ଅପହୃତକୁ ଉଦ୍ଧାର କଲା ପୋଲିସ : ମାଗିଥିଲେ ୩ଲକ୍ଷ ଟଙ୍କା…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ରମେଶ ଚନ୍ଦ୍ର ସାହୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ ମାନେ । ପୋଲିସ ଅପହରଣକାରୀଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ଅପହର୍ତ୍ତାଙ୍କୁ ଉଦ୍ଧାର କରିଛି । ସୂଚନା ଅନୁସାରେ ୧୧ ତାରିଖ ସକାଳେ ପଞ୍ଚଭୂତି ଗ୍ରାମ ବେଗୁନିଆର ଶଙ୍କର ନାଇକ ଏହି ଗ୍ରାମର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଫୋନ୍‌ କରି ଏକ ପୁରୁଣା ମାମଲାର ଆପୋଷ ସମାଧାନ ପାଇଁ ଭଞ୍ଜନଗର ଆସିବ ପାଇଁ ଡାକିଥିଲେ । ଏହାପରେ ରମେଶ ପୁଅ ଜଗନ୍ନାଥ ଓ ଗ୍ରାମର ହାଡୁବନ୍ଧୁ ସାହୁଙ୍କ ଧରି ଭଞ୍ଜନଗର ପୁରୁଣା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାକୁ ୨ଜଣ ଯୁବକ ଆସି ଶଙ୍କରର ଲୋକ ବୋଲି କହି କୁଲାଡ଼ ଗ୍ରାମ ଅଭିମୁଖେ ନେଇଥିଲେ । ବାଟରେ ବାଲିଆପଟା ଜଙ୍ଗଲ ରାସ୍ତାରେ ବାଇକ୍‌ ରଖି ସାଙ୍ଗରେ ଯାଇଥିବା ହାଡୁବନ୍ଧୁଙ୍କୁ ସେଠାରେ ଅପେକ୍ଷା କରିବାକୁ କହି ରମେଶ ଓ ପୁଅ ଜଗନ୍ନାଥଙ୍କୁ ଜଙ୍ଗଲ ଭିତରକୁ ଏକ କୁକୁଡ଼ା ଫାର୍ମକୁ ନେଇଥିଲେ । ସେଠାରେ ଶଙ୍କର ଓ ତାଙ୍କ ସାଥୀମାନେ ବାପ-ପୁଅଙ୍କୁ ମାଡ ମାରିଥିଲେ । ପରେ ରମେଶଙ୍କୁ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ଆଣି ବାପାଙ୍କୁ ନେଇଯିବାକୁ ଜଗନ୍ନାଥକୁ କହିବା ସହ ପୋଲିସ ରେ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଘଟଣା ସ୍ଥଳରୁ ଜଗନ୍ନାଥ ଓ ହାଡୁବନ୍ଧୁ ଘରକୁ ଫେରି ଆସିଥିଲେ । ଟଙ୍କା ପାଇଁ ଜଗନ୍ନାଥଙ୍କ ମା’ ଭାଇମାନଙ୍କୁ ଫୋନ୍‌ କରିଥିଲେ । ଫଳରେ ସମ୍ପର୍କୀୟ ମାନେ ଏନେଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କୁ ଜଣାଇଥିଲେ । ଏନେଇ ସେ ଭଞ୍ଜନଗର ଏସ୍‌ଡିପିଓଙ୍କୁ ଅବଗତ କରାଇବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହଯୋଗ ଲୋଡିଥିଲେ । ପରେ ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଟଙ୍କାଦେବାକୁ ଘଟଣାସ୍ଥଳକୁ ଯାଇଥିଲେ । ଟଙ୍କା ଦେବାବେଳେ ପୋଲିସ ଚଢାଉ କରି ବାରୁଡା ଗ୍ରାମର ଆଲୋକ ସାହୁ ଓ ଶିବ ପ୍ରଧାନଙ୍କୁ କାବୁ କରିବା ସହ ଅପହୃତ ରମେଶ ସାହୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ମାତ୍ର ମୁଖ୍ୟ ଅଭିଯୁକ୍ତ ଶଙ୍କର ସମେତ ତାର ଅନ୍ୟ ୩ ସାଥି ଖସି ପଳାଇଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଏକ ବାଇକ, ଗୋଟିଏ ଛୁରୀ, ବୋମା ଓ ନଗଦ ୨୦୦୦ ଟଙ୍କା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି । ଏ ନେଇ ଜଗନ୍ନାଥ ପ୍ରସାଦ ଥାନାରେ କେସ ନମ୍ବର ୧୦୪/୨୦ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୌର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ