ବିଶ୍ୱ ରକ୍ତଦାତା ଦିବସରେ ‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ’ର ଦଶମ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟରେ ଦଶମ ଥର ‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ’ ନାମକ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ । ରକ୍ତଦାନ ମହତ ଦାନ । ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହୁଛି । ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍‍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ,ଏ ଏବଂ ବି) ଆବିଷ୍କାର କରିଥିଲେ । ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ । ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ସୁସ୍ଥ ସବଳ ପ୍ରାପ୍ତ ବୟସ୍କ ମଣିଷ ଶରୀରରେ ପ୍ରାୟ ୧୦ ୟୁନିଟ୍‍ ବା ୧୦ ପିଣ୍ଟ ରକ୍ତ ଥାଏ । ସେ ଚାହିଁଲେ ପ୍ରତି ୫୬ ଦିନରେ ଥରେ ମାତ୍ର ୧ ପିଣ୍ଟ ରକ୍ତଦାନ କରିପାରେ । ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବରୁ ରକ୍ତ ଭଣ୍ଡାରରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉ ରକ୍ତଦାତାମାନେ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ l ଆଜିର ଶିବିରରେ ସମୁଦାୟ ଦଶ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ଦଶଗୋଟି ଶିବିରରେ ୧୭୦ଗୋଟି ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଡାକ୍ତର ସସ୍ମିତା ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ୱ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବକୁ ଦୂର କରିବା ପ୍ରୟାସକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା