଜେନା, ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଅନେକଙ୍କ ପ୍ରେରଣା ସାଜିଥିବା ତଥା ବାହାନଗା ରେଳ ଦୁର୍ଘଟଣାରେ ଆହତମାନଙ୍କୁ ନିଜ ଆମ୍ବୁଲାନ୍ସ ରେ ନେଇ ନିଶୁଳ୍କ ସେବା ପ୍ରଦାନ କରିଥିବା ବ୍ରହ୍ମପୁର ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ରାଜୀବମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା ସହ ପ୍ରତ୍ୟହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରାଯାଇଥିଲା। ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ପ୍ରଦୀପ ଜେନାଙ୍କ ପୌରାହିତ୍ୟରେ ଶୋଭାଯାତ୍ରାରେ ସଭାପତି ରବୀନ କୁମାର ସାହୁ ଉପଦେଷ୍ଟା ସନ୍ତୋଷ ମହାନ୍ତି ଏବଂ ଗୌରହରୀ ପୋଲେଈଙ୍କ ସହ ବିପଦର ବନ୍ଧୁ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା, କେ.ଏସ.ୟୁ.ବି କଲେଜ ର ସମସ୍ତ ଏନ.ସି. ସି. ଛାତ୍ରଛାତ୍ରୀ ଓ ଯେ.ଯେ.ସି.ସି. ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ହ୍ୟୁମାନୀଟି ସ୍ପେସ, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ଯୋଗ ଦେଇ ଶୋଭାଯାତ୍ରା ଟିକୁ ସଫଳ କରିଥିଲେ। ବିକଳ୍ପହୀନ ରକ୍ତଭାବ ଦୂରୀକରଣ ନିମନ୍ତେ ଆୟୋଜିତ ଏହି ସଚେତନତା ରାଲି ନିମନ୍ତେ ଅନୁଷ୍ଠାନ କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା